ନୂଆଦିଲ୍ଲୀ,୦୭/୦୫: ଧର୍ମ ପଚାରି ଜଣେ ସଧବାର ସିନ୍ଦୁର ଛଡ଼ାଇ ନେଇଥିବା ପାକିସ୍ତାନର ପୋଷା ଆତଙ୍କବାଦୀମାନେ ହୁଏତ ଭାବି ନଥିବେ ଏଇ ସିନ୍ଦୁର ତାଙ୍କ ପାଇଁ ସମାଧି ବିଛାଇଦେବ। ପହଲଗାମ୍‌ ଆତଙ୍କୀ ଆକ୍ରମଣର ଦୁଇ ସପ୍ତାହ ନପୂରୁଣୁ 'ଅପରେସନ ସିନ୍ଦୁର' ମାଧ୍ୟମରେ ପାକିସ୍ତାନ ସୀମା ଭିତରକୁ ପଶି ‌୯ଟି ଆତଙ୍କୀ ଶିବିର ଉପରକୁ ଘନ ଘନ ଏୟାରଷ୍ଟ୍ରାଇକ କରିଛି ଭାରତୀୟ ସେନା। ରକ୍ତର ଜବାବ ରକ୍ତରେ, ସିନ୍ଦୁରର ଜବାବ 'ଅପରେସନ ସିନ୍ଦୁର' ମାଧ୍ୟମରେ ଦେଇଛି ତିନି ଭାରତୀୟ ସେନା ବାହିନୀ। ଭାରତୀୟ ସେନା ଏହା ମଧ୍ୟ ସ୍ପଷ୍ଟ କରିଛି ଯେ,'ସେନା କୌଣସି ପାକ୍‌ ନାଗରିକ ଥିବା ସ୍ଥାନ, ସାମରିକ ଏବଂ ସରକାରୀ କାର୍ଯ୍ୟାଳୟ ନୁହେଁ ବରଂ ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଛି। ସେପଟେ ପାକିସ୍ତାନ ମଧ୍ୟ ନିଶ୍ଚିତ କରିଛି ଯେ,'ଭାରତ ପକ୍ଷରୁ ୨୪ଟି ଏୟାରଷ୍ଟ୍ରାଇକ କରାଯାଇଛି।'

ଜାତୀୟ ଜଣମାଧ୍ୟମର ସୂଚନା ଅନୁସାରେ, ସେନାର ଏହି 'ଅପରେସନ୍‌ ସିନ୍ଦୁର'କୁ ରାତି ତମାମ ଅନୁଧ୍ୟାନ କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶର ବରିଷ୍ଠ ନେତା ଓ ପ୍ରତିରକ୍ଷା ବିଶେଷଜ୍ଞମାନେ ଏହି ଅପରେସନ ପାଇଁ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି।

ସେପଟେ ଅପରେସନ୍‌ ସିନ୍ଦୂର ପରେ, ଏୟାର ଇଣ୍ଡିଆ ଏକ ଯାତ୍ରା ପରାମର୍ଶଦାତା ଜାରି କରି କହିଛି, "ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, କର୍ତ୍ତୃପକ୍ଷଙ୍କ ଠାରୁ ପରବର୍ତ୍ତୀ ସୂଚନା ନମିଳିବା ପର୍ଯ୍ୟନ୍ତ, ମେ ୭ ତାରିଖ ଦିନ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ଏହାର ସମସ୍ତ ବିମାନ ବାତିଲ କରାଯାଇଛି। ଅମୃତସର ଯାଉଥିବା ଦୁଇଟି ଅନ୍ତର୍ଜାତୀୟ ବିମାନକୁ ଦିଲ୍ଲୀ ପଠାଯାଉଛି।"