ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ଯୁଦ୍ଧ ପୁଣି ଥରେ ତୀବ୍ର ରୂପ ଧାରଣ କରିଛି । ୟୁକ୍ରେନ୍ ଉପରେ ଆକ୍ରମଣ ଜୋରଦାର କରିଛି ଋଷ । ଗତକାଲି (ମଙ୍ଗଳବାର) ପୋଲଟାଭାରେ ଋଷର ରକେଟ ମାଡରେ ୫୧ ଲୋକଙ୍କ ଜୀବନ ଯାଇଛି । ଆଉ ଆଜି ମିଳିଥିବା ଖବର ଅନୁସାରେ, ପଶ୍ଚିମ ୟୁକ୍ରେନୀୟ ସହର ଲିଭିଭ୍ରେ ମିସାଇଲ ବର୍ଷା କରିଛି ଋଷୀୟ ସେନା । ଏଥିରେ ଗୋଟିଏ ପରିବାରର ୪ ସଦସ୍ୟଙ୍କ ସମେତ ମୋଟ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ନେଇ କହିଛନ୍ତି ଲିଭିଭ୍ର ମେୟର ଆଣ୍ଡ୍ରିଏ ସାଦୋଭି ।
ବୁଧବାର ସକାଳ ପାଖରୁ ସହରରେ ଲଗାତାର ସାଇରନ୍ ବାଜୁଛି । ସହରର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି । ଋଷର ଏହି ଆକ୍ରମଣରେ ଲିଭିଭ୍ର ବିଦ୍ୟାଳୟ, ହସ୍ପିଟାଲ ଏବଂ ବିଲ୍ଡିଂ ଧ୍ବଂସ ହୋଇଛି । ଲିଭିଭ୍ରେ ଆକ୍ରମଣ ପରେ ଋଷିଆକୁ ଜବାବ ଦେବାକୁ ଋଷ ପାଶ୍ଚାତ୍ୟ ସହଯୋଗୀଙ୍କୁ ଆହୁରି ସାମରିକ ସହାୟତା ଯୋଗାଇ ଦେବାକୁ ଅପିଲ କରିଛି । ଋଷର କୁର୍ସକ ଅଞ୍ଚଳରେ ୟୁକ୍ରେନ୍ ଆକ୍ରମଣ କରିବା ପରଠାରୁ ମସ୍କୋ ଆକ୍ରମଣ ଜୋରଦାର କରିଛି ।
ସେପଟେ ୟୁକ୍ରେନ୍ର ମନ୍ତ୍ରୀ କ୍ଲିମେଙ୍କୋ କହିଛନ୍ତି ଯେ, ଆକ୍ରମଣ ସ୍ଥାନରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଲିଭିଭ୍ ନାଟୋ ସଦସ୍ୟ ରାଷ୍ଟ୍ର ପୋଲାଣ୍ଡର ସୀମାବର୍ତ୍ତୀ ଅଞ୍ଚଳ । ଅଢ଼େଇ ବର୍ଷ ହେଲା ଜାରି ରହିଥିବା ଯୁଦ୍ଧରେ ଲିଭିଭ୍ ସହର ଧ୍ବଂସସ୍ତୁପରେ ପରିଣତ ହେବାକୁ ବସିଛି । ଲିଭିଭ୍ରେ ହୋଇଥିବା ସଦ୍ୟ ଆକ୍ରମଣରେ ଋଷ ସେନା ୧୩ଟି ମିସାଇଲ ଏବଂ ୨୯ଟି ଡ୍ରୋନ୍ ମାଡ କରିଛି । ୟୁକ୍ରେନୀୟ ସେନା ଦାବି କରିଛନ୍ତି ଯେ, ଏହା ଋଷର ୭ଟି ମିସାଇଲ ଏବଂ ୨୨ ଡ୍ରୋନ୍କୁ ମାରି ଖସାଇ ଦେଇଛି । ଅନ୍ୟପଟେ ଋଷକୁ ଏହାର ପ୍ରତିଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ ଶମିହାଲ ।