ନୂଆଦିଲ୍ଲୀ,୨୭/୦୩: ସଂଶୋଧିତ ବ୍ୟାଙ୍କିଙ୍ଗ୍ ଆଇନ-୨୦୨୪ ସଂସଦରେ ପାସ୍ ହୋଇଯାଇଛି । ଏହା ଅଧୀନରେ ବ୍ୟାଙ୍କ୍ ଆକାଉଣ୍ଟଧାରୀ ୪ ଜଣ ପର୍ଯ୍ୟନ୍ତ ନୋମିନି ରଖିପାରିବେ । ବାଚନିକ ଭୋଟ୍ରେ ରାଜ୍ୟ ସଭାରେ ଏହାକୁ ମଞ୍ଜୁରି ମିଳିଛି ।
ଏହା ଉପରେ ପ୍ରଶ୍ନୋତ୍ତର କାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଯଦିଓ ଅନାଦାୟ ଋଣ ପରିସମ୍ପତ୍ତି(ଏନ୍ପିଏ) ବୃହତ୍ ମାତ୍ରାରେ ଖସିଛି,ସରକାର ଉଦ୍ଦେଶ୍ୟମୂଳକ ଋଣ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତିବଦ୍ଧ । ଅର୍ଥମନ୍ତ୍ରୀ କହିଲେ ଯେ, ଗତ ୫ ବର୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବ୍ୟାଙ୍କ ଠକେଇ ସଂକ୍ରାନ୍ତ ପ୍ରାୟ ୧୧୨ଟି ମାମଲାକୁ ହାତକୁ ନେଇଛି । ଋଣ ରାଇଟ୍ ଅଫ୍ର ଅର୍ଥ ନୁହେଁ ଋଣ ଛାଡ଼ । ଋଣ ଅସୁଲି ପାଇଁ ବ୍ୟାଙ୍କଗୁଡ଼ିକ ସବୁ ପ୍ରକାର ଉଦ୍ୟମ କରିବେ । ଗତ ଆର୍ଥିକବର୍ଷ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସର୍ବାଧିକ ୧.୪୧ ଲକ୍ଷ କୋଟି ଟଙ୍କାର ଲାଭ ହାସଲ କରିଥିବା ଅର୍ଥମନ୍ତ୍ରୀ କହିଛନ୍ତି ।
୨୦୨୫-୨୬ରେ ବି ଏହା ଆହୁରି ବଢ଼ିବ ବୋଲି ସୀତାରମଣ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି । ୨୦୨୪ରେ ଲୋକ ସଭାରେ ଏହି ଆଇନ ଗୃହିତ ହୋଇଥିଲା । ନୂଆ ଆଇନରେ ସମବାୟ ବ୍ୟାଙ୍କଗୁଡ଼ିକରେ ନିର୍ଦ୍ଦେଶକ(ଅଧ୍ୟକ୍ଷ ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକଙ୍କ ବ୍ୟତୀତ)ମାନଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ପ୍ରସ୍ତାବ ରହିଛି । ଏହା ବର୍ତ୍ତମାନ ୮ ବର୍ଷ ଥିବାବେଳେ ଏହାକୁ ୧୦ ବର୍ଷକୁ ବଢ଼ାଯିବ । ଅଡିଟରମାନଙ୍କୁ କେତେ ପାରିଶ୍ରମିକ ଦିଆଯିବ ତାହାକୁ ନେଇ ବ୍ୟାଙ୍କଗୁଡ଼ିକ ନିଷ୍ପତ୍ତି ନେଇପାରିବେ । ନୂଆ ଆଇନରେ ବ୍ୟାଙ୍କଗୁଡ଼ିକୁ ଏ ସ୍ୱାଧୀନତା ମିଳିବ ।