ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଶ୍ରୀମନ୍ଦିର ଇତିହାସ: ୧୯୭୮ରେ ହୀରା ମାନ ଚିହ୍ନି ପାରିଲେନି ଜହୁରୀ, ବନ୍ଦ ହୋଇଥିଲା ଗଣତିମଣତି

ପୁରୀ,୦୯/୦୭: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୂଜା ଓ ଉପସନା ଆରମ୍ଭ ହେବା ପରଠାରୁ  ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ବଢ଼ିବାରେ  ଲାଗିଥିଲା । ଅଭିଲେଖ, ତାମ୍ରପଟା, ମାଦଳାପାଞ୍ଚି  ଓ ଅନ୍ୟ ଐତିହାସିକ ଉପାଦାନରୁ ଜଣାପଡ଼େ ଯେ  ଅତୀତରେ କେଶରୀ, ଗଙ୍ଗବଂଶ ନରପତିମାନଙ୍କଠାରୁ  ଆରମ୍ଭ କରି ସୂର୍ଯ୍ୟବଂଶୀ ମହାରାଜା କପିଳେନ୍ଦ୍ର  ଦେବ, ପୁରୁଷୋତ୍ତମ ଦେବ, ପ୍ରତାପରୁଦ୍ର ଦେବ  ଓ ଭୋଇବଂଶର ପ୍ରତିଷ୍ଠାତା ଗଜପତି ମହାରାଜା  ରାମଚନ୍ଦ୍ର ଦେବ(ପ୍ରଥମ) ପ୍ରମୁଖ ବହୁ ଗଜପତି  ମହାରାଜାମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିପୁଳ  ପରିମାଣର ଧନରତ୍ନ ଶ୍ରୀମନ୍ଦିର ଭଣ୍ଡାରକୁ ଦାନ  କରିଥିଲେ । 

ଏପରିକି ଭାରତବର୍ଷର ବିଭିନ୍ନ ଅଞ୍ଚଳର  ରାଜା, ମହାରାଜା, ଜମିଦାର, ନେପାଳ ନରେଶ ଓ  ତାଙ୍କ ରାଜପାର୍ଷଦବର୍ଗ ଅତୀତରେ ଶ୍ରୀଜିଉଙ୍କ ନିମନ୍ତେ  ଧନରତ୍ନ, ଦୁର୍ଲ୍ଲଭ ଶାଳଗ୍ରାମ(ବିଷ୍ଣୁଶିଳା) ଅର୍ପଣ  କରିଥିଲେ । ଯାହା ଭିତରେ ହୀରା, ନୀଳା, ମୋତି,  ମାଣିକ୍ୟ, ପୋଖରାଜ, ପ୍ରବାଳ, ମୁକ୍ତା ପ୍ରଭୃତି ଥିଲା ।  ମୋଗଲମାନେ ବାରମ୍ବାର ଶ୍ରୀମନ୍ଦିରକୁ ଆକ୍ରମଣ  କରି ରତ୍ନଭଣ୍ଡାରରୁ ବହୁ ରତ୍ନ ଅଳଙ୍କାର ଲୁଣ୍ଠନ  କରିଛନ୍ତି । ଏହାସତ୍ତେ୍ୱ ଶ୍ରୀମନ୍ଦିର  ରତ୍ନଭଣ୍ଡାରରେ ଅଜସ୍ର ରତ୍ନ  ଅଳଙ୍କାର ରହିଯାଇଥିଲା । 

ରତ୍ନଅଳଙ୍କାର ସମ୍ପର୍କରେ ପ୍ରବାଦ ରହିଛି  ୧୯୭୮ ମସିହାରେ ରତ୍ନ ଅଳଙ୍କାର ନିମନ୍ତେ  ଗୁଜୁରାଟର ଅହମ୍ମଦାବାଦରୁ ଦୁଇଜଣ ପ୍ରଖ୍ୟାତ  ଜହୁରୀ ଆସିଥିଲେ । ଜହୁରୀ କିଛି ହୀରା,  ବୈଦୁର୍ଯ୍ୟ, ମାଣିକ୍ୟ, ନୀଳା ଓ ରତ୍ନଜଡ଼ିତ ରତ୍ନ  ଅଳଙ୍କାରଗୁଡ଼ିକର ମୂଲ୍ୟାୟନ କରିବା ବେଳେ  ଗୋଟିଏ ଉଜ୍ଜ୍ୱଳ ଦିଶୁଥିବା ହୀରା ଉପରେ ତାଙ୍କର  ନଜର ପଡ଼ିଥିଲା । ଏହି ମୂଲ୍ୟବାନ ହୀରାକୁ  ମୂଲ୍ୟାୟନ କରିନପାରି ଜହୁରୀ ଦ୍ୱୟ ଏଭଳି ହୀରା  କ୍ୱଚିତ ଓ ଆକଳନ କରିବା ସେମାନଙ୍କ ପକ୍ଷେ  ସମ୍ଭବ ନୁହେଁ ବୋଲି ମତ ରଖିଥିଲେ । ଏକଥା ଶୁଣି  ସେମାନଙ୍କ ପାଖରେ ଉପସ୍ଥିତ  ଥିବା ରତ୍ନଭଣ୍ଡାର ସବ୍‌କମିଟି  ସଦସ୍ୟ ଭୀମସେନ ଗୋଚ୍ଛିକାର  ଓ ନରସିଂହ ଦାସ ମହାପାତ୍ର  ଚକିତ ହୋଇଯାଇଥିଲେ ।  ସେହିଠାରେ ହିଁ ରତ୍ନ ଅଳଙ୍କାର ଆକଳନ କାର୍ଯ୍ୟ  ବନ୍ଦ ରହିଥିଲା । 

ରତ୍ନଭଣ୍ଡାରକୁ ବାଉନକୋଟି ଭଣ୍ଡାର ବୋଲି  ମଧ୍ୟ କୁହାଯାଏ । ଅର୍ଥାତ୍‌ ଶହସ୍ରାଧିକ ବର୍ଷ ତଳେ  ଏହାର ମୂଲ୍ୟ ବାଉନକୋଟି ଅର୍ଥରାଶି ସହ ସମାନ  ଥିଲା । ଏହାକୁ ଅସରନ୍ତି ଭଣ୍ଡାର ବୋଲି ମଧ୍ୟ  କୁହାଯାଏ । ତେଣୁ ରତ୍ନଭଣ୍ଡାରରେ ରତ୍ନ, ଅଳଙ୍କାର  ଚିହ୍ନିବା ନିମନ୍ତେ ବଣିଆ ବା ଜହୁରୀ ଖୋଜିବା  ସବୁଠାରୁ ବଡ଼ ଚ୍ୟାଲେଞ୍ଚ ହେବ । 

୧୯୨୬ ମସିହାରେ ଯେତେବେଳେ ବ୍ରିଟିଶ  ଶାସନ ଥିଲା ସେତେବେଳେ ରତ୍ନଭଣ୍ଡାର  ଗଣତିମଣତି ରେକର୍ଡ ପ୍ରସ୍ତୁତ ହୋଇଥିଲା । ପରେ  ୧୯୭୮ ମସିହାରେ ଗଣତିମଣତି ହୋଇଥିଲା ।  ମାତ୍ର ଏହାପରେ ଦୁଇଥର ଆଂଶିକ ଗଣତିମଣତି  ୧୯୮୨ ଓ ୧୯୮୫ରେ ହୋଇଥିଲା । ୧୯୮୫  ପରେ ରତ୍ନଭଣ୍ଡାର ରତ୍ନ ଗଣତିମଣତି ଆଦୌ  ହୋଇନି । ତେଣୁ ୧୯୭୮ ମସିହାରେ ହୋଇଥିବା  ଗଣତିମଣତିର ରିପୋର୍ଟ ଆଧାରରେ ଆସନ୍ତା  ଗଣତିମଣତି ନିମନ୍ତେ ରୂପରେଖ କରାଯିବ ବୋଲି  କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.