ପ୍ରମୂଖ ଖବର

କ୍ୟାରିୟରରେ କେବଳ ଗୋଟିଏ ଓ୍ବିକେଟ ନେଇଛନ୍ତି, ଏବେ ଆରସିବିର ବୋଲିଂ କୋଚ୍‌

Published By : Tapas Panda | November 18, 2024 7:41 PM

Image Courtesy: tv9hindi

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୫ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବଡ଼ ନିଷ୍ପତ୍ତି ନେଇଛି ।  ମୁମ୍ବାଇ ରଣଜୀ ଟିମ୍‌ର ମୁଖ୍ୟ କୋଚ୍‌ ଓମକାର ସାଲଭୀଙ୍କୁ ବୋଲିଂ କୋଚ୍‌ ନିଯୁକ୍ତ କରିଛି ଆରସିବି । ୪୬ ବର୍ଷୀୟ ଓମକାର ସାଲଭୀ  ଆଇପିଏଲ ୨୦୨୪ ପାଇଁ କୋଲକାତା ନାଇଟ ରାଇଡର୍ସ (କେକେଆର)ର ଆସିଷ୍ଟାଣ୍ଟ କୋଚ୍‌ ଥିଲେ‌  । ତାଙ୍କର କାର୍ଯ୍ୟକାଳ ମାର୍ଚ୍ଚ ୨୦୨୫ରେ ଶେଷ ହେବାକୁ ଯାଉଛି ।  ଏନେଇ ଆରସିବି ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇଛି । 

Omkar Salvi

 ମୁମ୍ବାଇର ମୁଖ୍ୟ କୋଚ୍‌ ଓମକାର ସାଲଭୀଙ୍କୁ ଆରସିବିର ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି ।  ଗତ ୮ ମାସ ମଧ୍ୟରେ ରଣଜୀ ଟ୍ରଫି, ଇରାନୀ ଟ୍ରଫି ଏବଂ ଆଇପିଏଲ ଟ୍ରଫି ବିଜୟ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ତାଙ୍କୁ ଆମ ଟିମ୍‌କୁ ସ୍ବାଗତ ବୋଲି ଆରସିବି ପକ୍ଷରୁ ଏକ୍ସରେ ଲେଖାଯାଇଛି । ଏହା ପୂର୍ବରୁ ଆରସିବି ଓ୍ବିକେଟ କିପର ବ୍ୟାଟର ଦୀନେଶ କାର୍ତ୍ତିକଙ୍କୁ ବ୍ୟାଟିଂ କୋଚ୍‌ ଏବଂ ମେଣ୍ଟର ନିଯୁକ୍ତ କରିଥିଲା । କାର୍ତ୍ତିକ ଏବଂ ସାଲଭୀ କେକେଆର ପାଇଁ ମିଳିତ ଭାବେ କାର୍ଯ୍ୟ କରିଛନ୍ତି । 




 ଓମକାର ସାଲଭୀ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆବିଷ୍କାର ସାଲଭୀଙ୍କ ଭାଇ । ବର୍ତ୍ତମାନ ସମୟରେ ଘରୋଇ କ୍ରିକେଟ୍‌ରେ ସବୁଠୁ ଭଲ କୋଚ୍‌ ଭାବେ ଜଣାଶୁଣା ଓମକାର ସାଲଭୀ । ଓମକାର ସାଲଭୀ ନିଜ କ୍ୟାରିୟରରେ କେବଳ ଗୋଟିଏ ଲିଷ୍ଟ-ଏ ମ୍ୟାଚ୍‌ ଖେଳିଛନ୍ତି । ନିଜର ପ୍ରଥମ ଓ ଶେଷ ମ୍ୟାଚ୍‌ ରେଲଓ୍ବେ ପାଇଁ ଖେଳିଥିଲେ ଓମକାର ।  ମଧ୍ୟପ୍ରଦେଶ ବିପକ୍ଷ ଏହି ମ୍ୟାଚ୍‌ରେ ସେ ୩୬ ରନ୍‌ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ । ଓମକାର ସାଲଭୀ ମେ’ ୨୦୨୩ରେ ମୁମ୍ବାଇର ମୁଖ୍ୟ କୋଚ୍‌ ହୋଇଥିଲେ । ସେ ବରିଷ୍ଠ କୋଚ୍‌ ଅମୋଲ ମଜୁମଦାରଙ୍କ ସ୍ଥାନ ନେଇଥିଲେ । କଠିନ ପରିଶ୍ରମ ବଳରେ ଓମକାର ସାଲଭୀ ବର୍ତ୍ତମାନ ସମୟରେ ଜଣେ ଚର୍ଚ୍ଚିତ କୋଚ୍‌ ଭାବରେ ପରିଚୟ ଲାଭ କରିଛନ୍ତି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.