ଭୁବନେଶ୍ଵର, ୧୮/୦୧ : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ରାଜ୍ୟ ଫରେନ୍ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ। ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼। ନବ ଦାସଙ୍କ ଗାଡିକୁ ହୋଇଥିଲା ୩ ରାଉଣ୍ଡ ଗୁଳିମାଡ଼। ଘଟଣା ଦିନ ସ୍ଵାସ୍ଥ୍ୟ ବିଭାଗ ଗାଡିକୁ ହୋଇଥିଲା ୫ ରାଉଣ୍ଡ ଗୁଳିମାଡ଼। ତେବେ ଅସଲ ହତ୍ୟାକାରୀ ଗୋପାଳ ନା ଆଉ କିଏ ? ତାହାକୁ ନେଇ ଉଠିଲା ପ୍ରଶ୍ନ। ହତ୍ୟାକାଣ୍ଡରେ ଆଉ କିଏ ସାମିଲ ଥିବା ନେଇ ବଢିଲା ସନ୍ଦେହ। ସେପଟେ ଗୋପାଳ ବନ୍ଧୁକର ୩ଟି ଗୁଳି ମଧ୍ୟରୁ ଆଉ ଗୋଟିଏ ଗୁଳିର ଖୋକା ଏଯାଏଁ ମିଳିନି।
ଏହି ଖବରଟିକୁ ପଢନ୍ତୁ-ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍, ଲିଙ୍କ୍ରେ ଥିବା କଣ୍ଟ୍ରାକ୍ଟର, ବିଲ୍ଡରଙ୍କ ଘରେ ଚାଲିଛି ଚଢ଼ାଉ
ଅଭିଯୁକ୍ତ ଗୋପାଳ ଦାସ ପାଇଁ ମକୋଦ୍ଦମା ପରିଚାଳନା କରୁଥିବା ଓକିଲ ନରେଶ ନାଏକ କହିଛନ୍ତି ଯେ, ନବଙ୍କ ରକ୍ତ ଭିଜା ସାର୍ଟରେ କୌଣସି ସୁରାକ ନାହିଁ। ତଦନ୍ତକାରୀ ଅଧିକାରୀ ସାର୍ଟକୁ ସିଜ୍ କରି ନଥିଲେ। ଏହି ମାମଲା ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଚାଲିଥିବା ବେଳେ ୧୪୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ। ବର୍ତ୍ତମାନ ସୁଦ୍ଧା ୨୯ଜଣଙ୍କ ସାକ୍ଷ୍ୟ ନିଆଯାଇଥିବା ବେଳେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରିଥିବା ୨ ଜଣ ଡ଼ାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ ସରିଛି। ମାମଲା ଏବେ ବିଚାରାଧୀନ ଥିବା ବେଳେ କ୍ରାଇମବ୍ରାଞ୍ଚର ଚାର୍ଜସିଟ୍କୁ ନେଇ ସମସ୍ତ ବୟାନ ନିଆଯିବ। ନବଙ୍କ ସାର୍ଟ ସମ୍ପର୍କରେ କୌଣସି ସୂଚନା ନଥିବା ବେଳେ ତଦନ୍ତକାରୀ ଅଧିକାରୀଙ୍କ ଜେରା ପରେ ସଠିକ୍ ତଥ୍ୟ ଆସିପାରିବ। ଏହି ସାର୍ଟ ମାମଲା ରାୟ ପ୍ରକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏଥିସହ ତାଙ୍କ ମହକିଲ ନିର୍ଦ୍ଦୋଷ ବୋଲି କହିଛନ୍ତି ।
ଗତ ଜାନୁଆରୀ ୨୯ ତାରିଖ ବ୍ରଜରାଜନଗର ଥାନା ଗାନ୍ଧୀଛକ ଠାରେ ଏକ ଦଳୀୟ କାର୍ଯ୍ୟାଳୟ ଉଦ୍ଘାଟନ ପାଇଁ ଯାଇଥିବା ସମୟରେ ପୁଲିସ ଗୁଳିରେ ଟଳି ପଡ଼ିଥିଲେ ନବ ବାବୁ । ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସହ ବିଜେଡିର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ନେତା ଭାବେ ଦିନକୁ ଦିନ ତାଙ୍କର ପତିଆରା ବୃଦ୍ଧି ପାଇ ଚାଲିଥିଲା । ଏଭଳି ପରିସ୍ଥିତିରେ ଜଣେ ପୁଲିସ ଏଏସ୍ଆଇ ହତ୍ୟା କରିବା ଘଟଣାକୁ ଲୋକେ ସହଜରେ ହଜମ କରି ପାରି ନାହାଁନ୍ତି । ହତ୍ୟାରେ ସଂପୃକ୍ତ ଥିବା ପୁଲିସ ଏଏସ୍ଆଇକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ନବ ବାବୁଙ୍କ ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଠାରେ ହୋଇଥିବା ସେହିଦିନ ରାତ୍ରିରେ ଘୋଷଣା କରାଯାଇଥିଲା । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଏଭଳି ଗୁଳି କରି ହତ୍ୟା ରାଜ୍ୟ ରାଜନୀତିରେ ଏକ ବିରଳ ଘଟଣା । ଏହି ଘଟଣା ସମସ୍ତ ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା । ମାତ୍ର ପୁଲିସ୍ ଏଏସ୍ଆଇ ଗୋପାଳଙ୍କ ଏଭଳି କି ଶତ୍ରୁତା ଥିଲା ଯେ ସେ ନବ ବାବୁଙ୍କୁ ହତ୍ୟା କଲେ ଏହାର ଉତ୍ତର ଏଯାଏଁ ମିଳି ପାରିନାହିଁ ।
ନବ ଦାସ ହତ୍ୟାକାଣ୍ଡକୁ ଦୁଇ ବର୍ଷ ପୂରିବା ଆଉ ମାତ୍ର କେଇଦିନ ବାକି ରହିଲା। ହେଲେ ଏହି ହତ୍ୟା ପଛର ଉଦ୍ଦେଶ୍ୟ ଏଯାଏ ରହସ୍ୟାବୃତ୍ତ ହୋଇ ରହିଛି। ଜଣେ ପୁଲିସ୍ ଏଏସ୍ଆଇ ଗୋପାଳକୃଷ୍ଣ ଦାସ କେଉଁ କାରଣରୁ ପିସ୍ତଲରୁ ଗୁଳି କରି ହତ୍ୟା କଲେ ସେହି ପ୍ରଶ୍ନର ଉତ୍ତର ଏଯାଏ ମିଳି ପାରିନାହିଁ । ଏହି ହତ୍ୟା ରହସ୍ୟ ଉନ୍ମୋଚନ ନହେବାରେ କେଉଁଠି ନା କେଉଁଠି ପୂର୍ବ ସରକାରଙ୍କ ବିଫଳତାକୁ ଦର୍ଶାଉଛି।