ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଉନପୁର ଜିଲ୍ଲା କୋର୍ଟରେ ଓକିଲ ଓ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁରା ଘଟଣା ସମ୍ପର୍କରେ ଜାଣିଲେ ଆପଣ ତାଜୁବ ହୋଇଯିବେ। ଖବର ମୁତାବକ, ଉକ୍ତ ଯୁବକ ଜଣକ ଜଣେ ହିନ୍ଦୁ ଯୁବତୀଙ୍କୁ ନେଇ ବିବାହ କରିବାକୁ କୋର୍ଟକୁ ଆସିଥିବା ବେଳେ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୁଚନା ମୁତାବକ, ଜଉନପୁର ଅଞ୍ଚଳର ମନିହା ଗାଁର ସଲମନ ନାମକ ଜଣେ ଯୁବକ ଜଣେ ଯୁବତୀଙ୍କୁ ଧରି ରେଜଷ୍ଟ୍ରି ବିବାହ କରିବାକୁ ଶୁକ୍ରବାର କୋର୍ଟରେ ପହଞ୍ଚିଥିଲେ। ତେବେ ଉଭୟଙ୍କ ବିବାହ ପାଇଁ ଓକିଲ ନଥିପତ୍ର ଯାଞ୍ଚ କଲାବେଳେ ଉଭୟେ ଅଲଗା ଅଲଗା ସମ୍ପ୍ରଦାୟରୁ ଆସିଥିବା ଜଣାପଡିଥିଲା। ଯାହାକୁ ନେଇ ସେଠାରେ ଉପସ୍ଥିତ ଥିବା ଅନେକ ଓକିଲ ଏହାର ବିରୋଧ କରିବା ସହ ସଲମନଙ୍କ ସହ ଠେଲାପେଲା ଆରମ୍ଭ କରିଦେଇଥିଲେ।
ପରିସ୍ଥିତି ଅଣାୟତ ହେଉଥିବା ଦେଖି ସଲମନ ଓ ତାଙ୍କ ପରିବାର ଲୋକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଅଧିକାରୀମାନେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ପୋଲିସ ସେଠାରୁ ଯୁବତୀ ଜଣଙ୍କୁ ଥାନାକୁ ନେଇ ଘଟଣା ସମ୍ପର୍କରେ ପଚରା ଉଚରା ଜାରି ରଖିଛି ବୋଲି ଜଣାପଡିଛି।
ପୋଲିସ ଘଟଣା ସମ୍ପର୍କରେ ଯୁବତୀଙ୍କ ପରିବାରକୁ ସୂଚନା ଦେବାପରେ ଯୁବତୀଙ୍କ ପରିବାର ଥାନାରେ ପହଞ୍ଚିଥିଲେ। ତେବେ ସଲମାନ ଯୁବତୀଙ୍କ ସହ ପ୍ରତାରଣା କରିବା ପରେ ତାଙ୍କ ଇଛା ବିରୁଦ୍ଧରେ ତାଙ୍କ ସହ ବିବାହ କରିବାକୁ ଚାହୁଁଥିଲା ବୋଲି ପରିବାର ଲୋକ ପୋଲିସକୁ ସୂଚନା ପ୍ରଦାନ କରିଛନ୍ତି। ସଲମନ ପୂର୍ବରୁ ମଧ୍ୟ ଏପରି ଅନେକ ପ୍ରୟାସ କରିଛି ବୋଲି ଯୁବତୀଙ୍କ ମା ପୋଲିସକୁ କହିଛନ୍ତି।
ଏହାପରେ ଯୁବତୀଙ୍କ ପିତାମାତା ଏହାକୁ ନେଇ ସଲମାନଙ୍କ ଉପରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ ସଲମନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ଏହି ମାମଲାର ଛାନଭିନ ଜାରି ରଖିଛି।