ନୂଆଦିଲ୍ଲୀ,୦୪/୦୪: ଲୋକସଭା ଏବଂ ରାଜ୍ୟସଭାରେ ୱାକଫ ସଂଶୋଧନ ବିଲ୍ ପାରିତ ହେବା ପରେ, ଦେଶର ଅନେକ ସ୍ଥାନରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନରେ ମୁସଲିମ ସଂଗଠନଗୁଡ଼ିକ ୱାକଫ ବିଲ୍ ବିରୋଧରେ ପ୍ରତିବାଦ କରୁଛନ୍ତି। ଏହାରି ଭିତରେ ୱାକଫ ଆଇନରେ ପରିବର୍ତ୍ତନ ବିରୋଧରେ ଶୁକ୍ରବାର ସୁପ୍ରିମକୋର୍ଟରେ ପ୍ରଥମ ଆବେଦନ ଦାଖଲ କରାଯାଇଛି। କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ ୱାକଫ ସଂଶୋଧନ ବିଲ୍ ୨୦୨୫କୁ ଚ୍ୟାଲେଞ୍ଜ କରିଛନ୍ତି।
ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ କୋଲକାତାର ପାର୍କ ସର୍କସ କ୍ରସିଂରେ ପ୍ରତିବାଦ କରିଥିଲେ ଏବଂ ୱାକଫ (ସଂଶୋଧନ) ବିଲ୍, ୨୦୨୫କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ପ୍ରତିବାଦ ଯୋଗୁଁ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଏବଂ ବହୁ ସଂଖ୍ୟକ ଲୋକଙ୍କୁ ରାସ୍ତାରେ ଅପେକ୍ଷା କରିବାକୁ ପଡ଼ିଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ୱାକଫ୍ ବିଲ୍ ଆଗତ କରିବା ପାଇଁ ବିଜେପିକୁ ସମାଲୋଚନା କରିଥିଲେ ଏବଂ ବିଜେପି ଦେଶକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ।
ସଂସଦରେ ବିଲ୍ ଉପରେ ଆଲୋଚନା ସମୟରେ, ବିରୋଧୀ ଦଳଗୁଡ଼ିକ ଦ୍ୱାରା କଡ଼ା ଆପତ୍ତି ଉଠିଥିଲା, ସେମାନେ ଏହାକୁ ମୁସଲିମ ବିରୋଧୀ ଏବଂ ଅସାମ୍ବିଧାନିକ ବୋଲି କହିଥିଲେ, ଅନ୍ୟପଟେ ସରକାର ପ୍ରତିକ୍ରିୟା ଦେଇଥିଲେ ଯେ ଏହି ଐତିହାସିକ ସଂସ୍କାର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଲାଭ ଦେବ। ଏହି ବିଲ୍ ବିରୋଧରେ କର୍ଣ୍ଣାଟକ, ଅହମ୍ମଦାବାଦ ଏବଂ ହାଇଦ୍ରାବାଦରେ ମଧ୍ୟ ପ୍ରତିବାଦ କରାଯାଉଛି। ଏହାରି ଭିତରେ ଶୁକ୍ରବାର ଦିଲ୍ଲୀର ଜାମିଆ ଅଞ୍ଚଳରେ ପୋଲିସ ବ୍ୟାପକ ପଦକ୍ଷେପ ନେଇଥିଲା।
ଅଖିଳ ଭାରତୀୟ ମୁସଲିମ ଜମାତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶାହାବୁଦ୍ଦିନ ରଜଭି ବରେଲଭି କହିଛନ୍ତି ଯେ 'ୱାକଫ ସଂଶୋଧନ ବିଲ୍ ଲୋକସଭା ଏବଂ ରାଜ୍ୟସଭା ଦ୍ୱାରା ମଧ୍ୟ ଗୃହୀତ ହୋଇଛି। ଏଥିପାଇଁ ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ସେ ଏହି ବିଲ୍କୁ ମୁସଲମାନମାନଙ୍କ ହିତରେ ବୋଲି ବର୍ଣ୍ଣନା କରିଛନ୍ତି। ଏଥି ସହିତ, ସେ ସାଧାରଣ ମୁସଲମାନମାନଙ୍କୁ ଏହା ବିରୁଦ୍ଧରେ ରାସ୍ତାକୁ ନ ଆସିବାକୁ ନିବେଦନ କରିଥିଲେ। ରାଜ୍ୟସଭାରେ ୱାକଫ ସଂଶୋଧନ ବିଲ୍ ୯୫ ମୁକାବିଲାରେ ୧୨୮ ଭୋଟରେ ଗୃହୀତ ହୋଇଥିଲା। ଏହା ପୂର୍ବରୁ, ବୁଧବାର ବିଳମ୍ବିତ ରାତିରେ ଲୋକସଭାରେ ଏହାକୁ ଅନୁମୋଦନ କରାଯାଇଥିଲା, ଯେଉଁଥିରେ ୨୮୮ ସଦସ୍ୟ ଏହା ସପକ୍ଷରେ ଭୋଟ ଦେଇଥିଲେ ଏବଂ ୨୩୨ ସଦସ୍ୟ ଏହା ବିରୁଦ୍ଧରେ ଭୋଟ ଦେଇଥିଲେ।