ନୟାଗଡ, ୧୭।୧୨ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ୨୦୨୫ ପାଇଁ ଆଜି ଠାରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି। ନୟାଗଡ଼ ଜିଲା ଗଣିଆ ବ୍ଲକ ବଡ଼ମୁଳ ନିକଟସ୍ଥ ବଡରାଉଳ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ କଟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ,ମହାପ୍ରସାଦ , ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ନୟାଗଡ଼ ବନବିଭାଗ ଜରିଆରେ ଏକ ପ୍ରତିନିଧିଦଳ ମା’ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପହଞ୍ଚିବା ପରେ ଜଗନ୍ନାଥଦଳ ତରଫରୁ ସନ୍ଥସେବକ ଲଳିତ ଦାସଙ୍କ ନେତୃତ୍ୱରେ ନାମସଂକୀର୍ତନ ଦ୍ବାରା ପାଛୋଟି ନେଇଥିଲେ ।
ଶ୍ରୀମନ୍ଦିରର ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ଠାରୁ ନୟାଗଡ଼ ଡିଏଫଓ ଲାଗିମାଳ ଓ ମାହାର୍ଦ୍ଦ ଗ୍ରହଣ କରିଥିଲେ । ନୟାଗଡ଼ ବନଖଣ୍ଡରୁ ରଥକାଠ କଟା ପର୍ବ ଆରମ୍ଭ ହୋଇ ଆଗାମୀ ସରସ୍ୱତୀ ପୂଜା ପୂର୍ବରୁ ପ୍ରଥମ ରଥକାଠ ପୁରୀରେ ପହଞ୍ଚିଥାଏ ।ପରମ୍ପରା ଅନୃଯାୟୀ ପୂଜାର୍ଚ୍ଚନା ଓ ହୋମ କାର୍ଯ୍ଯ କରାଯାଇ ଠାକୁରାଣୀଙ୍କ ପିଠରୁ ଆଜ୍ଞାମାଳ ନିଆଯାଇ ରଥ ନିର୍ମାଣ ନିମିତ୍ତ ଧଉରା ୪୨୦ଖଣ୍ଡ , ଅସନ ୩୧୯ଖଣ୍ଡ , ସିମିଳି ୩ଖଣ୍ଡ ଓ ଫାସୀ ୭୨ଖଣ୍ଡ ପ୍ରଜାତିର ରଥକାଠ ବୁଧବାର ଠାରୁ ଚିହ୍ନଟ କରିବାର କାର୍ଯ୍ୟକ୍ରମ ରହିଛି । ଏଥିମଧ୍ୟରୁ କିଛି କାଠ ଚିହ୍ନଟ ହୋଇସାରିଥିବା ଡିଏଫଓ ସୂଚନା ଦେଇଛନ୍ତି । ଚଳିତ ବର୍ଷ ୩ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଦରକାର ହେଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୫୧ ଖଣ୍ଡ କାଠ ବଳକା ରହିଛି । ଚଳିତ ବର୍ଷ ଆଉ ୮୧୪ ଖଣ୍ଡ କାଠର ଆବଶ୍ୟକତା ଥିବାରୁ ଏହିକାଠ ନୟାଗଡ଼ ବନଖଣ୍ଡ ତରଫରୁ ଯୋଗାଇଦିଆଯିବ । ମା ବଡ଼ରାଉଳଙ୍କ ପୀଠରେ ଏହି ପୁଜାର୍ଚନା କାର୍ଯ୍ଯକ୍ରମରେ ଜିଲା ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀଙ୍କ ସମେତ ଅନ୍ୟ ବନବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ରହିଥିଲେ ।