ନୟାଗଡ଼,୧୬/୧୨: କୁଲୁରୁକୁମ୍ପା ନିକଟରେ ରାସ୍ତାରେ ଛିଡା ହୋଇଥିବା ମା ଓ ଦୁଇ ପୁଅଙ୍କୁ ଧକ୍କା ଦେଲା କାର୍ । ଏହି ଦୁର୍ଘଟଣାରେ ୧୦ବର୍ଷର ସାନ ପୁଅର ମତ୍ୟୁ ହୋଇଥିବା ବେଳେ ବଡ ପୁଅ ଏବଂ ମା ଗୁରୁତର ଆହତ ହୋଇଛନ୍ତି । ମୃତକ ଶୁଭଙ୍କର ନାୟକ, ବଡ ପୁଅ ସୁଭମ୍ ଏବଂ ମା ଜ୍ୟୋସ୍ନାରାଣୀ ବୋଲି ଜଣାପଡ଼ିଛି । ନୟାଗଡ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ବାଣିଗୋଛା ଥାନା କୁଲୁରୁକୁମ୍ପା ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଜ୍ୟୋସ୍ନାରାଣୀ ତାଙ୍କ ଦୁଇ ପୁଅଙ୍କୁ ଧରି କୁଲୁରୁକୁମ୍ପା ପଞ୍ଚାୟତର କୁମ୍ଭାରବିଡ଼ା ଠାରେ ନିଜ ଘର ସମ୍ମୁଖରେ ଠିଆ ହୋଇଥିଲେ । ଏହି ସମୟରେ କଟକରୁ ସୋନପୁର ଅଭିମୁଖେ ଯାଉଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସାନ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବଡ଼ ପୁଅ ଓ ମାଆ ଗୁରୁତର ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବାଣୀଗୋଛା ପୋଲିସ ପହଞ୍ଚି ଗୁରୁତରଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରିଛି । ଏହା ସହ ପୋଲିସ ଉକ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ତେବେ କାର୍ ଡ୍ରାଇଭର ବେପାରୁଆ ଗାଡି ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।