ବୁର୍ଲା,୦୨/୦୨ ଶିକ୍ଷାନୁଷ୍ଠାନର ନାକ୍‌ ମାନ୍ୟତା ବୃଦ୍ଧି  କରିବାକୁ କହି ଲାଞ୍ଚ ନେବା ଘଟଣାରେ ୧୦ ଜଣଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରଫେସର ବୁଲୁ ମହାରଣା ମଧ୍ୟ  ଅଛନ୍ତି । ଶ୍ରୀ ମହାରଣାଙ୍କ କାର୍ଯ୍ୟାଳୟ ଓ ବାସଭବନରେ  ସିବିଆଇ ପକ୍ଷରୁ ଚଢ଼ଉ ହୋଇଛି । ଗୋଟିଏ ଟିମ୍‌ ୨ଟି ସ୍ଥାନକୁ  ଯାଇ କାଗଜପତ୍ର ଯାଞ୍ଚ କରିଛି ।   

ସିବିଆଇ ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଗୁଣ୍ଟୁର  ସହରରେ ଥିବା ଏହି ଶିକ୍ଷାନୁଷ୍ଠାନକୁ ନାକ୍‌ ପକ୍ଷରୁ  ପରିଦର୍ଶନରେ ୬ ଜଣିଆ ଟିମ୍‌ ଯାଇଥିଲା । ଏଥିରେ  ପ୍ରଫେସର ମହାରଣାଙ୍କ ସହ ୬ ଜଣ ପ୍ରଫେସର ସାମିଲ  ଥିଲେ । ସେହି ଅନୁଷ୍ଠାନର ରେଟିଂ ବୃଦ୍ଧି କରିବାକୁ ଏହି ଟିମ୍‌ ଲାଞ୍ଚ ଦାବି କରିଥିଲେ । ସେମାନଙ୍କୁ ସୁନା ଓ ମୋବାଇଲ୍‌  ଫୋନ୍‌ ଲାଞ୍ଚ ଭାବେ ଦିଆଯାଇଥିଲା । ଏନେଇ ସୂଚନା ମିଳିବା  ପରେ ସେମାନଙ୍କୁ ଗିରଫ କରାଯିବା ସହ ୩୭ ଲକ୍ଷ ଟଙ୍କା,  ୬ଟି ଲାପଟପ୍‌ ଏବଂ ଆଇଫୋନ୍‌ ୧୬ ପ୍ରୋ ମୋବାଇଲ୍‌  ଜବତ କରାଯାଇଛି । ଏହି ଲିଙ୍କ୍‌ରେ ଦେଶର ୨୦ଟି ସ୍ଥାନରେ  ଚଢ଼ଉ ହେଉଛି । ସମ୍ବଲପୁର ସମେତ ଚେନ୍ନାଇ, ବେଙ୍ଗାଳୁରୁ,  ବିଜୟୱାଡା, ପାଲମୁ, ଭୋପାଳ ଏବଂ ଦିଲ୍ଲୀରେ ସିବିଆଇ  ରେଡ କରିଛି । ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ହେଲେ  ଜିପି ସାରଥୀ ଶର୍ମା, ରାଜା ହରିନ, ଏ ରାମକୃଷ୍ଣ, ସମରେନ୍ଦ୍ର  ନାଥ ସାହା ଏବଂ ଗାୟତ୍ରୀ ଦେବରାଜ ।