ଭୁବନେଶ୍ୱର, ୧୯/୦୪: ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ରାତି ଜଗୁଆଳୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ପଞ୍ଚାନନ ସ୍ବାଇଁ ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାତି ଜଗୁଆଳୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଠଗଡ଼ ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ମୁତାବକ, ପଞ୍ଚାନନ ସ୍ବାଇଁ ଦୀର୍ଘ ବର୍ଷ ଧରି ତାଙ୍କ ପାରିବାର ସହିତ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା କ୍ୱାର୍ଟରରେ ରହୁଥିଲେ । ତେବେ ଶନିବାର ସକାଳୁ ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରୁ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ସହକର୍ମୀ । ଏହା ଦେଖି ତୁରନ୍ତ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ଖବର ପାଇ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏଥି ସହିତ ତାଙ୍କ ଆତ୍ମହତ୍ୟାର କାରଣ ଖୋଜି ଘଟଣାର ତଦନ୍ତ ଚଳାଇଛି ପୋଲିସ ।