ଭୁବନେଶ୍ୱର, ୧୩/୦୩: ଚାଳଘରେ ଚାଲିଥିଲା ଦେଶୀ ବନ୍ଧୁକ କାରଖାନା । ଖବର ପାଇ ଚଢାଉ କଲା କ୍ରାଇମ୍‌ବ୍ରାଞ୍ଚ ଏବଂ ଏସ୍‌ଟିଏଫ୍‌ ଟିମ୍‌ । ରେଡ୍‌ରେ ଜବତ ହେଲା ୪୦ରୁ ଅଧିକ ଦେଶୀ ବନ୍ଧୁକ ସହ ଅନ୍ୟାନ୍ୟ ସରଞ୍ଜାମ । ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ । କଟକ ବୟାଳିଶି ମୌଜାର ଧୁଳେଶ୍ୱର ଅଞ୍ଚଳରେ ଏହି ଚଢାଉ କରାଯାଇଛି । 

ସୂଚନା ମୁତାବକ, ଧୁଳେଶ୍ୱର ଅଞ୍ଚଳରେ ଏକ ଚାଳ ଘରେ ଦେଶୀ ବନ୍ଧୁକ ତିଆରି କାରଖାନା ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଏସ୍‌ଟିଏଫ୍‌ ଏବଂ କ୍ରାଇମ୍‌ବ୍ରାଞ୍ଚ । ଖବର ପାଇ ଉକ୍ତ କାଖାନାରେ ଉଭୟ ଟିମ୍‌ ଅତର୍କିତ ଚଢାଉ କରିଥିଲା । ରେଡ୍‌ କରିବା ବେଳେ ୪୦ରୁ ଅଧିକ ଦେଶୀ ବନ୍ଧୁକ ଜବତ କରିବା ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କଲା କ୍ରାଇମ୍‌ବ୍ରାଞ୍ଚ ଏବଂ ଏସ୍‌ଟିଏଫ୍‌ । ଏହା ସହ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଉକ୍ତ ସ୍ଥାନରେ ଏବେବି ଚଢାଉ ଜାରି ରହିଛି ବୋଲି ଏସ୍‌ଟିଏଫ୍‌ ଡିଆଇଜି ସୂଚନା ଦେଇଛନ୍ତି । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ଏବଂ ଏହି ଦେଶୀ ବନ୍ଧୁକ କେଉଁ ଅଞ୍ଚଳରେ ବିକ୍ରି ହେଉଥିଲା, ସେସବୁ ଜାଣିବା ପାଇଁ ତଦନ୍ତ କରୁଛି ଏସ୍‌ଟିଏଫ୍‌ ।

ଏହି ଖବରଟିକୁ ପଢନ୍ତୁ-ଭାରସାମ୍ୟ ହରାଇ ନୟନଜୋରୀକୁ ଓଲଟିଲା କୋଇଲା ବୋଝେଇ ଟ୍ରକ୍