ନୂଆଦିଲ୍ଲୀ,୧୮/୦୨: ଜ୍ଞାନେଶ କୁମାର ଗୁପ୍ତା ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର । ୧୯୮୮ ବ୍ୟାଚ୍ ଅବସରପ୍ରାପ୍ତ IAS ଅଧିକାରୀ ଜ୍ଞାନେଶ କୁମାର ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିଶନର ହେବେ । ସେ ରାଜୀବ କୁମାରଙ୍କ ସ୍ଥାନ ନେବେ । ଆସନ୍ତାକାଲି ବିଦ୍ଧିବଦ୍ଧ ଭାବେ ଦାୟିତ୍ବ ନେବେ । ତେବେ କିଏ ଜ୍ଞାନେଶ କୁମାର । ଧାରା ୩୭୦ରୁ ନେଇ ରାମମନ୍ଦିର ଯାଏ ତାଙ୍କର କଣ ରହିଛି କନେକ୍ସନ । ଆଗକୁ ତାଙ୍କ ଉପରେ କଣ ଦାୟିତ୍ବ ରହିବ ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।
କେରଳ କ୍ୟାଡରର ପୂର୍ବତନ ଆଇଏଏସ ଅଫିସର ଜ୍ଞାନେଶ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ । ରାଜୀବ କୁମାରଙ୍କ ସ୍ଥାନ ନେବେ ଜ୍ଞାନେଶ କୁମାର ଗୁପ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚୟନ ବୈଠକରେ ଜ୍ଞାନେଶ କୁମାରଙ୍କ ନାମରେ ମୋହର ବାଜିଛି । ଏ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ଜ୍ଞାନେଶ କୁମାରଙ୍କ ଜନ୍ମ । ତାଙ୍କ ବାପା ଡ.ସୁବୋଧ କୁମାର ଗୁପ୍ତା ମୁଖ୍ୟ ଚିକିତ୍ସା ଅଧିକାରୀ ପଦରୁ ଅବସର ନେଇଛନ୍ତି । ଜ୍ଞାନେଶ କୁମାରଙ୍କ ପରିବାରରେ ଅଧିକାଂଶ ମେଡିକାଲରେ କ୍ୟାରିୟର କରିଥିବା ବେଳେ ସେ ଅଲଗା ରାସ୍ତା ବାଛିଥିଲେ । ପିଲାଟି ଦିନରୁ ପ୍ରତିଭାବାନ ଥିଲେ ସେ । ବାରାଣସୀର କ୍ୱିନ୍ସ କଲେଜରେ ଟପର୍ ରହିଥିଲେ । ଲକ୍ଷ୍ନୌ କାଲୱିନ୍ ତାଲୁକେଦାର କଲେଜରେ ଦ୍ୱାଦଶରେ ଟପ୍ କରିଥିଲେ । ଏହାପରେ ସେ ଆଇଆଇଟି କାନପୁରରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ୍ କରିଥିଲେ । ପରେ ସିଭିଲ୍ ସର୍ଭିସ ପରୀକ୍ଷା ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଇଥିଲେ । ୧୯୮୮ରେ ସିଭିଲ୍ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କେରଳ କ୍ୟାଡ୍ରର ଆଇଏଏସ୍ ଅଧିକାରୀ ହୋଇଥିଲେ । ପ୍ରଥମେ ଥିରୁଅନନ୍ତପୁରମରେ ଡିଏମ୍ ଭାବେ ନିଯୁକ୍ତ ହୋଇଥିଲା । ୟୁପିଏ ସରକାର ସମୟରେ ୨୦୦୭ରୁ ୨୦୧୨ ଯାଏ ସେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୧୪ରେ ସେ କେରଳ ସରକାରଙ୍କ ଦିଲ୍ଲୀ ରେସିଡେଣ୍ଟ କମିଶନର ଥିଲେ ।
ଅଧିକ ପଢନ୍ତୁ...ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର; କଂଗ୍ରେସର ଜୋରଦାର୍ ବିରୋଧ, ଜାଣନ୍ତୁ କାରଣ
ଜ୍ଞାନେଶ କୁମାର ତାଙ୍କ କାର୍ଯ୍ୟକାଳ ସମୟରେ ଧାରା ୩୭୦, ରାମ ଜନ୍ମଭୂମି ପରି ମାମଲାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟକାଳ ସମୟରେ ଶ୍ରୀରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ୨୦୧୯ରେ ଜମ୍ମୁକାଶ୍ମୀରୁ ଧାରା ୩୭୦ ରଦ୍ଦ ମାମଲାରେ ମଧ୍ୟ ତାଙ୍କର ଭୂମିକା ଥିଲା । ଜ୍ଞାନେଶ କୁମାର ଲାଣ୍ଡ ରେଭିନ୍ୟୁ, ପର୍ଯ୍ୟଟନ, ଟ୍ରାନ୍ସପୋର୍ଟ ଓ କୃଷି ପରି ବିଭାଗରେ ଦାୟିତ୍ବ ତୁଲାଇଛନ୍ତି । ଜ୍ଞାନେଶ କୁମାରଙ୍କ ପରିବାରରେ ୨୮ ଜଣ ଡାକ୍ତର । ମାଆ ସତ୍ୟବତୀ ଜମେ ଯୋଗ ପ୍ରଶିକ୍ଷକ । ତାଙ୍କ ବଡ଼ ଝିଅ ମେଘା ରୁପମ ମଧ୍ୟ ଜଣେ ଜିଲ୍ଲାଧୀକାରୀ । ଜ୍ଞାନେଶଙ୍କ ସାନ ଝିଅ ଅଭିଶ୍ରୀ ଆଇଆରଏସ୍ ଅଧିକାରୀ । ପୁଅ ଅରନବଙ୍କ ପାଠ ପଢା ଚାଲିଛି । ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ୨୦୨୯ ଜାନୁଆରୀ ୨୯ରେ ଶେଷ ହେବ । ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ଭିତରେ ଚଳିତ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ, ୨୦୨୬ରେ କେରଳ, ପୁଡୁଚେରୀ,ତାମିଲନାଡୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଯାହା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।