ଭୁବନେଶ୍ୱର, ୨୦/୦୩(ସସ୍ମିତା ମଲ୍ଲ): କଂସାରେ କଂସାଏ  ପଖାଳ....ତା’ସାଙ୍ଗକୁ ଆଳୁ ଭର୍ତ୍ତା ନହେଲେ ଆମ୍ବୁଲ  ଝୋଳ, ବଡ଼ି ଚୁରା, ସଜନା ଶାଗ ଭଜା, ଶୁଖୁଆ ପୋଡ଼ା,  ମାଛ ଭଜା, ଚିଙ୍ଗୁଡି ଛେଚା, ମଟନ କିମ୍ବା ଚିକେନ୍‌  କଷା, କୋଶଳା ଶାଗ ଭଜା ନହେଲେ କଖାରୁ  ଫୁଲ ପିଠଉ ହେଲେ ପଖାଳ ଖାଇବାର ଇଚ୍ଛା  ଆହୁରି ବଢ଼ିଯାଏ । ତେବେ ଏଥର ନିରାମିଷ  ବାରରେ ପଖାଳ ଦିବସ ପଡ଼ୁଥିବାରୁ ପଖାଳ ଆସର ଫିକା ପଡ଼ିବ । 

ବହୁ ସମୟରେ ଏମିତି ଅନେକ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ପଖାଳ ସହିତ ଖିଆ  ଯାଇଥାଏ । ସକାଳ ହେଉ କି ଖରାବେଳ  ପାଖଳ ଖାଇବା ଓଡ଼ିଆ ଘରର ଏକ  ନିତିଦିନିଆ ଅଭ୍ୟାସ । ଏମିତି ଅନେକ ଓଡ଼ିଆ ଅଛନ୍ତି ଯେଉଁମାନେ ଦିନକୁ ଅତି କମରେ ଥରେ ଯେମିତି ହେଲେ ପଖାଳ ଖାଆନ୍ତି । ତେବେ ମାର୍ଚ୍ଚ ୨୦ ତାରିଖକୁ ପଖାଳ  ଦିବସ ଭାବେ ପାଳନ କରାଯିବା ଦିନରୁ ଏହା  ବାକି ଲୋକଙ୍କୁ ମଧ୍ୟ ପଖାଳ ଖାଇବାର ସୁଯୋଗ  ଦେଇଛି । 

ଓଡ଼ିଶାର ଉତ୍ତପ୍ତ ଜଳବାୟୁ କାରଣରୁ କେଉଁ  ଆବାହମାନ କାଳରୁ ପଖାଳ ଖାଇବା ଅଭ୍ୟାସରେ ପରିଣତ  ହୋଇସାରିଛି । ପଖାଳକୁ କେହି କେହି ଗରିବଙ୍କ ଖାଦ୍ୟର  ପରିଚୟ ଦେଉଥିବା ବେଳେ ଏବେ ଏହା ରୋସ୍ତୋରାଁ  ଏବଂ ଷ୍ଟାର ହୋଟେଲରେ ମୁଖ୍ୟ ମେନୁରେ ସାମିଲ ହୋଇଛି । କେବଳ ଓଡ଼ିଶାର ଲୋକ ନୁହଁନ୍ତି ବାହାରୁ  ଆସୁଥିବା ଅତିଥି ବି ପଖାଳର ମଜା ନେବାକୁ ଭୁଲୁ  ନାହାନ୍ତି । ପୂର୍ବରୁ କେବଳ ଭାତରେ ପାଣି ପୁରାଇ ରାତିକ  ରହିବା ପରେ ଏହାକୁ ଖିଆ ଯାଉଥିଲା । ଏବେ ବିଭିନ୍ନ  ପ୍ରକାରର ପଖାଳ ପ୍ରସ୍ତୁତ କରାଯାଉଛି । ଦହି ପଖାଳଠାରୁ ଆରମ୍ଭ କରି ପୋଦିନା ପାଖାଳ ଆମ ହାଣ୍ଡିଶାଳରେ ପ୍ରସ୍ତୁତ  ହେଉଛି । ପୂର୍ବ କାଳରେ ପଖାଳ ଖାଇବା ଲାଗି ନିର୍ଦ୍ଦିଷ୍ଟ  ଏକ ବାସନର ବ୍ୟବହାର କରାଯାଉଥିଲା । କୁହାଯାଏ  ସେଥିରେ ପଖାଳ ଖାଇବା ଦ୍ୱାରା ଶରୀରରେ ରୋଗ  ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ‘କଂସକମ୍‌ ବଳ ବର୍ଦ୍ଧକମ୍‌’ ଭୋଜନ ପାଇଁ କଂସାରେ  ତିଆରି ପାତ୍ର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ହିତକର ।  କଂସା ଧାତୁ ଆମର ବଳବୃଦ୍ଧି କରାଏ । ଐତିହ୍ୟ  ଗବେଷକ ସୁଦର୍ଶନ ସାହୁ କହନ୍ତି, ପୂର୍ବରୁ କଂସାରେ  ପଖାଳ ଖାଉଥିଲେ । ଏହା ଶରୀରରେ କ୍ୟାନସର  କୋଷିକାକୁ ରୋକିବାରେ ସହାୟକ ହୋଇଥାଏ । ଆଲର୍ଜି  ଭଲ ହୋଇଥାଏ, ଚର୍ମକୁ ଚିକ୍କଣ ରଖିବା, ଶରୀରରେ  ଜଳୀୟ ଅଂଶ ଦୂର କରିବା, ସୁନିଦ୍ରା, ତ୍ରିଦୋଷ(କଫ,  ବାତ, ପିତ୍ତ)କୁ ସନ୍ତୁଳିତ କରିଥାଏ । 

ଦକ୍ଷିଣ ଓଡ଼ିଶା,  ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପଖାଳ ପିତଳ ବେଲାରେ  ଖିଆଯାଏ । ଓଡ଼ିଶାରେ ବିଭିନ୍ନ ପ୍ରକାରର ବେଲା ବ୍ୟବହାର  କରାଯାଉଥିଲା । ହାତୀ ପାହୁଲିଆ, ଦୁଦୁରା ଫୁଲିଆ,  ବାଲେଶ୍ୱରୀ ବେଲା, ଲହରୀ ବେଲା, ତଭାଫାଳିଆ  ବେଲା(ବାପ, ପୁଅ, ମା, ଝିଅ ଏକାସାଙ୍ଗରେ  ଖାଇବେ), ରେକାପି ବେଲା, ଓଉଖମା ବେଲା,  ମଣ୍ଡାବେଲା, କୁଙ୍କୁଡି ବେଲା, ପୋଚ ବେଲା,  ମାଟିଆ କେଳା ବେଲା, ଅଣ୍ଟା ଭଙ୍ଗା ପଖାଳ  କଂସା ବେଲା, ରାମସାହି ପଖାଳ ବେଲା, ବିଇଠି  ବେଲା, ତୋରାଣି ବେଲା, ଗୋଲ ବେଲା, ଫାସ  ବେଲା, ମାଣ ବେଲା, ସହରୀ ବାବୁ ପଖାଳ  କଂସା ବେଲା, ଇନ୍ଦ୍ରପୁରୀ ବେଲା, ତ୍ରିପଟା ତୋରାଣି  ବେଲା ଓ ଛାତିଫୁଲିଆ ବେଲା ଯାହା କଂସାରେ  ତିଆରି ହୋଇଥାଏ ।

ବହୁ ପୂର୍ବରୁ ଏହି ସବୁ  ବେଲା ଓଡ଼ିଶାର ଜନସାଧାରଣ ପଖାଳ ଖାଇବା  ବେଳେ ବ୍ୟବହାର କରନ୍ତି ବୋଲି ଐତିହ୍ୟ  ଗବେଷକ ସୁଦର୍ଶନ ସାହୁ କହିଛନ୍ତି । ବିଭିନ୍ନ ପ୍ରକାର  ପଖାଳ ଯାହାର  ଆଦର ବଢ଼ିଚାଲିଛି ଦହି ପଖାଳ, ଚିପୁଡା ପଖାଳ,  ଅଭଡ଼ା ପଖାଳ, ସପୁରୀ ପଖାଳ,  ଛୁଙ୍କ ବା ମସଲା ଦିଆ ପଖାଳ,  ପୋଦିନା ପଖାଳ, ଅଦା  ପଖାଳ, ସଜ ପଖାଳ, ଜୀରା  ପଖାଳ, ମିଠା ବା ସୁବାଷିତ  ପଖାଳ, ଘିଅ ପଖାଳ, ମଲ୍ଲୀ  ଫୁଲିଆ ପଖାଳ, ବୈକୁଣ୍ଠ  ତୋରାଣି, ତୁଳସୀ  ପଖାଳର ଆଦାର ଏବେ  ବଢ଼ି ଚାଲିଛି ।