ନୂଆଦିଲ୍ଲୀ,୨୭/୦୩: ସଂଶୋଧିତ ବ୍ୟାଙ୍କିଙ୍ଗ୍‌ ଆଇନ-୨୦୨୪ ସଂସଦରେ ପାସ୍‌ ହୋଇଯାଇଛି । ଏହା  ଅଧୀନରେ ବ୍ୟାଙ୍କ୍‌ ଆକାଉଣ୍ଟଧାରୀ ୪  ଜଣ ପର୍ଯ୍ୟନ୍ତ ନୋମିନି ରଖିପାରିବେ । ବାଚନିକ ଭୋଟ୍‌ରେ ରାଜ୍ୟ ସଭାରେ  ଏହାକୁ ମଞ୍ଜୁରି ମିଳିଛି । 

ଏହା ଉପରେ  ପ୍ରଶ୍ନୋତ୍ତର କାଳରେ ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ କହିଛନ୍ତି ଯେ, ଯଦିଓ  ଅନାଦାୟ ଋଣ ପରିସମ୍ପତ୍ତି(ଏନ୍‌ପିଏ)  ବୃହତ୍‌ ମାତ୍ରାରେ ଖସିଛି,ସରକାର  ଉଦ୍ଦେଶ୍ୟମୂଳକ ଋଣ ଖିଲାପକାରୀଙ୍କ  ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ  ନେବାକୁ ପ୍ରତିଶ୍ରୁତିବଦ୍ଧ । ଅର୍ଥମନ୍ତ୍ରୀ କହିଲେ ଯେ, ଗତ  ୫ ବର୍ଷରେ ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ(ଇଡି) ବ୍ୟାଙ୍କ  ଠକେଇ ସଂକ୍ରାନ୍ତ ପ୍ରାୟ ୧୧୨ଟି  ମାମଲାକୁ ହାତକୁ ନେଇଛି ।  ଋଣ ରାଇଟ୍‌ ଅଫ୍‌ର ଅର୍ଥ ନୁହେଁ  ଋଣ ଛାଡ଼ । ଋଣ ଅସୁଲି ପାଇଁ  ବ୍ୟାଙ୍କଗୁଡ଼ିକ ସବୁ ପ୍ରକାର ଉଦ୍ୟମ  କରିବେ । ଗତ ଆର୍ଥିକବର୍ଷ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସର୍ବାଧିକ ୧.୪୧ ଲକ୍ଷ  କୋଟି ଟଙ୍କାର ଲାଭ ହାସଲ କରିଥିବା  ଅର୍ଥମନ୍ତ୍ରୀ କହିଛନ୍ତି । 

୨୦୨୫-୨୬ରେ  ବି ଏହା ଆହୁରି ବଢ଼ିବ  ବୋଲି ସୀତାରମଣ ଦୃଢ଼  ଆଶାବ୍ୟକ୍ତ କରିଛନ୍ତି ।  ୨୦୨୪ରେ ଲୋକ ସଭାରେ  ଏହି ଆଇନ ଗୃହିତ  ହୋଇଥିଲା । ନୂଆ ଆଇନରେ ସମବାୟ  ବ୍ୟାଙ୍କଗୁଡ଼ିକରେ ନିର୍ଦ୍ଦେଶକ(ଅଧ୍ୟକ୍ଷ  ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକଙ୍କ  ବ୍ୟତୀତ)ମାନଙ୍କ କାର୍ଯ୍ୟକାଳ ବୃଦ୍ଧି  ନେଇ ପ୍ରସ୍ତାବ ରହିଛି । ଏହା ବର୍ତ୍ତମାନ  ୮ ବର୍ଷ ଥିବାବେଳେ ଏହାକୁ ୧୦ ବର୍ଷକୁ  ବଢ଼ାଯିବ । ଅଡିଟରମାନଙ୍କୁ କେତେ ପାରିଶ୍ରମିକ ଦିଆଯିବ ତାହାକୁ ନେଇ  ବ୍ୟାଙ୍କଗୁଡ଼ିକ ନିଷ୍ପତ୍ତି ନେଇପାରିବେ ।  ନୂଆ ଆଇନରେ ବ୍ୟାଙ୍କଗୁଡ଼ିକୁ ଏ  ସ୍ୱାଧୀନତା ମିଳିବ ।