ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ତୀବ୍ର ରୂପ ଧାରଣ କରିଛି । ଏପରିକି ଦେଶରେ ହିନ୍ଦୁ ସଂପ୍ରଦାୟଙ୍କୁ ଟାର୍ଗେଟ କରାଯାଉଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ବିରୋଧୀ ଇଣ୍ଡି ମେଣ୍ଟ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଯେଉଁମାନେ ପାଲେଷ୍ଟାଇନ୍ ପାଇଁ କାନ୍ଦୁଥିଲେ ସେମାନଙ୍କ ଧର୍ମନିରପେକ୍ଷତା ହିନ୍ଦୁମାନଙ୍କ ପାଇଁ ମରିଯାଉଛି । ଗିରିରାଜ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ଇଣ୍ଡି ମେଣ୍ଟର ଲୋକେ ପାଲେଷ୍ଟାଇନ୍କୁ ନେଇ କାନ୍ଦୁଥିଲେ କିନ୍ତୁ ବାଂଲାଦେଶରେ ହିନ୍ଦୁଙ୍କ ନରସଂହାର ଉପରେ ଚୁପ ଅଛନ୍ତି । ଏମାନଙ୍କ ଧର୍ମନିରପେକ୍ଷତା ହିନ୍ଦୁଙ୍କ ଯନ୍ତ୍ରଣାକୁ ଦେଖି ମରିଯାଏ ।’
ସେପଟେ ଆଜି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରାଜ୍ୟସଭାରେ କହିଛନ୍ତି, ବାଂଲାଦେଶ ସ୍ଥିତି ଉପରେ ଭାରତ ସରକାର ନଜର ରଖିଛନ୍ତି ଏବଂ ସେଠାକାର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି । ତେବେ ଅଶାନ୍ତ ବାଂଲାଦେଶ ଏବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କ ପାଇଁ ବିପଦ ସୃଷ୍ଟି କରିବାରେ ଲାଗିଛି । ପ୍ରଥମେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନେଇ ଖବର ମିଳିଥିଲା । କିନ୍ତୁ ଏବେ ହିନ୍ଦୁ ବିରୋଧୀ ହିଂସା ତୀବ୍ର ହେଉଥିବା ଜଣାପଡ଼ିଛି ।
ଢ଼ାକାରେ ନ୍ୟୁଜ ଚ୍ୟାନେଲରେ ଏହି ଖବର ପ୍ରଦର୍ଶିତ ହୋଇଛି । ସେଠାରେ ହିନ୍ଦୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ସହାୟତା ଲାଗି ଗୁହାରି କରୁଥିବା ଦେଖିବାକୁ ମିଳିଛି । ହିନ୍ଦୁ ମହିଳା ଏବଂ ଯୁବତୀଙ୍କ ଅପହରଣ ନେଇ ମଧ୍ୟ ଖବର ମିଳିଛି । ଏମିତି ନୁହେଁ ଯେ, ଶେଖ ହସିନାଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ହିନ୍ଦୁମାନଙ୍କୁ ଅତ୍ୟାଚାର କରାଯାଉନଥିଲା । ସେତେବେଳେ ଶେଖ ହସିନା ଏହାକୁ ରୋକିବାରେ ସକ୍ଷମ ହେଉଥିଲେ । କିନ୍ତୁ ଏବେ ଖୋଦ ଶେଖ ହସିନା ଦେଶ ଛାଡ଼ି ପଳାୟନ କରିଛନ୍ତି । ଏଭଳି ସ୍ଥିତିରେ ହିନ୍ଦୁମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ତ୍ତମାନ ବାଂଲାଦେଶରେ ୮ ପ୍ରତିଶତ ହିନ୍ଦୁ ଜନସଂଖ୍ୟା ଥିବା ବେଳେ ଏହା ୧୯୪୭ ତୁଳନାରେ ଖୁବ କମ୍ । ସେତେବେଳେ ହିନ୍ଦୁଙ୍କ ସଂଖ୍ୟା ୩୦ ପ୍ରତିଶତରୁ ଅଧିକ ଥିଲା ।