ପୁରୀ,୦୭/୦୩:  ଆସନ୍ତା ୧୪ ତାରିଖ ଶୁକ୍ରବାର ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଦାରୁଦିଅଁ ସୁନାବେଶରେ ବିଭୁଷିତ ହେବେ । ସକାଳ ୮ଟାରେ ଠାକୁରଙ୍କ ସୁନାବେଶ ଆରମ୍ଭ ହୋଇ ସାଢ଼େ ୯ଟାରେ ସମ୍ପନ୍ନ ହେବ । ରାତ୍ର ୧୦ଟା ୩୫ ମିନିଟ୍‌ରେ ବେଶ ମଇଲମ ହେବ। ବେଶରେ  ଥାଇ ଠାକୁରେ ଅବିର ଓ ଝିମିରି ଫଗୁ ଲାଗି ହେବେ । ଇତି ମଧ୍ୟରେ ଅପରାହ୍ନ  ୧୨ଟା୩୦ମିନିଟ୍‌ରେ ଶ୍ରୀ ଦୋଳଗୋବିନ୍ଦ,  ଲକ୍ଷ୍ମୀ ଓ ସରସ୍ୱତୀ ଦୋଳବେଦିକୁ ବିଜେ  କରି ଦୋଳତ୍ସୋବ ନୀତି ସାରି ରାତି  ସାଢ଼େ ୮ଟାରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ  କରିବେ । ଏହି ଅବସରରେ ଭକ୍ତମାନେ  ଶ୍ରୀମନ୍ଦିରରେ ସୁନାବେଶରେ ଠାକୁରଙ୍କୁ  ଦର୍ଶନ କରି ଦୋଳବେଦିରେ ଠାକୁରଙ୍କ  ଲାଗି ଫଗୁ ଲଗାଇ ଧନ୍ୟ ହେବେ।

ଗୁରୁବାର ଛତିଶା ନିଯୋଗ  ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା  ନିର୍ଦ୍ଧାରିତ ନୀତି ନୀର୍ଘଣ୍ଟ ଅନୁସାରେ  ପ୍ରାତଃ ୩ଟାରେ ସିଂହଦ୍ୱାର ଖୋଲାଯାଇ  ୩ଟା ୩୦ରେ ଭିତର ଶୋଧ, ୪ଟାରେ  ମଙ୍ଗଳ ଆଳତି, ୪ଟା୧୫ରେ ମଇଲମ,  ସାଢ଼େ ୪ଟାରେ ତଡ଼ପଲାଗି ସରି ୫ଟା୧୫ମିନିଟ୍‌ରେ ଠାକୁରଙ୍କ ଅବକାଶ  ବଢ଼ିବ । ଠାକୁରଙ୍କ ଖଇକୋରା ଭୋଗ  ଓ ଭିତର ବେଢ଼ା ସରି ୮ଟାରେ  ଦୋଳଗୋବିନ୍ଦ, ଲକ୍ଷ୍ମୀ, ସରସ୍ୱତୀ  ନାଭି କଟା ମଣ୍ଡପକୁ ବିଜେ କରିବେ । ଏହାପରେ ଶ୍ରୀବିଗ୍ରହଙ୍କ ରାଜାଧିରାଜ  ବେଶ ଅନୁଷ୍ଠିତ ହେବ । ନାଭିକଟା ମଣ୍ଡପ  ନୀତି ସାରି ପୂର୍ବାହ୍ନ ୧୦ଟାରେ ବିମାନକୁ  ଦୋଳଗୋବିନ୍ଦ, ଲକ୍ଷ୍ମୀ, ସରସ୍ୱତୀ(ଦୋଳ  ଠାକୁର) ବିଜେ କରିବେ । ବିଜେ  ଠାକୁରଙ୍କୁ ବଡ଼ଦେଉଳରେ ୭ ଘେରା  ବେଢ଼ା କରାଇ ଦୋଳବେଦିରେ ବିଜେ  କରାଯିବ ।  

ଦୋଳବେଦିରେ ମହାଜନେ  ଦୋଳିରେ ଦୋଳଠାକୁରଙ୍କୁ ବିଜେ  କରିବା ପରେ ସର୍ବସାଧାରଣ ଦର୍ଶନ  ହେବ । ରାତ୍ର ୯ଟାରେ ଦୋଳବେଦିରୁ ଶ୍ରୀମନ୍ଦିରକୁ ଠାକୁରେ ବାହୁଡ଼ି ଅନ୍ୟାନ୍ୟ  ନୀତି ସରିଲେ ମହାପ୍ରଭୁଙ୍କ ସୁନାବେଶ  ଉଲାଗି ହୋଇ ୧୧ଟା୩୦ରେ ଠାକୁରଙ୍କ  ମହାସ୍ନାନ ବଢିବ। ଅନ୍ୟାନ୍ୟ ନୀତି  ସହ ସନ୍ଧ୍ୟା ଆଳତି, ଚନ୍ଦନ ଲାଗି,  ବଡ଼ସିଂହାର ବେଶ ଓ ଭୋଗ ଆଦି ବଢ଼ି  ରାତ୍ର ୩ଟା ୪୫ରେ ଠାକୁରଙ୍କ ରାତ୍ର ପହୁଡ଼ ହେବ । ଦୋଳଯାତ୍ରାରେ ମୁଖ୍ୟତଃ  ଶ୍ରୀରାଧାକୃଷ୍ଣ ବିଜେ ହେଉଥିବା ସ୍ଥଳେ  ଶ୍ରୀକ୍ଷେତ୍ରରେ ଶ୍ରୀଦୋଳଗୋବିନ୍ଦଙ୍କ ସହ  ଶ୍ରୀଦେବୀ ଓ ଭୂଦେବୀଙ୍କ ନୀତି ସମ୍ପନ୍ନ  ହୋଇଥାଏ।