ନୂଆଦିଲ୍ଲୀ, ୨।୮: ସାଧାରଣତଃ ବସ୍, ଟ୍ରେନ୍ ଭଳି ସର୍ବସାଧାରଣ ଯାନରେ ଯାତ୍ରା କରିବାକୁ ହେଲେ ଟିକେଟ୍ ଦେବାକୁ ପଡ଼ିଥାଏ । ବିନା ଟିକେଟ୍ରେ ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିନଥାଏ । କିନ୍ତୁ, ଏମିତି କିଛି ସ୍ଥାନ ବିଷୟରେ ଶୁଣିଛନ୍ତି କି ? ଯେଉଁଠାରେ ଆପଣ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ । ବିଶ୍ୱାସ ହେଉନି ନା, କିନ୍ତୁ ଏହା ସତ । ବିଶ୍ୱରେ ଏପରି ଏକ ସ୍ଥାନ ରହିଛି ଯେଉଁଠି, ଲୋକମାନେ ବିନା କୌଣସି ମୂଲ୍ୟରେ ଟ୍ରେନ୍ ତଥା ବସ୍ରେ ଯାତ୍ରା କରିଥାନ୍ତି । ପଶ୍ମିମ ୟୁରୋପର ଲକଜମବର୍ଗ । ଯେଉଁଠାରେ ଯାତ୍ରୀମାନେ ସମ୍ପୂର୍ଣ୍ଣ ମାଗଣାରେ ସର୍ବସାଧାରଣ ଟ୍ରେନ୍ ଓ ବସ୍ରେ ଯାତ୍ରା କରିଥାନ୍ତି । ଲକଜମବର୍ଗ ଦେଶର ଧନୀ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ । ଯାହା ମାଗଣାରେ ପରିବହନ ଯୋଗାଉଥିବା ବିଶ୍ୱର ପ୍ରଥମ ଦେଶ ଭାବେ ପରିଚିତ । ଏଠାରେ ମାର୍ଚ୍ଚ ୨୦୨୦ ମସିହାରୁ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଯାନଗୁଡ଼ିକ ମାଗଣା କରିଦିଆଯାଇଛି ।
ସେହିପରି ଲକଜମବର୍ଗ ଧନୀ ଦେଶ ହୋଇଥିବାରୁ ଏଠାରେ ଲୋକଙ୍କ ପାଖରେ ବହୁ ବିଳାସମୟ କାର୍ ରହିଛି । ଏଥିଯୋଗୁଁ ଏଠାରେ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଲାଗିରୁହେ । ଏଠାରେ ଅଧିକ ଗାଡ଼ି ସଂଖ୍ୟା ବୃଦ୍ଧି ପାଇବାରୁ ଏହା ପରିବେଶ ପାଇଁ କ୍ଷତିକାରକ ହୋଇପାରେ । ଏଠାକାର ସରକାର ଏ ସମସ୍ୟାର ସମାଧାନର ବାଟ ଖୋଜିଲେ । ତେଣୁ ସର୍ବସାଧାରଣ ପରିବହନକୁ ଉନ୍ନତମାନର କରିବା ସଙ୍ଗେ ସଙ୍ଗେ ଯାତ୍ରୀମାନଙ୍କ ପାଇଁ ମାଗଣା ପରିବହନ ବ୍ୟବସ୍ଥା ଆରମ୍ଭ କଲେ । ତେବେ ଏହି ସୁବିଧା କେବଳ ଦେଶର ନାଗରିକଙ୍କ ପାଇଁ ନୁହେଁ, ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଉପଲବ୍ଧ ରହିଛି ।
ଏଠାରେ ପର୍ଯ୍ୟଟକଙ୍କୁ ବସ୍ କିମ୍ୱା ଟ୍ରେନ୍ରେ ଯାତ୍ରା କରିବା ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିନଥାଏ । ଏହା ପୂର୍ବରୁ ଦେଶରେ ବସ୍ ଓ ଟ୍ରେନ୍ ଟିକେଟରୁ ୭୩ କୋଟି ଟଙ୍କା ରୋଜଗାର ହେଉଥିଲା । ଯଦିଓ ଏଠାରେ ବସ୍ ଓ ଟ୍ରେନ୍ରେ ଯାତ୍ରା କରିବା ମାଗଣା ହୋଇଥାଏ, କିନ୍ତୁ ଜଣେ ଫାଷ୍ଟକ୍ଲାସ୍ରେ ଯାତ୍ରା କରିବାକୁ ଚାହୁଁଥିଲେ, ଏଥିପାଇଁ ଟିକେଟ କରିବାକୁ ପଡ଼ିଥାଏ । ଏକ ରିପୋର୍ଟ ଅନୁସାରେ, ୨୦୨୩ରେ ଲକଜମବର୍ଗର ଜନସଂଖ୍ୟା ୬ ଲକ୍ଷରୁ ଉର୍ଦ୍ଧ୍ୱ ରହିଥିବାବେଳେ ଗାଡ଼ି ସଂଖ୍ୟା ୪ ଲକ୍ଷରୁ ଉର୍ଦ୍ଧ୍ୱ ଥିଲା ।