ପ୍ରମୂଖ ଖବର

ସାହିଯାତକୁ ଆଉ ୧୫ ଦିନ...ଶ୍ରୀକ୍ଷେତ୍ରରେ ଖାଲଖମା ଭର୍ତ୍ତି ସାହିର ରାସ୍ତାଘାଟ, ନିଘୋଡ଼ ନିଦ୍ରାରେ ପ୍ରଶାସନ

Published By : Prameya | March 23, 2025 12:12 PM

ପୁରୀ,୨୩/୦୩: ହାତଗଣତି କିଛି ଦିନ ପରେ  ସାହିଯାତ । ହେଲେ ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ନାହିଁ  କି ତତ୍ପରତା ନାହିଁ । ମନ୍ଦିର ପାଖ ସାହି ରାସ୍ତା ସେମିତି ଖାଲ ଢିପ ହୋଇପଡ଼ିଛି । କେଉଁଠି ପେଭର ବ୍ଲକ୍‌  ଉଠିଗଲାଣି ତ କେଉଁଠି ଅଳିଆ ପାହାଡ଼ ଭଳି ରାସ୍ତା  କଡ଼ରେ ଗଦା ହୋଇଛି । ସାହିଯାତ ପାଇଁ ପ୍ରତ୍ୟେକ  ପୁରୀବାସୀ ଉନ୍ମାଦ ଉତ୍କଣ୍ଠାର ସହ ଦିନ ଗଣୁଛନ୍ତି । ୧୫  ଦିନବ୍ୟାପୀ ପୁରୀକୁ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ  ପରିଣତ କରିବାକୁ ଲକ୍ଷଲକ୍ଷ ଲୋକ ପ୍ରତୀକ୍ଷା କରି  ରହିଛନ୍ତି । ହେଲେ ଏନେଇ ପ୍ରସ୍ତୁତି କରିବାକୁ ପ୍ରଶାସନ  ନିଜ ଆଡୁ ବୈଠକଟିଏ ଡାକିବାକୁ ମଧ୍ୟ ଉଚିତ ଭାବୁନି ।  

ସାହିଯାତ ପାଇଁ ପ୍ରସ୍ତୁତି କରିବାକୁ ପ୍ରଶାସନିକ ସ୍ତରରେ କୌଣସି ବୈଠକ ଡକାନଯିବାରୁ ଆଠ ସାହି ଆଖଡ଼ା ମିଳିତ ସମନ୍ୱୟ କମିଟି ବାଧ୍ୟ ହୋଇ ଗତ ଗୁରବାର ଏକ ବୈଠକ କରିବାକୁ ପ୍ରଶାସନକୁ ଚିଠି କରିଥିଲା । ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର  ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟ ପକ୍ଷରେ  ବିଭିନ୍ନ ସାହିର ମୁରବି ମଧ୍ୟ ଉପସ୍ଥିତ ରହିଥିଲେ ।  ବିଭିନ୍ନ ସାହି ପକ୍ଷରୁ ଅଧିକାରୀଙ୍କ ନିକଟରେ ଅନେକ ଦାବି ଉପସ୍ଥାପନ କରାଯାଇଥିଲା । ସାହି ରାସ୍ତା  ମରାମତି କରିବା ଏବଂ ସାହିଯାତ ପାଇଁ ଅନୁଦାନ  ରାଶି ପ୍ରଦାନ କରିବା ବୈଠକରେ ମୁଖ୍ୟ ଦାବି ଥିଲା ।  ତେବେ ଅନୁଦାନ ରାଶି ବାବଦରେ ଚିଠି କରାଯିବ  କହି ଜିଲ୍ଲାପାଳ ନିଜ ଦାୟିତ୍ୱ ଖସେଇ ଥିବା ବେଳେ  ସାହିଯାତ ପୂର୍ବରୁ ରାସ୍ତା ମରାମତି ହେବ କହି ପୌର  ନିର୍ବାହୀ ଅଧିକାରୀ ନିଜ ଦାୟିତ୍ୱ ଖସେଇଥିଲେ । ହେଲେ  ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତା ଶୂନ ରହିଛି । 

ସାହିଯାତକୁ ଆହୁରି ଭବ୍ୟଢଙ୍ଗରେ କରିବାକୁ ଅର୍ଥ  ସବୁଠାରୁ ବଡ଼ ସମସ୍ୟା ସାଜିଥିବାରୁ ଅତିକମ୍‌ରେ ୫୦  ଲକ୍ଷ ଟଙ୍କା ଦେବାକୁ କମିଟି ପକ୍ଷରୁ ଦାବି ହୋଇଛି । କିନ୍ତୁ  ସାହିଯାତକୁ ୧୫ ଦିନରୁ କମ୍‌ ସମୟ ବାକି ଥିବାରୁ ଏହି  ଦାବି ପୂରଣ ହେବାର ସମ୍ଭାବନା ଖୁବ କମ୍‌ ରହିଛି । ସାହିଯାତରେ ଶ୍ରୀମନ୍ଦିରର ଆଖପାଖରେ ଥିବା ସାହିଗୁଡ଼ିକ  ମୁଖ୍ୟ ଭୂମିକା ତୁଲାଇଥାଏ । ହେଲେ ଅନେକ ସାହିର  ରାସ୍ତା ଚାଲିବା ସ୍ଥିତିରେ ନାହିଁ । ବାଲି ସାହି ମୁଖ୍ୟ ରାସ୍ତା  ବିପର୍ଯ୍ୟସ୍ତ ସ୍ଥିତିରେ ଅଛି । କେତେକ ସ୍ଥାନରେ ପୁରୀ  ପୌରସଂସ୍ଥା ପକ୍ଷରୁ ରାସ୍ତା ମରାମତି ହୋଇନଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଗ୍ୟାସ୍‌ ପାଇପ୍‌ ଓ  ଭୂତଳ ବିଦ୍ୟୁତ୍‌ ତାର ନେବା ପାଇଁ ରାସ୍ତାକୁ ଖୋଳି  ସେମିତି ଛାଡ଼ି ଦିଆଯାଇଛି । ସ୍ୱେରେଜ ସଂଯୋଗ ପାଇଁ ମଧ୍ୟ  ଅନେକ ଲୋକ ରାସ୍ତା ଖୋଳି ସେମିତି ଛାଡ଼ି ଦେଉଛନ୍ତି ।ଲୋକନାଥ ରୋଡ୍‌ ଓ ବାସେଳୀ ସାହିରେ ନଳା କାମ ପାଇଁ  ରାସ୍ତା ଖାଲଖମାରେ ଭରିରହିଛି । ଦୋଳମଣ୍ଡପ ସାହିର  ରାସ୍ତା ମଧ୍ୟ ଭଲ ନାହିଁ। ମାର୍କଣ୍ଡେଶ୍ୱର ସାହି ସଂଲଗ୍ନ  ଛୋଟ ଛୋଟ ଗଳିକନ୍ଦିରେ ନଳା ଓ ରାସ୍ତା କାମଚାଲିଛି ।  

ସୂଚନାଥାଉକି, ଆସନ୍ତା ୬ ତାରିଖରେ କାଳିକାଦେବୀ ସାହି ପକ୍ଷରୁ ରାମଜନ୍ମ ନୀତି ଅନୁଷ୍ଠିତ ହେବ । ୭ରେ  ଯଜ୍ଞରକ୍ଷା ନୀତି, ୮ ରେ ପର୍ଶୁରାମ କଳାହରଣ ନୀତି,  ୯ରେ ବନବାସ ନୀତି, ୧୧ରେ ସୀତାଚୋରି ନୀତି, ୧୨ରେ  ଲଙ୍କା ପୋଡ଼ି ନୀତି ଏବଂ ୧୩ ତାରିଖରେ ସେତୁବନ୍ଧ ନୀତି  ହେବ । ୧୪ ତାରିଖରେ ରାବଣ ବଧ ନୀତି ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.