ନ୍ୟୁୟର୍କ: କଲମ୍ବିଆ ବିଶ୍ବବିଦ୍ୟାଳୟ ଏବଂ ସିଟି କଲେଜ କ୍ୟାମ୍ପସରେ ପ୍ରଦର୍ଶନ କରୁଥିବା ପାଲେଷ୍ଟାଇନ୍ ସମର୍ଥକଙ୍କ ଲାଗି ଆମେରିକା ପୋଲିସ ନାକେଦମ ହୋଇଛି । ଆଜି ପ୍ରାୟ ୩୦୦ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛି ନ୍ୟୁୟର୍କ ସିଟି ପୋଲିସ । ଏନେଇ ନ୍ୟୁୟର୍କ ମେୟର ଏରିକ୍ ଆଡାମ୍ସ ସୂଚନା ଦେଇଛନ୍ତି ।ଏହା ସହ କଲମ୍ବିଆର ହାମିଲଟନ ହଲକୁ ଆନ୍ଦୋଳନରତ ଛାତ୍ରଙ୍କ କବଜାରୁ ମୁକ୍ତ କରାଯାଇଛି ।
ପ୍ରାୟ ଦୁଇ ସପ୍ତାହ ପରେ ପ୍ରଦର୍ଶନକାରୀଙ୍କୁ କାବୁ କରିଛି ପୋଲିସ । କଲମ୍ବିଆ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମିଳିଥିବା ସୂଚନା ଅନୁସାରେ, କଲମ୍ବିଆ ବିଶ୍ବବିଦ୍ୟାଳୟ ପରିସରରୁ ୧୦୯ ଏବଂ ପାଖରେ ଥିବା ସିଟି କଲେଜରୁ ୧୭୩ ଜଣଙ୍କୁ ଗିରଫ କରାଯାଇଛି ।
ରାତି ସାରା ଐତିହାସିକ ହାମିଲଟନ୍ ହଲ ବିଲ୍ଡିଂକୁ କବଜା କରିବା ସହ ଭଙ୍ଗାରୁଜା କରାଯାଇଥିଲା । ଏହାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡ଼ିଥିଲେ । ବାଧ୍ୟ ହୋଇ ବିଶ୍ବବିଦ୍ୟାଳୟ ପୋଲିସର ସହାୟତା ଲୋଡିଥିଲା । ସେପଟେ ସହରରେ ଏଭଳି ଘୃଣ୍ୟ କାର୍ଯ୍ୟ ଲାଗି କୌଣସି ସ୍ଥାନ ନାହିଁ ବୋଲି ମେୟର ଏରିକ୍ ଆଡାମ୍ସ କହିଛନ୍ତି ।ଏହା ସହ ଯେଉଁ ଅଧିକାରୀମାନେ ଏଭଳି ଆନ୍ଦୋଳନକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କ ଉପରେ ସେ ଖୁବ ବର୍ଷିଛନ୍ତି ।