ପ୍ରମୂଖ ଖବର
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ବିଧାୟକଙ୍କୁ ଯୋଜନା ବୋର୍ଡ, ଅଣବିଧାୟକଙ୍କୁ ନିଗମ: କେଭିଙ୍କ ଘରେ ୫ ଘଣ୍ଟା କସରତ ପରେ ତାଲିକା ଚୂଡାନ୍ତ

Published By : Prameya | February 27, 2025 10:33 AM

ଭୁବନେଶ୍ୱର, ୨୭/୦୨: କିଏ ହେବେ  ବୋର୍ଡ, ନିଗମ, କମିଶନ ଓ ପରିଷଦର  ସଭାପତି/ଅଧ୍ୟକ୍ଷ? କାହାକୁ କେଉଁଠି ଥଇଥାନ  କରାଯିବ । ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ କାହାକୁ  ଗୁରୁ ଦାୟିତ୍ୱ ମିଳିବ? କେଉଁ ଫର୍ମୁଲା ଆପଣାଇବ  ଦଳ? ନୂଆ ନିଯୁକ୍ତି ଜରିଆରେ ରାଜ୍ୟ ସଂଗଠନ  କିଭଳି ବଳୁଆ ହେବ? ଆଜି ଏ ସବୁ ବିନ୍ଦୁକୁ  ନେଇ ୫ ଘଣ୍ଟା ଧରି ଲଗାତର ଭାବେ ମାନସମନ୍ଥନ  କରିଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । 

ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ବୁଧବାର ଜରୁରୀ ବୈଠକ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟ  ବଦଳରେ ପ୍ରଥମଥର ପାଇଁ ଉପମୁଖ୍ୟମନ୍ତ୍ରୀ କେଭି  ସିଂହଦେଓଙ୍କ ଘରେ ସମସ୍ତେ ଏକାଠି ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଖାଲି ରାଜ୍ୟ  ନେତୃତ୍ୱ ନୁହେଁ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ  ଚୁଘ୍‌ ଓ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର  ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀକୁମ୍ଭ ମେଳାରୁ ଫେରିବା ପରେ  ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହିତ ବୋର୍ଡ, ନିଗମ  ନିଯୁକ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଶୁଣିବାକୁ ମିଳୁଥିଲା । ମୁଖ୍ୟମନ୍ତ୍ରୀ  ମଙ୍ଗଳବାର ଉତ୍ତରପ୍ରଦେଶରୁ ଫେରିଥିଲେ । ଆଜି  ମଧ୍ୟାହ୍ନ ପ୍ରାୟ ୧ଟା ବେଳକୁ ସେ ଉପମୁଖ୍ୟମନ୍ତ୍ରୀ  କେଭି ସିଂହଦେଓଙ୍କ ସରକାରୀ କ୍ୱାର୍ଟର୍ସରେ  ପହଞ୍ଚିଥିଲେ । ରାଜ୍ୟ ସଭାପତି ମନମୋହନ  ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି,  ପୂର୍ବତନ ସଭାପତି ସମୀର ମହାନ୍ତି, ସାଂସଦ  ବସନ୍ତ ପଣ୍ଡା ପ୍ରମୁଖ କେଭିଙ୍କ କ୍ୱାର୍ଟର୍ସରେ ପହଞ୍ଚି  ବୈଠକରେ ସାମିଲ ହୋଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ବୈଠକରେ  ବିଭିନ୍ନ ବୋର୍ଡ, ନିଗମ, ପରିଷଦ ଓ କମିଶନରେ ନିଯୁକ୍ତି ନେଇ ଏକ ତାଲିକା ଚୂଡ଼ାନ୍ତ ହୋଇଛି । ଏହି ତାଲିକାରେ ଥିବା ପ୍ରତିଟି ନାଁକୁ ନେଇ  ଆଲୋଚନା ହୋଇଥିଲା । ବିଧାୟକ ନଥିବା ଓ ରାଜ୍ୟର ସାଙ୍ଗଠନିକ ଦାୟିତ୍ୱରେ ଥିବା, ଦୀର୍ଘ ଦିନରୁ ଗୁରୁ ଦାୟିତ୍ୱ ସମ୍ଭାଳି ଆସିଥିବା ଓ  ଅନ୍ୟ ଆଶାୟୀ ନେତାଙ୍କୁ ବୋର୍ଡ ଓ ନିଗମରେ ଥଇଥାନ କରାଯିବ । ଅନ୍ୟ ଦଳରୁ ଆସିଥିବା କିଛି ନେତାଙ୍କୁ ମଧ୍ୟ ବିଚାରକୁ ନିଆଯାଇଛି । ତେବେ  ବିଧାୟକମାନଙ୍କୁ ରାଜ୍ୟ ଯୋଜନା ବୋର୍ଡ, ଜିଲ୍ଲା ଯୋଜନା ବୋର୍ଡ ଓ ଅନ୍ୟ କମିଟିରେ ନିଯୁକ୍ତି  ଦିଆଯିବ । ଏହି ନିଯୁକ୍ତି ଜରିଆରେ ଆଶାୟୀଙ୍କୁ  ସନ୍ତୁଷ୍ଟ କରି ଦଳୀୟ ସଂଗଠନକୁ ମଜଭୁତ୍‌ କରିବାକୁ ଯୋଜନା ହୋଇଛି । ବୈଠକରୁ ବାହାରି ବିଜେପିର ରାଷ୍ଟ୍ରୀୟ  ସାଧାରଣ ସମ୍ପାଦକ ଶ୍ରୀ ଚୁଘ୍‌ କହିଛନ୍ତି। ସାଂଗଠନିକ ଆଲୋଚନା ପାଇଁ ବୈଠକ ହୋଇଥିଲା । ଆଗକୁ ଖୁବ୍‌ଶୀଘ୍ର ରାଜ୍ୟ ସଭାପତି ଘୋଷଣା  ହେବ । 

ରାଜ୍ୟ ସଭାପତି ମନମୋହନ ସାମଲ  କହିଛନ୍ତି, ଖୁବଶୀଘ୍ର ନିଗମ, ବୋର୍ଡ ଓ କମିଶନରେ ନିଯୁକ୍ତି ହେବ । ବୈଠକରେ ବିଭିନ୍ନ ଦିଗରୁ ଆଲୋଚନା ହୋଇଛି । ସରକାର ଆଉ ସଂଗଠନ ନେଇ ଆଲୋଚନା ହୋଇଛି । ରାଜ୍ୟରେ ସରକାର ଠିକ୍‌ରେ ଚାଲିଛି । ସବୁ କମିଶନ ଓ କର୍ପୋରେସନ ବି  ଠିକ୍‌ ଚାଲିଛି । ଅତିଶୀଘ୍ର ସବୁ ନିଯୁକ୍ତି ଶେଷ ହେବ । ତେବେ ରାଜ୍ୟ ସଭାପତି ନିଯୁକ୍ତି ହେବା ପାଇଁ ଏହି  ସ୍ଥାନ ଉପଯୁକ୍ତ ନୁହେଁ ବୋଲି ସେ ଟିପ୍ପଣୀ ରଖିଛନ୍ତି । 

ସେହିଭଳି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଖାଲିଥିବା  ୬ଟି ସ୍ଥାନ ପାଇଁ ମନ୍ତ୍ରୀ ପଦ ବଣ୍ଟାଯିବ । ଏକାଧିକ ଓଜନିଆ ବିଭାଗ ରହିଥିବା ମନ୍ତ୍ରୀଙ୍କୁ ହାଲୁକା କରି ସଂଗଠନ ଦାୟିତ୍ୱ ଦିଆଯିବ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସଂଗଠନ ଯେଭଳି ବଳୁଆ ଓ  କ୍ରିୟାଶୀଳ ହେବ ତାକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସରକାର ଓ ସଂଗଠନ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି କାମ କରିବେ । ଉଭୟଙ୍କ ଭିତରେ ଯେଭଳି ଠିକ୍‌ ସମନ୍ୱୟ ରହିବ ତାକୁ ସମସ୍ତେ ପ୍ରାଥମିକତା ଦେବାକୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ  ଶ୍ରୀ ଚୁଘ୍‌ ପରାମର୍ଶ ଦେଇଥିବା ଜଣାପଡ଼ିଛି । ନୂଆ  ସରକାର କାର୍ଯ୍ୟକାରୀ କରୁଥିବା ସରକାରୀ ଯୋଜନା, ବଜେଟ୍‌ରେ ପାରିତ ନୂଆ ପ୍ରସ୍ତାବ ଓ ଯୋଜନା ଓ ଏବଂ ସରକାରଙ୍କ ଆଠ ମାସର ସଫଳତା ଯେଭଳି ଘରେ  ଘରେ ପହଞ୍ଚିବ ତାକୁ ନିଶ୍ଚିତ କରିବାକୁ ଦୁଇ ରାଷ୍ଟ୍ରୀୟ  ନେତା ରାଜ୍ୟ ନେତୃତ୍ୱକୁ ପରାମର୍ଶ ଦେଇଛନ୍ତି ।  

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି  କିଭଳି ରହିବ? ସରକାରର ଛବିକୁ ଚମକାଇବାକୁ  ଆଉ କ’ଣ ପଦକ୍ଷେପ ନିଆଯିବ, ତା ଉପରେ ମଧ୍ୟ  ଆଲୋଚନା ହୋଇଥିଲା । ପ୍ରତି ଗାଁ ଓ ବୁଥ୍‌ରେ ବିଜେପିର ସଂଗଠନକୁ ମଜବୁତ୍‌ କରିବାକୁ ନେତାଙ୍କୁ  ନିଜ କ୍ଷେତ୍ରକୁ ଅଧିକ ଗସ୍ତ କରିବାକୁ କୁହାଯିବ । ଗାଁ ଓ ପଞ୍ଚାୟତସ୍ତରରେ ନିୟମିତ ଦଳୀୟ ବୈଠକ କରି କର୍ମୀଙ୍କୁ ଉତ୍ସାହିତ କରିବାକୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.