ଭୁବନେଶ୍ୱର, ୦୭/ ୦୩ : ହୋଟେଲ୍ରେ ମଟନ ଖାଉଛନ୍ତି କି ? ତାହେଲେ ସାବଧାନ୍ ! କାରଣ ମଟନ କହି ପ୍ଲେଟରେ ପରଷି ଦେଉଛନ୍ତି ଗୋମାଂସ। ଏଭଳି ଏକ ଚାଞ୍ଚଲ୍ୟକର ଭିଡିଓ ଏବେ ଭାଇରାଲ୍ ହୋଇଛି। ଏହି ଭିଡିଓ ଭାଇରାଲ୍ ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ସାକ୍ଷୀଗୋପାଳ କଲେଜ ଛକ ନିକଟରେ ଥିବା ଜୟା ହୋଟେଲ୍କୁ ସିଲ୍ କରାଯାଇଛି। ଗୁରୁବାର ରାତି ପ୍ରାୟ ୧ଟା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ହୋଟେଲକୁ ସିଲ୍ କରିଦିଆଯାଇଛି।
ସୂଚନାନୁଯାୟୀ, ଜାୟା ହୋଟେଲ ମାଲିକ ଗୋମାଂସ କିଣୁଥିବାର ଜଣେ ବେପାରୀଙ୍କ କଥା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଘଟଣା ପୁରା ରାଜ୍ୟରେ ପ୍ରଘଟ ହେବା ପରେ ଆକ୍ସନକୁ ଆସି ଜୟା ହୋଟେଲକୁ ସିଲ୍ କରିଛି ପ୍ରଶାସନ। ଉକ୍ତ ହୋଟେଲଟି ସତ୍ୟବାଦୀ ଅଞ୍ଚଳରେ ମଟନର ସୁସ୍ୱାଦ ପାଇଁ ବେଶ୍ ପ୍ରସିଦ୍ଧ ଥିବା ଚର୍ଚ୍ଚା ହେଉଛି। ହୋଟେଲକୁ ସିଲ କରିବା ପରେ ଏହାର ଖାଦ୍ୟ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ସେପଟେ ଭାଇରାଲ୍ ଭିଡିଓରେ ଯୁବକ ଜଣକ ସତ୍ୟବାଦୀ ଥାନାରେ କାର୍ଯ୍ୟରତ ଜନୈକ ପୁଲିସ ଅଧିକାରୀଙ୍କ ନାମ ବି ପ୍ରକାଶ କରିଥିଲେ । ତାଙ୍କୁ ଗତକାଲି ସାର୍ଟିଫିକେଟ୍ ଦିଆଯାଇ ବଦଳି କରାଯାଇଛି ବୋଲି ଥାନା ଅଧିକାରୀ ବିଜୟ କେତନ ବେହେରା ସୂଚନା ଦେଇଛନ୍ତି ।
ଏନେଇ ଜୟା ହୋଟେଲ୍ ସତ୍ତ୍ୱାଧିକାରୀ ସଞ୍ଜୟ ବାରିକ କହିଛନ୍ତି ଯେ, ଆମ ହୋଟେଲ୍ରେ ମଟନରେ ଅପମିଶ୍ରଣ ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା । ଭାଇରାଲ୍ ହେଉଥିବା ଭିଡିଓ ଓ କହୁଥିବା ଯୁବକଙ୍କ ସହିତ ଆମର କୌଣସି ସମ୍ପର୍କ ନାହିଁ । ଆମ ବ୍ୟବସାୟରେ ଇର୍ଷାନ୍ୱିତ ହୋଇ କେହି ଖଳ ପ୍ରକୃତିର ଲୋକ ଏପରି କରି ଥାଇପାରେ ବୋଲି ସେ ପ୍ରକାଶ କରିଛନ୍ତି । ଖାଦ୍ୟ ନମୁନା ଯାଞ୍ଚ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି। ତେବେ ଗୋମାଂସ କେବଳ ପୁରୀ ନୁହେଁ, ଆହୁରି ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ଏହି ଭିଡିଓରୁ ସୂଚନା ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବିଶ୍ୱାସରେ ଖାସି ମାଂସ ନେଇ ଖାଉଥିବା ବ୍ୟକ୍ତି ବିଶେଷ ଏହି ମାଂସ ବ୍ୟବସାୟୀଙ୍କ ଉପରେ ଆସ୍ଥା ହରାଇଛନ୍ତି। ତୁରନ୍ତ ଏହି ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
ଗୋମାଂସ ଚାଲାଣ ନେଇ ଏସପି ବିନୀତ ଅଗ୍ରୱାଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓକୁ ନେଇ ପୋଲିସ ପକ୍ଷରୁ ତ୍ୱରିତ ଆକ୍ସନ ନିଆଯାଇଛି। ସତ୍ୟବାଦୀରେ ଥିବା ସମ୍ପୂର୍ଣ୍ଣ ଢ଼ାବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ସିଲ୍ କରାଯାଇଛି। ଖାଦ୍ୟ ସାମ୍ପଲ ଯାଞ୍ଚ ପାଇଁ ମଧ୍ୟ ପଠାଯାଇଛି। ପୁରୀ ସହରରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଆସିବା ପରେ ସେଠାରେ ଚଢ଼ାଉ କରାଯାଇଛି। ସତ୍ୟବାଦୀ ଥାନା ଅଧିକାରୀଙ୍କ ନାଁରେ ଏନେଇ ଅଭିଯୋଗ ଆସିବା ପରେ ପୋଲିସ ହେଡ୍ କ୍ବାଟରକୁ ତାଙ୍କୁ ପଠାଯାଇଛି। ଗୋଚାଲାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।