ଭୁବନେଶ୍ବର, ୨୯।୯ : ମନ କୀ ବାତ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ହେବାର ବିଶେଷ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତୃଭାଷା, ଲିପି, କଥିତ ଭାଷ ଉପରେ ଚର୍ଚ୍ଚା କରିବା ସହ ଜନଜାତି ସମୁଦାୟକଙ୍କ କଥିତ ଭାଷା ସାନ୍ତାଳୀର ପ୍ରଚାର ପ୍ରସାର କରୁଥିବା ମୟୂରଭଞ୍ଜ ଜିଲ୍ଲାର ରାମଜୀତ ଟୁଡୁଙ୍କ ବିଷୟରେ ଆଲୋଚନା କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ରାମଜୀତଙ୍କ କାର୍ଯ୍ୟ ସୃଜନଶୀଳତାର ଏକ ପ୍ରତୀକ। ସାନ୍ତାଳି ଭାଷାରେ ଲିଭି ଅଲି ଚିକିରେ ମୋବାଇଲ ଟାଇପ୍ କରିବାର କୌଶଳକୁ ବିକଶିତ କରିଥିବାରୁ ରାମଜୀତଙ୍କୁ ଧନ୍ୟବାଦ। ଆଜି ତାଙ୍କ ପ୍ରୟାସରେ ସାନ୍ତାଳୀ ଭାଷାରେ ଲେଖାଯାଉଥିବା ଲେଖାଗୁଡିକ ଲୋକଙ୍କ ପାଖରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାନ୍ତାଳୀ ଭାଷା ସମେତ ଅନେକ ଜନଜାତି ଭାଷାରେ ବର୍ଣ୍ଣମାଳ ପୁସ୍ତକ ପ୍ରକାଶିତ ହୋଇଛି।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ବିଗତ ବର୍ଷମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ବଚ୍ଛତା, ଜଳସଂରକ୍ଷଣ, ଆତ୍ମନିର୍ଭର ଭାରତ, ବେଟି ବଚାଓ-ବେଟି ପଢାଓ, ହରଘର ତ୍ରିରଙ୍ଗା ଓ ଜଳସେଚ ଅଭିଯାନ ଏବଂ ସାମାଜିକ ପରିବର୍ତ୍ତନ ପ୍ରସଙ୍ଗ ମନ କି ବାତ କାର୍ଯ୍ୟକ୍ରମରେ ଉଠାଇଛନ୍ତି। ମନ କି ବାତ କେବଳ ଏକ ରେଡିଓ କାର୍ଯ୍ୟକ୍ରମରେ ସୀମିତ ହୋଇ ରହି ନାହିଁ। ପ୍ରଧାନସେବକଙ୍କୁ ଜନସାଧାରଣଙ୍କ ସହ ଯୋଡିବାର ଏକ ବଡ ମାଧ୍ୟମ ହୋଇଛି।