ଆସିକା,୧୪/୦୫: କୋଟିନଡା ଥାନା ଅନ୍ତର୍ଗତ ଭେଟନଈ ନିକଟରେ ଦୁର୍ଘଟଣା । ଡାଲା ଅଟୋ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ମୃତକ ଦୁଇ ଜଣ ଭେଟନଈ ଗ୍ରାମର ୨୫ ବର୍ଷୀୟା ଗାୟତ୍ରୀ ଗୌଡ଼ ଓ ୫୦ ବର୍ଷୀୟା ସରୋଜିନୀ ସାହୁ।
ସୂଚନା ମୁତାବକ, ସାନଖୋଲି ଗ୍ରାମକୁ ଯଜ୍ଞ ଦେଖିବାକୁ ଭେଟନଈ ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ଲୋକ ଏକ ଡାଲା ଅଟୋରେ ଯାଇଥିଲେ । ଯଜ୍ଞ ଦେଖି ଫେରୁଥିବା ସମୟରେ ରାତିରେ ଭାରସାମ୍ୟ ହରାଇ ଅଟୋଟି ବଡଖୋଲି ଓ ଭେଟନଈ ମଝି ରାସ୍ତାରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଆହତଙ୍କୁ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଚଳାଇଛି ।
କାମାକ୍ଷାନଗର : ଟ୍ରକର ପଛପଟୁ ପିଟିଲା ଟ୍ରକ,ଚାଳକ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ୫୩ନଂ ଜାତୀୟ ରାଜପଥ ଟାଙ୍ଗରପଡ଼ା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍କୁ ଆଉ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଜଣେ ଡ୍ରାଇଭର୍ଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ମୃତ ଚାଳକକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।