ଆନନ୍ଦପୁର,୨୬/୦୯: ଗାଁ ପୋଖରୀରେ ବୁଡ଼ି ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ଦାନ୍ତିଆ ଗାଁର ବିନ ବେହେରା ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଡିକାଶୁଳବାହାଳି ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗୁରୁବାର ସକାଳୁ ବିନ ତାଙ୍କ ଘର ନିକଟସ୍ଥ ଖଡିକାଶୁଳବାହାଳି ଗାଁରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ତାଙ୍କ ଗୋଡ଼ ଖସିଯିବାରୁ ସେ ଭାରସାମ୍ୟ ହରାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଏହି ସମୟରେ ପୋଖରୀ ନିକଟରେ କେହି ନଥିବାରୁ ଘଟଣା ସମ୍ପର୍କରେ କେହି ଜାଣି ପାରିନଥିଲେ । ତେବେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘରଲୋକେ ସନ୍ଦେହ କରି ପୋଖରୀରେ ଖୋଜାଖୋଜି କରିଥିଲେ । ସେଠାରୁ ପରିବାର ଲୋକେ ବିନଙ୍କ ମୃତଦେହ ଉଦ୍ଧାର କରିଥିଲେ । ପରେ ଏହି ଘଟଣା ସମ୍ୱନ୍ଧରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।