ଆଠଗଡ଼, ୨୬/୦୯ : କଟକ ଜିଲ୍ଲା ଯୋଡୁମୁଁ ଥାନା ଅର୍ନ୍ତଗତ ଚକ୍ରଗଡ଼ ମହୁଲ ସାହି ଗ୍ରାମରେ ଜଣେ ବୃଦ୍ଧଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପାଣୁ ବେହେରା । ତେବେ ପାଣୁଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଝିଅ ଅଭିଯୋଗ କରିଛି।
ଝିଅ ସୁକାନ୍ତି ବେହେରାଙ୍କ ଅଭିଯୋଗ ଅନୁଯାୟୀ କଟକ ଜିଲ୍ଲା ଯୋଡୁମୁଁ ଥାନା ଅର୍ନ୍ତଗତ ଚକ୍ରଗଡ଼ ମହୁଲ ସାହି ଗ୍ରାମର ପାଣୁ ବେହେରା ତାଙ୍କ ବୋହୂଙ୍କ ସହ ଘରେ ରହୁଥିଲେ। ସୁକାନ୍ତିଙ୍କ ଭାଇ ପାରାଦୀପ ଅଞ୍ଚଳରେ ଡ୍ରାଇଭର ଭାବେ କାମ କରୁଥିଲେ। ବୁଧବାର ରାତିରେ ଭୟଭୀତ ଅବସ୍ଥାରେ ନିଜ ଜୀବନ ପ୍ରତି ବିପଦ ଥିବା ଫୋନ୍ ଯୋଗେ ଝିଅ ସୁକାନ୍ତି ବେହେରାକୁ ଜଣେଇ ଥିଲେ। ଆଜି ପାଣୁ ବେହେରାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିବା ଝିଅ ଏତଲାରେ ଦର୍ଶାଇଛନ୍ତି। ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଅଭିଯୋଗ ଆଧାରରେ ପୋଲିସ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ମଲ୍ଲିକ।