ଭୁବନେଶ୍ୱର,୨୪/୦୧: ଜାନୁଆରୀ ସରିନି । ତାତି ବଢ଼ିଲାଣି । ଏପଟେ  ତାଳ ଦେଇ ଜଙ୍ଗଲରେ ବି ନିଆଁ ଲାଗିବା ଘଟଣା ବଢ଼ିଛି । ଗତ ସପ୍ତାହକ ଭିତରେ  କର୍ଣ୍ଣାଟକରେ ସର୍ବାଧିକ ବନାଗ୍ନି ଘଟିଥିବାବେଳେ ଓଡ଼ିଶା ଦ୍ୱିତୀୟରେ ରହିଛି । 

ଗତ ୨୪  ଘଣ୍ଟା ଭିତରେ ରାଜ୍ୟର ୪୨ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଛି । ଉପଗ୍ରହ ତଥ୍ୟକୁ  ଆଧାର କରି ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ଏହି ସୂଚନା ଜାରି କରିଛି। ଏହି ସୂଚନା ଅନୁସାରେ କୋରାପୁଟ ସର୍କଲ ଅନ୍ତର୍ଗତ ନବରଙ୍ଗପୁର ଡିଭିଜନର ରାଇଘର ରେଞ୍ଜର ୩ଟି ସ୍ଥାନରେ ଜଙ୍ଗଲ ନିଆଁ ରିପୋର୍ଟ ହୋଇଛି । ସମ୍ବଲପୁର  ସର୍କଲର ୨୫ଟି ସ୍ଥାନରେ ବନାଗ୍ନି ଘଟିଛି । ଗତ ୨୪ ଘଣ୍ଟା ଭିତରେ ଏହି ସର୍କଲର  ରେଙ୍ଗାଲି ରେଞ୍ଜରେ ୬ଟି  ସ୍ଥାନରେ ଜଙ୍ଗଲରେ  ନିଆଁ ଲାଗିଛି । 

ସେହିପରି  କୁଚିଣ୍ଡା ରେଞ୍ଜର ୪ଟି  ସ୍ଥାନରେ, ବେଲପାହାଡ଼ରେ  ୨ଟି, ବରଗଡ଼ରେ ୨ଟି,  କାମଗାଁ ରେଞ୍ଜରେ  ୨ଟି, ଜମନକିରାରେ  ୨ଟି, ବାଗଡିହି, ବଦରମା, ନୃସିଂହନାଥ,  ପାଇକମାଳ, ଧମା, କୋଲାବିରା, ପଡ଼ିଆବାହାଲ  ରେଞ୍ଜରେ ଗୋଟିଏ ଲେଖାଏ ସ୍ଥାନରେ ଜଙ୍ଗଲ  ଜଳିଥିବା ଜଣାପଡ଼ିଛି । ଭବାନୀପାଟଣା  ସର୍କଲର ଥୁଆମୁଳ ରାମପୁର, ଉଲୁଣ୍ଡା ରେଞ୍ଜ, ରାଉରକେଲା ସର୍କଲର ଗୋପାଳପୁର,  ଦେବଗଡ଼, ବାରକୋଟ, ଚମ୍ପୁଆ ରେଞ୍ଜ, ରାଜାମୁଣ୍ଡା ବିଟ୍‌, ବ୍ରହ୍ମପୁର ସର୍କଲର ମୋହନା,  ବାରିପଦା ସର୍କଲର ରାସଗୋବିନ୍ଦପୁର ରେଞ୍ଜରେ ବନାଗ୍ନି ଘଟିଛି । ଅନୁଗୁଳ ସର୍କଲର  ତାଳଚେର ରେଞ୍ଜ, କେନ୍ଦ୍ରାପଡ଼ା ରେଞ୍ଜ ଅନ୍ତର୍ଗତ ମାର୍ଶାଘାଇ ବିଟ୍‌ରେ ଜଙ୍ଗଲ ନିଆଁ ଲାଗିଛି । ବର୍ତ୍ତମାନ ଶୀତର ବିଦାୟ ସମୟ ପହଞ୍ଚିଥିବାବେଳେ ଦେଶରେ ଜଙ୍ଗଲ ନିଆଁ  ବଢ଼ିବା ସମୟ ଆସିଯାଇଛି । 

ଗତ ୭ ଦିନର ତଥ୍ୟ ଅନୁସାରେ ସର୍ବାଧିକ ଜଙ୍ଗଲ ନିଆଁ  ଘଟିଛି କର୍ଣ୍ଣାଟକରେ । ଦ୍ୱିତୀୟରେ ରହିଛି ଓଡ଼ିଶା । ତୃତୀୟରେ ମହାରାଷ୍ଟ୍ର, ଚତୁର୍ଥରେ  ଅରୁଣାଚଳ ପ୍ରଦେଶ ଓ ପଶ୍ଚିମରେ ନାଗାଲାଣ୍ଡ ଅଛି । ଓଡ଼ିଶାରେ ୧୬ ଜାନୁଆରୀରୁ ଆଜି  ସୁଦ୍ଧା ୧୭୦ଟି ବନାଗ୍ନି ରିପୋର୍ଟ ହୋଇଛି । କର୍ଣ୍ଣାଟକରେ ୨୪୨, ମହାରାଷ୍ଟ୍ରରେ ୧୪୫,  ଅରୁଣାଚଳ ପ୍ରଦେଶରେ ୧୪୦, ନାଗାଲାଣ୍ଡରେ ୧୨୩ଟି ସ୍ଥାନରେ ଜଙ୍ଗଲ ଜଳିଛି।