ପ୍ରୟାଗରାଜ ୦୯/୦୨: ସଙ୍ଗମରେ ଅଦ୍ୟାବଧି ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଆସ୍ଥାର ବୁଡ଼ ପକାଇଛନ୍ତି । ମହାକୁମ୍ଭରେ ଆଦାନି ସମୂହ ଇସ୍କନ୍ ସହ ମିଶି ଦେଶ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା କରୁଛି । ବିଶ୍ୱର ସବୁଠୁ ବଡ଼ ରୋଷେଇରେ ରାତି ଦିନ ୨୪ ଘଣ୍ଟା କାମ ଚାଲିଛି । ମୌନୀ ଅମାବାସ୍ୟା ଓ ବସନ୍ତ ପଞ୍ଚମୀ ସ୍ନାନରେ ପ୍ରାୟ ୫.୫ ଲକ୍ଷ ଲୋକ ଏଠାରେ ମହାପ୍ରସାଦ ଗ୍ରହଣ କରିଥିଲେ । ଆଇଆଇଟିର ୪ ଜଣ ସିଭିଲ ଓ ମେକାନିକାଲ ଇଞ୍ଜିନିୟର ଏହି ମହା ରୋଷେଇର ବ୍ୟବସ୍ଥା କରିଛନ୍ତି ।
ଆଦାନି ଗ୍ରୁପ୍ ଓ ଇସ୍କନ୍ ତରଫରୁ ଗତ ଜାନୁଆରୀ ୧୩ ତାରିଖରୁ ମହାପ୍ରସାଦ ବିତରଣ ଆରମ୍ଭ ହୋଇଥିଲା, ଯାହା ଅଦ୍ୟାବଧି ଜାରି ରହିଛି । ମହାକୁମ୍ଭ କ୍ଷେତ୍ରରେ ସ୍ଥିତ ୪୦ରୁ ଅଧିକ ସେଣ୍ଟର୍ରେ ମହାପ୍ରସାଦ ବିତରଣ କରାଯାଉଛି । ଏଥିପାଇଁ କ୍ଷେତ୍ରରେ ୩ ରୋଷେଇ ଘରେ ନିରନ୍ତର ପ୍ରସାଦ ପ୍ରସ୍ତୁତି ଚାଲିଛି । ୧୩ ଜାନୁଆରୀରୁ ଗତ ୩ ତାରିଖ ପର୍ଯ୍ୟନ୍ତ ମହାକୁମ୍ଭରେ ମହାପ୍ରସାଦ ଗ୍ରହଣ କରିଥିବା ମୋଟ୍ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୨୮ ଲକ୍ଷରୁ ଅଧିକ । ମହାକୁମ୍ଭ ମେଳାର ଶେଷ ଦିନ ପର୍ଯ୍ୟନ୍ତ ପ୍ରାୟ ୫୦ ଲକ୍ଷ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ଦିଆଯିବ ବୋଲି ଆକଳନ କରାଯାଉଛି ।
ଖାଦ୍ୟର ଗୁଣବତ୍ତା ବଜାୟ ରଖିବା ଉପରେ ଏଠାରେ ଖାସ୍ ଧ୍ୟାନ ଦିଆଯାଉଛି । ଉଭୟ ଗ୍ୟାସ୍ ଓ ଇଟା-ମାଟି ଚୁଲାରେ ଖାଦ୍ୟ ପ୍ରସ୍ତୁତ ହେଉଛି । ଚୁଲି ନିର୍ମାଣରେ ଗାଈ ଗୋବର ଉପଯୋଗ ହୋଇଛି । ପରିବାକୁ ଧିମା ଆଞ୍ଚରେ ରୋଷେଇ କରାଯାଉଛି । ଆଦାନି ଗ୍ରୁପ୍ ଇସ୍କନ୍ ସହ ମିଶି ପ୍ରତିଦିନ ୧ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରିବା ଲାଗି ଲକ୍ଷ୍ୟ ରଖିଛି । ଗତ ମାସ ୨୧ ତାରିଖରେ ଗୌତମ ଆଦାନି ସପରିବାର ମହାକୁମ୍ଭକୁ ଆସିଥିଲେ । ଏ ଅବସରରେ ସେ ଇସ୍କନ୍ରେ ପ୍ରସାଦ ସେବା, ପବିତ୍ର ସଙ୍ଗମରେ ସ୍ନାନ ଏବଂ ପୂଜାର୍ଚ୍ଚନା କରିଥିଲେ । ନିଜ ହାତରେ ଖାଦ୍ୟ ପ୍ରସ୍ତୁତ କରିଥିଲେ । ଲୋକଙ୍କୁ ମଧ୍ୟ ଖାଦ୍ୟ ପରସିଥିଲେ ।