ଭୁନେବଶ୍ବର, ୨୨/୦୮: ନବୀନ ନିବାସରେ ପ୍ରେମ୍ ପଟ୍ଟନାୟକ । ବଡ଼ଭାଇ ପ୍ରେମ୍ ପଟ୍ଟନାୟକ ନବୀନ ନିବାସରେ ପହଞ୍ଚିଛନ୍ତି । ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା କଥା ବୁଝିବାକୁ ଆସିଥିବା ସୂଚନା । ପ୍ରେମ ପଟ୍ଟନାୟକଙ୍କ ଗସ୍ତକୁ ନେଇ ବିଜେଡି ଚଳଚଞ୍ଚଳ । କେବଳ ସାନ ଭାଇଙ୍କୁ ଦେଖା କରିବାକୁ ଆସିଛନ୍ତି ନା ଅନ୍ୟକିଛି ରାଜନୈତିକ ଉଦ୍ଦେଶ୍ୟ ଅଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି ।
ସାନ ଭାଇ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଭୁବନେଶ୍ୱର ଆସିଛନ୍ତି ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ । ନବୀନ ନିବାସରେ ପହଞ୍ଚି ଭେଟିଛନ୍ତି ସାନ ଭାଇ ନବୀନଙ୍କୁ । ବିଜେଡିର ବହୁ ନେତା ମଧ୍ୟ ନବୀନଙ୍କୁ ଭେଟିଛନ୍ତି । ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତରୀ ଟିମ୍ ଆଜି ନବୀନ ନିବାସ ଆସିଛନ୍ତି । ଏହି ଡାକ୍ତରୀ ଟିମ୍ ସହ ନବୀନ ଓ ତାଙ୍କ ବଡ଼ ଭାଇ ପ୍ରେମ ଆଲୋଚନା କରିଛନ୍ତି । ଏହି ସମୟରେ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ସାନ ଭାଇ ନବୀନଙ୍କୁ ଦେଖିବାକୁ ବଡ଼ ଭାଇ ପ୍ରେମ ପତ୍ନୀଙ୍କ ସହ ନବୀନ ନିବାସ ଆସିଥିବା ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ସୂଚନା ଦେଇଛନ୍ତି । ନବୀନ ସୁସ୍ଥ ହୋଇ ଘରକୁ ଫେରିବା ପରେ ନିୟମିତ ତାଙ୍କୁ ଭେଟିବାକୁ ନେତା ଓ ଶୁଭେଚ୍ଛୁ ନବୀନ ନିବାସ ଆସୁଛନ୍ତି ।
ଶୁକ୍ରବାର ବିଜେଡିର ବହୁ ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଛନ୍ତି । ବରିଷ୍ଠ ନେତା ଦେବୀ ମିଶ୍ର, ଗଣେଶ୍ୱର ବେହେରା, ନିରଞ୍ଜନ ପୂଜାରୀ, ରଜନୀକାନ୍ତ ସିଂ, ମନ୍ମଥ ରାଉତରାୟ ପ୍ରମୁଖ ନବୀନଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ଗଣମାଧ୍ୟମକୁ ଗଣେଶ୍ୱର କହିଛନ୍ତି, ନବୀନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଦଳର କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ସେ ଆଲୋଚନା କରିଥିଲେ । ପରାମର୍ଶ ମଧ୍ୟ ଦେଇଥିଲେ ଯେ, ସଜାଗ ରୁହ । ସଦାବେଳେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କର । ଜନହିତକର କାର୍ଯ୍ୟକ୍ରମ ଜାରି ରଖ ।
ଏପଟେ ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି, ପ୍ରେମ୍ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭଲ ସମ୍ପର୍କ । ତେଣୁ ସାନଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ସେ ନବୀନ ନିବାସ ଆସିଛନ୍ତି । ଏହାଛଡ଼ା ରାଜ୍ୟ ରାଜନୀତି ବିଷୟରେ ମଧ୍ୟ ଆଲୋଚନା ହେବ । ଓଡ଼ିଶା ରାଜନୀତି ଏହା ଗୁରୁତ୍ବପୂର୍ଣ୍ଣ ସମୟ । ଓଡ଼ିଶା ରାଜନୀତିରେ ବିଜେଡି କେମିତି ଆଗକୁ ବଢିବ ସେନେଇ ଆଲୋଚନା ହେବ । କେଉଁଠି କ'ଣ ତ୍ରୁଟି ଅଛି ସେନେଇ ମଧ୍ୟ ଆଲୋଚନା ହେବ । ଦେଶ ଓ ରାଜ୍ୟ ସ୍ତରର ରାଜନୈତିକ ଆଲୋଚନା ହେବ । ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେଲାଣି । ପ୍ରେମ୍ ପଟ୍ଟନାୟକ କେତେଦିନ ରହିବେ ସେନେଇ ଏବେ ସୂଚନା ନାହିଁ ବୋଲି ମନ୍ମଥ କହିଛନ୍ତି ।
ସୂଚନା ଅନୁଯାୟୀ, ରବିବାର ସଂଧ୍ୟାରେ ନବୀନ ପଟ୍ଟନାୟକ ଡିହାଇଡ୍ରେସନ୍ ଯୋଗୁଁ ଅସୁସ୍ଥ ହୋଇ ସମ୍ ଅଲଟିମେଟ୍ ମେଡିକେୟାରରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହେବା ପରେ ବୁଧବାର ସଂଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ଏବଂ ଏହି ସମୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ।