ନୂଆଦିଲ୍ଲୀ,୨୩।୧୧: ଦୀର୍ଘ ବର୍ଷ ପରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରିୟାଙ୍କା ଗାନ୍ଧୀ ଭଦ୍ରା। ଶନିବାର କେରଳ ଓ୍ବାଇନାଡ ଆସନରୁ ଭାରିମତରେ ଜିତିବା ପରେ ଲୋକସଭା ପାଇଁ ହୋଇଛନ୍ତି ନିର୍ବାଚିତ। ପ୍ରିୟଙ୍କା ୱାୟନାଡରେ ୪,୧୦,୯୩୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପ୍ରିୟଙ୍କା ଙ୍କୁ ୬,୨୨,୩୩୮ ଖଣ୍ଡ ଭୋଟ ମିଳିଥିବା ବେଳେ ଏଲଡିଏଫର ସତ୍ୟୟାନ ମୋକଇରି ୨,୧୧,୪୦୭ ଖଣ୍ଡ ଭୋଟ ପାଇଛନ୍ତି। ଏହା ସହ ପ୍ରିୟଙ୍କା ତାଙ୍କ ଭାଇ ରାହୁଙ୍କ ରେକର୍ଡ ଭାଙ୍ଗିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ବାପା ରାଜୀବ ଗାନ୍ଧୀଙ୍କ ସହ ନିର୍ବାଚନ ପ୍ରଚାରରେ ପ୍ରଥମେ ସେ ସାମିଲ ହୋଇଥିଲେ। ଏହାପରେ ଭାଇ ଓ ମା’ଙ୍କ ପାଇଁ ମଧ୍ୟ ବହୁବାର ଷ୍ଟାର କ୍ୟାମ୍ପେନର ଭାବରେ ଯାଇଛନ୍ତି। ହେଲେ ଏବେ ସଂସଦରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବେ। ଗାନ୍ଧୀ ପରିବାରରୁ ଏବେ ଏକାଠି ମା’-ପୁଅ ଏବଂ ଝିଅ ତିନି ଜଣ ପ୍ରତ୍ୟକ୍ଷ ରାଜନୀତି କରିବେ ।ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧି ଦଳ ନେତା ଥିବା ବେଳେ ସୋନିଆ ରାଜ୍ୟସଭା ସାଂସଦ ଅଛନ୍ତି।
ପ୍ରିୟଙ୍କା ଓ୍ବାଇନାଡରୁ ୬.୨ ଲକ୍ଷରୁ ଅଧିକ ଭୋଟ୍ ପାଇଛନ୍ତି। ଏହି ଆସନରେ ତାଙ୍କ ଭାଇ ରାହୁଲ ଗାନ୍ଧୀ ୩.୬୪ ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ। ପ୍ରିୟଙ୍କା ପ୍ରଥମ ଥିର କୌଣସି ଗୃହର ସଦସ୍ୟ ହୋଇଛନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସକ୍ରିୟା ରାଜନୀତିରେ ଓହ୍ଲାଇଥିଲେ। ଏହାପରେ ସେ ପାର୍ଟି ମହାସଚିବ ଦାୟିତ୍ବ ଗ୍ରହଣ କରିଥିଲେ।
ଲୋକସଭା ନିର୍ବାଚନର କିଛି ଦିନ ପରେ ଜୁନ୍ରେ କଂଗ୍ରେସ ଘୋଷଣା କରିଥିଲା, ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାୟବରେଲି ସଂସଦୀୟ କ୍ଷେତ୍ର ରଖିବେ ଓ କେରଳ ଓ୍ବାଇନାଡ ଆସନ ଖାଲି କରିଦେବେ, ଯେଉଁଠାରୁ ତାଙ୍କର ଭଉଣୀ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ଇନିଂସ ଆରମ୍ଭ କରିବେ। ପ୍ରିୟଙ୍କା ଅତୀତରେ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଚାଲିଥିଲା। ତାଙ୍କୁ ଗାନ୍ଧି ପରିବାରର ଗଡ଼ ରାୟବରେଲିରୁ ସୋନିଆଙ୍କ ଉତ୍ତରାଧିକାରବୋଲି କୁହାଯାଉଥିଲା ପ୍ରିୟଙ୍କା ନିଜର ରାଜାନୈତିକ ବୁଝାମଣା ଓ ତାଳମେଳ କରି ନିଷ୍ପତ୍ତି ନେବା ନେଇ ପରିଚିତ। ୨୦୧୭ ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମେଣ୍ଟ ଓ ଆସନ ବୁଝାମଣାରେ ପ୍ରିୟଙ୍କା ଗାନ୍ଧୀ ବଡ଼ ଭୂମିକା ଗ୍ରହଣ କରିଥିଲେ। ତେବେ ଏହି ମେଣ୍ଟକୁ ସଫଳତା ମିଳିନଥିଲା।
ପ୍ରିୟଙ୍କା କଂଗ୍ରେସ ପାଇଁ ଷ୍ଟାର ପ୍ରଚାରକ ଭୂମିକା ଗ୍ରହଣ କରନ୍ତି। ଏପର୍ଯ୍ୟନ୍ତ ତାଙ୍କର ନିର୍ବାଚନୀ ଗ୍ରାଫ୍ ଭଲ ଓ ଖରାପ ଉଭୟ ରହିଛି। ୨୦୨୨ ରେ ତାଙ୍କ ନେତୃତ୍ବରେ କଂଗ୍ରେସ ୟୁପିରେ ବିଶେଷ କିଛି ଖାସ୍ ପ୍ରଭାବ ପକାଇ ପାରିନଥିଲା। ମାତ୍ର ଅଢେଇ ପ୍ରତିଶତ ଭୋଟ୍ ସେୟାର ଓ ଦୁଇଟି ଆସନରେ ସୀମିତ ହୋଇଯାଇଥିଲା କଂଗ୍ରେସ। ତେବେ ଡିସେମ୍ବର ୨୦୨୨ ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଦାୟିତ୍ବ ସେ ନିଜ ହାତକୁ ନେଇଥିଲେ ଓ ଜୋରଦାର ଭାବରେ ପ୍ରଚାର କରିଥିଲେ। ଫଳରେ ସେଠାରେ କଂଗ୍ରେସ ସରକାର ଗଠନ ହୋଇଥିଲା। ପ୍ରିୟଙ୍କା ବହୁ ସମୟରେ କଂଗ୍ରେସ ପାଇଁ ସଙ୍କଟମୋଚକ ଭୂମିକା ଗ୍ରହଣ କରିଛନ୍ତି। ରାଜସ୍ଥାନରେ ସଚିନ ପାଇଲଟ ବିଦ୍ରୋହୀ ହେବାପରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସମାଧାନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।