ପୁରୀ, ୨୭/୦୨: ଶିବ ପଞ୍ଚାକ୍ଷର ମନ୍ତ୍ରରେ ପ୍ରକମ୍ପିତ ହୋଇଥିଲା ଶ୍ରୀଲୋକନାଥ ପୀଠ । ଘଣ୍ଟ ହୁଳହୁଳିରେ ଓ ହରହର ମହାଦେବ ଧ୍ୱନିରେ ଉଛୁଳି ପଡ଼ିଥିଲା ଜାଗରପଦା । ସନ୍ଧ୍ୟା ହେବା କ୍ଷଣି ଦୀପ ଲଗାଇ ମହାଦେବଙ୍କ ଆରାଧନାରେ ଜାଗରପଡ଼ିଆ ହୋଇଉଠିଥିଲା ଚଳଚଞ୍ଚଳ । ଶିବମୟ ହୋଇପଡିଥିଲା ଶ୍ରୀକ୍ଷେତ୍ର । ଶ୍ରୀ ଲୋକନାଥଙ୍କ ପୀଠରେ ଭୋର୍ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ଲକ୍ଷାଧିକ ଭକ୍ତ ଶ୍ରୀ ଲୋକନାଙ୍କ ଦର୍ଶନ କରିଥିଲେ । ଶ୍ରଦ୍ଧାଳୁମାନେ ଉଜାଗର ରହି ଜାଗର ଜାଳିଥିଲେ । ଶ୍ରୀକ୍ଷେତ୍ରରେ ଅଧିକାଂଶ ମନ୍ଦିରରେ ମଧ୍ୟ ରାତ୍ର ସୁଦ୍ଧା ମହାଦୀପ ଉଠିଥିଲା । କିନ୍ତୁ ଶ୍ରୀଲୋକନାଥ ମନ୍ଦିରରେ ରାତିର ଶେଷ ଅର୍ଥାତ୍ ଭୋର୍ ୫ଟା ୫୭ରେ ମହାଦୀପ ଦର୍ଶନ କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ପବିତ୍ର ଜାଗରରେ ମହାଦେବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସହରର ବିଭିନ୍ନ ଶୈବ ପୀଠରେ ଭୋରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଦିନତମାମ ଗହଳି ଲାଗି ରହିଥିଲା । ସନ୍ଧ୍ୟାରୁ ସମସ୍ତ ଶୈବପୀଠରେ ଦୀପ ଜାଳି ମହାଦୀପ ଉଠିବାକୁ ଅପେକ୍ଷା କରି ରହିଥିଲେ ।
ମହାଶିବରାତ୍ରି ପାଇଁ ପ୍ରଶାସନ ଏବଂ ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁଯାୟୀ, ରାତ୍ର ୧୨ଟା ୩୦ ମନ୍ଦିର ଦ୍ୱାର ଫିଟିଥିଲା । ମଙ୍ଗଳଆଳତି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ, ସକାଳଧୂପ ଓ ମଧ୍ୟାହ୍ନ ଧୂପ ସରିବା ପରେ ବୁଧବାର ଭୋର ୪ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ବିଳମ୍ବିତ ରାତ୍ରରୁ ଶ୍ରଦ୍ଧାଳୁମାନେ ଦର୍ଶନ ଲାଗି ବ୍ୟାରିକେଡରେ ଅପେକ୍ଷା କରିଥିଲେ । ସେହିଭଳି ଦିନ ଯେତିକି ମାତ୍ରାରେ ବଢୁଥାଏ, ସେହି ମାତ୍ରାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥିଲା । ଏପରିକି ଧାଡି ମଧ୍ୟ ଲମ୍ବିବାର ଲାଗିଥିଲା । ଟାଣ ଖରାରୁ ରକ୍ଷା ନିମନ୍ତେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଉପରେ କପଡାରେ ଛାଇ କରାଯାଇଥିଲା । ପ୍ରଶାସନ ପକ୍ଷରୁ ପରିମାଣିକ ଦର୍ଶନ ଲାଗି ସ୍ୱତନ୍ତ୍ର ଟିକଟ ବ୍ୟବସ୍ଥା କରାଯାଇଥିଲା । ୫ରୁ୬ହଜାର ଶ୍ରଦ୍ଧାଳୁଙ୍କ ଟିକଟ ବ୍ୟବସ୍ଥା ହୋଇଥିଲା । ପ୍ରତି ଟିକଟର ମୂଲ୍ୟ ୧୦୦ଟଙ୍କା ରହିଥିଲା । ପରିମାଣିକ ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯାଇଥିଲା ।
ମାନସିକଧାରୀମାନେ ଶ୍ରୀଲୋକନାଥଙ୍କ ନିକଟରେ ରୂପାଲାଗି କରିବା ସହିତ ଚୁଡ଼ାଘଷା ଭୋଗ କରିଥିଲେ । ସେହିପରି କିଆ, କେତକୀ, ନାଗେଶ୍ୱର ଓ ପଳାଶ ଫୁଲ ଲାଗି କରାଇଥିଲେ । ମାନସିକଧାରୀମାନେ ନିଷ୍ଠାର ସହ ଜାଗର ଜାଳିଥିଲେ । ରାତିର ଶେଷ ପ୍ରହରରେ ମହାଦୀପ ଦର୍ଶନ କରି ମହାଦେବଙ୍କ ପ୍ରସାଦ ପାଇ ଉପବାସ ଭାଙ୍ଗିଥିଲେ ।
ଜାଗର ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ବରିଷ୍ଠ ଅଧିକାରୀଙ୍କ ସହ ୧୧ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ଅନ୍ୟପକ୍ଷରେ ଭିଡ ମଧ୍ୟରେ ଲୁଟେରାମାନଙ୍କୁ ଠାବ କରିବା ଲାଗି ସାଦା ପୋଷାକଧାରୀ ପୁଲିସଙ୍କୁ ମୁତୟନ କରାଯାଇଥିବା ନେଇ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ସେହିପରି ୫ଜଣ ମାଜିଷ୍ଟେଟ ଉପସ୍ଥିତ ରହି ମନ୍ଦିର ନୀତିକାନ୍ତିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଘଟଣା ଉପରେ ନଜର ରଖିଥିଲେ।