ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଚୀନର ସିଚୁଆନ୍ ପ୍ରଦେଶରେ ଭୟଙ୍କର ଭୂସ୍ଖଳନ ଘଟି ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୦ରୁ ଅଧିକ ଘର ମାଟିତଳେ ପୋତି ହୋଇଯାଇଥିବା ବେଳେ ଶହ ଶହ ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ଏହି ଦୁର୍ଘଟଣାରେ ୩୦ ଜଣରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି ବୋଲି ଖବର ପ୍ରକାଶ ପାଇଛି। ତେବେ ଏନେଇ ସୂଚନା ମିଳିବା ପରେ ଉଦ୍ଧାର କର୍ମଚାରୀମାନେ ନିଖୋଜ ଥିବା ଲୋକମାନଙ୍କୁ ଖୋଜିବା ଆରମ୍ଭ କରିଦେଇଛନ୍ତି।
ଚାଇନାର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ଅଗ୍ନିଶମ କର୍ମଚାରୀଙ୍କ ସମେତ ଶହ ଶହ ଉଦ୍ଧାର କର୍ମଚାରୀଙ୍କୁ ଏହି ଅପରେସନରେ ସାମିଲ କରିଛି। ଗଣମାଧ୍ୟମ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୨୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଆପଣଙ୍କୁ କହିରଖୁ ଯେ ଏହି ଦୁର୍ଘଟଣା ପରେ ଚାଇନାର ଜାତୀୟ ବିକାଶ ଏବଂ ସଂସ୍କାର ଆୟୋଗ ଜରୁରୀକାଳୀନ ପୁନରୁଦ୍ଧାର ପାଇଁ ୫୦ ମିଲିୟନ୍ ୟୁଆନ୍ (୬.୯ ମିଲିୟନ୍ ଆମେରିକୀୟ ଡଲାର୍) ଆବଣ୍ଟନ କରିଛି।
ଗତ କିଛି ମାସ ହେବ ପାହାଡରୁ ପଥର ଖସୁଥିଲା ଏବଂ ବେଳେବେଳେ ବାଣ ଫୁଟିଲା ଭଳି ପ୍ରଚଣ୍ଡ ଶବ୍ଦ ଶୁଣାଯାଉଥିଲା ବୋଲି ଗ୍ରାମବାସୀ ମାନେ ସୂଚନା ପ୍ରଦାନ କରିଛନ୍ତି। ପୂର୍ବରୁ ଭୂବିଜ୍ଞାନୀମାନେ ଏହି ଅଞ୍ଚଳ ଯାଞ୍ଚ କରି ବିପଦ ସମ୍ପର୍କରେ ଚେତାବନୀ ଦେଇଥିଲେ ବୋଲି ଚାଇନାର ସରକାରୀ ଗଣମାଧ୍ୟମ ରିପୋର୍ଟ ପ୍ରଦାନ କରିଛି।
ଏହି ବିପର୍ଯ୍ୟୟକୁ ନେଇ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଉଦ୍ବେଗ ପ୍ରକାଶ କରିଛନ୍ତି। ନିଖୋଜ ଲୋକଙ୍କୁ ଖୋଜିବା ଏବଂ ମୃତକଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ସମସ୍ତ ଉଦ୍ୟମ କରିବାକୁ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାଇନାର ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ନିକଟବର୍ତ୍ତୀ ଅଞ୍ଚଳରେ ଭୈାଗଳିକ ବିପଦର ଯାଞ୍ଚ କରିବା ସହ ବିପଦରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।