ନୂଆଦିଲ୍ଲୀ,୨୭।୨: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ପୁଣିଥରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ କହିଛନ୍ତି, ରାଜ୍ୟ ସରକାର ହିନ୍ଦୀକୁ ଲାଗୁ କରିବାର ଅନୁମତି ଦେବେନି ଏବଂ ତାମିଲ ଭାଷା ଓ ସଂସ୍କୃତିର ରକ୍ଷା କରିବେ। ସିଏମ୍ ଷ୍ଟାଲିନ ନିଜ ପତ୍ରରେ ଲେଖିଛନ୍ତି, ଆମ ଉପରେ ହିନ୍ଦୀକୁ ଲଦି ଦେବାକୁ ଆମେ ବିରୋଧ କରିବୁ। ହିନ୍ଦୀ ଏକ ମୁଖା, ସଂସ୍କୃତ ହେଉଛି ତା ଭିତରେ ଲୁଚିଥିବା ଚେହେରା।’
ଡିଏମ୍କେ ସରକାରଙ୍କ ଦାବି ଯେ, ଜାତୀୟ ଶିକ୍ଷା ନୀତି ଅନୁସାରେ ତିନୋଟି ଭାଷାର ଫର୍ମୁଲା ଜରିଆରେ ହିନ୍ଦୀ ଆମ ଉପରେ ଲଦିବାର ଚେଷ୍ଟା କରାଯାଉଛି। ତେବେ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସିଏମ୍ ଷ୍ଟାଲିନ୍ ନିଜ ପତ୍ରରେ କହିଛନ୍ତି, ବିହାର, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟରେ ମୈଥିଲି, ବ୍ରଜଭାଷା, ବୁନ୍ଦେଲଖଣ୍ଡି ଓ ଅବଧି ଭଳି ଭାଷା ହିନ୍ଦିର ପ୍ରଭୂତ୍ବକୁ ଶେଷ କରି ଦେଇଛି। ୨୫ ରୁ ଅଧିକ ଉତ୍ତର ଭାରତୀୟ ଭାଷା ହିନ୍ଦି ଓ ସଂସ୍କୃତର ପ୍ରଭୂତ୍ବ କାରଣରୁ କ୍ଷତିଗ୍ରସ୍ତ ହୋଇଛି।
ସେ କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷା ନୀତିରେ ସଂସ୍କୃତକୁ ପ୍ରୋତ୍ସାହନ ଦିଆଯାଉଛି। ଏଭଳି କରି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରାଯାଉଛି। ଯଦି ତାମିଲନାଡୁ ତିନି ଭାଷା ନୀତିକୁ ଗ୍ରହଣ କରେ ତେବେ ତାମିଲକୁ ଅଣଦେଖା କରାଯିବ। ଭବିଷ୍ୟତରେ ସଂସ୍କୃତର ପ୍ରାଧାନ୍ୟ ବଢିଯିବ।’