ପ୍ରୟାଗରାଜ ୨୫/୦୧: ପ୍ରୟାଗରାଜରେ ଚାଲିଛି ପବିତ୍ର ମହାକୁମ୍ଭ ମେଳା । ଏହି ସମୟରେ ସେଠାକାର ତ୍ରିବେଣୀ ତଟରେ ସବୁ ଦେବତାମାନେ ବସବାସ କରନ୍ତି ବୋଲି ଶାସ୍ତ୍ରୀୟ ମାନ୍ୟତା ରହିଛି । ଶକ୍ତିର ସଂପୂର୍ଣ୍ଣ ଧାରା ସେଠାରୁ ହିଁ ପ୍ରବାହିତ ହେଉଥିବା ବିଶ୍ୱାସ କରାଯାଏ । ଏଭଳିକ୍ଷେତ୍ରରେ ମହାକୁମ୍ଭରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀର ନିବାସୀ ସିଦ୍ଧାର୍ଥ ଶିବ । ଆସନ୍ତା ୨୬ ତାରିଖରେ ମା’ଗଙ୍ଗା, ଯମୁନା, ସରସ୍ୱତୀ ଓ ସମସ୍ତ ଦେବାଦେବୀଙ୍କୁ ସାକ୍ଷୀ ଭାବେ ଗ୍ରହଣ କରି ଗ୍ରୀସ୍ର ପିନେଲୋପିଙ୍କୁ ବିବାହ କରିବେ ସେ । ମେଳାକ୍ଷେତ୍ରର ସେକ୍ଟର-୧୮ ହରିଶ୍ଚନ୍ଦ୍ର ମାର୍ଗରେ ଥିବା ଜୁନା ଆଖଡ଼ାର ବରିଷ୍ଠ ମହାମଣ୍ଡଳେଶ୍ୱର ସ୍ୱାମୀ ଯତୀନ୍ଦ୍ରନାଥ ଗିରୀଙ୍କ ଶିବିରରେ ବୈଦିକ ରୀତିରେ ଏହି ପରିଣୟ ଅନୁଷ୍ଠିତ ହେବ । ଏହି ସମୟରେ ସନ୍ଥ ସାଜିବେ ବରଯାତ୍ରୀ ।
ଗ୍ରୀସ୍ର ଏଥେନ୍ସ ସହରର ବାସିନ୍ଦା ପିନେଲୋପି କହିଛନ୍ତି, ସେଠାକାର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ଟୁରିଜିମ୍ ମ୍ୟାନେଜମେଣ୍ଟରେ ସ୍ନାତକ ଶିକ୍ଷା ଶେଷ କରିଥିଲେ ସେ । ପରବର୍ତ୍ତୀ ସମୟରେ ଯୋଗ ପ୍ରତି ଆକର୍ଷିତ ହୋଇ ସ୍ଥାନୀୟ ଜିମ୍ରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ । ତେବେ ସେଥିରୁ ସନ୍ତୋଷ ନ ମିଳିବାରୁ ଯୋଗ ସଂପର୍କରେ ଅଧିକ ଶିକ୍ଷା ଲାଭ ଲାଗି ଥାଇଲାଣ୍ଡ ଗଲେ । ଗ୍ରୀସ୍ ଫେରିବା ପରେ ଯୋଗ ଓ ଧ୍ୟାନ ସଂପର୍କରେ ଲୋକଙ୍କୁ ଶିକ୍ଷା ଦେଲେ ସେ । ପ୍ରାୟ ୯ ବର୍ଷ ତଳେ ତାଙ୍କର ନୂଆଦିଲ୍ଲୀ ପଞ୍ଜାବୀ ବାଗ୍ର ବାସିନ୍ଦା ସିଦ୍ଧାର୍ଥ ଶିବଙ୍କ ସହିତ ହୋଇଥିଲା । ସିଦ୍ଧାର୍ଥ ଯୋଗ ପ୍ରଶିକ୍ଷକ ଥିଲେ । ଯୋଗ ପ୍ରତି ଉଭୟଙ୍କର ଆକର୍ଷଣ ସେମାନଙ୍କୁ ପରସ୍ପରର ନିକଟବର୍ତ୍ତୀ କରାଇଲା । ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହେଲା ।

ପ୍ରାୟ ବର୍ଷକ ପୂର୍ବରୁ ସେମାନଙ୍କର ସାକ୍ଷାତ ଜୁନା ଆଖଡ଼ାର ବରିଷ୍ଠ ମହାମଣ୍ଡଳେଶ୍ୱର ସ୍ୱାମୀ ଯତୀନ୍ଦ୍ରନାଥ ଗିରୀଙ୍କ ସହ ହୋଇଥିଲା । ଆଧ୍ୟାତ୍ମ ପ୍ରତି ଆକର୍ଷଣ ବଢ଼ିବାରୁ ପିନେଲୋପି ସ୍ୱାମୀ ଯତୀନ୍ଦ୍ରନାଥ ଗିରିଙ୍କ ନିକଟରୁ ଦୀକ୍ଷା ନେଲେ । ମହାକୁମ୍ଭ ଆୟୋଜନ ସଂପର୍କରେ ଜାଣିବା ପରେ ପିନେଲୋପି ପ୍ରୟାଗରାଜ ଆସିଲେ । ଏହାପରେ ସେମାନେ ବିବାହ ନିଷ୍ପତ୍ତିକୁ ସ୍ୱାମୀ ଯତୀନ୍ଦ୍ରନାଥଙ୍କୁ ଜଣାଇଲେ । ସ୍ୱାମୀ ଯତୀନ୍ଦ୍ରନାଥ କହିଛନ୍ତି, ବୈଦିକ ରୀତି ଅନୁସାରେ ଏହି ବିବାହ ଅନୁଷ୍ଠିତ ହେବ । ତାଙ୍କ ଶିବିରରୁ ବରଯାତ୍ରୀ ଦଳ ବାହାରି ବାଦ୍ୟର ତାଳେ ତାଳେ କିଛି ଦୂର ଯିବା ପରେ ପୁଣି ଶିବିରକୁ ଫେରିବେ । ସେଠାରେ ଆଚାର୍ଯ୍ୟ ସିଦ୍ଧାର୍ଥ-ପିନେଲୋପିଙ୍କ ବିବାହ କରାଇବେ । ଏହି ସମୟରେ ସନ୍ଥ ସମାଜ ହିଁ ବରଯାତ୍ରୀ ହେବେ ।