ନୂଆଦିଲ୍ଲୀ,୨୭/୦୯: ପାକିସ୍ତାନରେ ଖାଇବର ପାଖତୁନଖ୍ୱା ପ୍ରଦେଶରେ ବିସ୍ଫୋରଣ । ଗୁରୁବାର ଦିନ ଖାଇବର ପାଖ୍ଟନଖୱା ସ୍ଥିତ ଏକ ପୋଲିସ ଷ୍ଟେସନରେ ହୋଇଥିଲା ବିସ୍ଫୋରଣ । ଯେଉଁଥିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ତେବେ ଏହି ବିସ୍ଫୋରଣ ଆତଙ୍କବାଦୀ ବିସ୍ଫୋରଣ ନୁହେଁ ବୋଲି ପୋଲିସ କହିଛି। ଏହି ଘଟଣା ଉତ୍ତର-ପଶ୍ଚିମ ପାକିସ୍ଥାନ ଅଞ୍ଚଳର ପେଶୱାର ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ପୋଲିସ ଷ୍ଟେସନରେ ଘଟିଛି।
ତେବେ କେନ୍ଦ୍ରୀୟ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ପୋଲିସ୍ ଷ୍ଟେସନର ପ୍ରଥମ ମହଲାରେ ଥିବା ଏକ ଡିପୋ ଭିତରେ “ସର୍ଟ ସର୍କିଟ” ଯୋଗୁଁ ଏହି ବିସ୍ଫୋରଣ ଘଟିଛି। ଏହି ଘଟଣା ପରେ ଉଦ୍ଧାର ଓ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ପୋଲିସ କର୍ମଚାରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଏହି ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଥିବା ବେଳେ 'ବିଲ୍ଡିଂର ଉପର ଅଂଶ ଭୁଶୁଡି ପଡିଛି' ବୋଲି ସୂଚନା ମିଳିଛି। ଏହା ସହ ବିସ୍ଫୋରଣରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ପୋଲିସ ଥିବା ଜଣାପଡିଛି।