ତିଗିରିଆ,୧୮/୦୩: ତିଗିରିଆ  ଥାନା ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ  କଳିବିରି ଗ୍ରାମରେ ଅଭାବନୀୟ  ଘଟଣା ଘଟିଛି । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ କଳହ ଉଗ୍ରରୂପ  ନେଇଛି । ସାନଭାଇର କାନକୁ  କାମୁଡ଼ି ଛିଣ୍ଡାଇ ଦେଲା ବଡ଼ଭାଇ ।  କଳିବିରି ଗ୍ରାମର ଡିଲର ବଡ଼ଭାଇ ଅଶୋକ ପରିଡ଼ା ଓ ସାନଭାଇ  ଅଜୟ ପରିଡ଼ାଙ୍କ ମଧ୍ୟରେ ଜମିଜମା  ବାବଦକୁ ଦେଇ ପାରିବାରିକ କଳହ  ଲାଗରହିଥିଲା । 

ରବିବାର ରାତିରେ  ସାମାନ୍ୟ କଥାରୁ ଉଭୟଙ୍କ ମଧ୍ୟରେ  ବଚସା ହୋଇଥିଲା । ପରେ କଥା  କଟାକଟିରୁ ପାଟିତୁଣ୍ଡ ହୋଇଥିଲା ।  ଏଥିରେ ଉତକ୍ଷୀପ୍ତ ହୋଇ ସାନଭାଇର  କାନକୁ ବଡ଼ଭାଇ କାମୁଡି ଛିଣ୍ଡେଇ ଦେଇଥିଲା । ଏ ସମ୍ପର୍କରେ ଅଜୟଙ୍କ  ପରିବାର ତରଫରୁ ଥାନାରେ ଏତଲା ଦିଆଯିବା ପରେ ତିଗିରିଆ ପୁଲିସ  ୫୨/୨୫ରେ ମାମଲା ରୁଜୁ କରି  ଅଶୋକଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ  କରିଥିବା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି।