ନୂଆଦିଲ୍ଲୀ/ଭୁବନେଶ୍ବର,୨୭।୨ : ଆମ ସମ୍ବିଧାନ ବହୁ ଭାଷାଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ସମସ୍ତ ଭାରତୀୟ ଭାଷାର ସଂରକ୍ଷଣ ଏବଂ ବିକାଶକୁ ସମର୍ଥନ କରିଥାଏ। ବର୍ତ୍ତମାନ ସମୟରେ ଭାଷା ଭିତ୍ତିକ ଶିକ୍ଷା ଏକ ବିଶ୍ବସ୍ତରୀୟ ଆହ୍ବାନ ହୋଇଛି ବୋଲି ଗୁରୁବାର ଲାଙ୍ଗୁଏଜ୍ ଆଣ୍ଡ ଲର୍ଣ୍ଣିଂ ଫାଉଣ୍ଡେସନ (ଏଲଏଲଏଫ) ର ୧୦ ତମ ବାର୍ଷିକ ସମାରୋହରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୟୁନିସ୍କୋର ଗ୍ଲୋବାଲ ଏଜୁକେସନ ମନିଟରିଂ ରିପୋର୍ଟ ୨୦୧୬ ଅନୁଯାୟୀ ବିଶ୍ବର ପ୍ରାୟ ୪୦ ପ୍ରତିଶତ ଲୋକ ଯେଉଁ ଭାଷାରେ ବୁଝନ୍ତି ସେହି ଭାଷାରେ ଶିକ୍ଷା ପାଇ ପାରୁ ନାହାନ୍ତି । ତେଣୁ ଛାତ୍ରଛାତ୍ରୀମାନେ ଯେଉଁ ଭାଷାରେ ଭଲ ଭାବରେ କହିବେ ଓ ବୁଝିବେ ସେହିପରି ଶିକ୍ଷାଦାନ ଓ ଶିକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ନୀତିଗତ ହସ୍ତକ୍ଷେପ ନିମନ୍ତେ ଆହ୍ବାନ ଦେବା ଅଧିକ ଜରୁରୀ। ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରି ଦେଶର ସମଗ୍ର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିବା। ଦେଶର ପ୍ରତ୍ୟେକ ପିଲା ଯେଉଁ ଭାଷାରେ ବୁଝିପାରିବେ, ସେହିଭଳି ଉପଯୁକ୍ତ ବାତାବରଣ ପ୍ରଦାନ କରିପାରିବା।
ଲାଙ୍ଗୁଏଜ ଆଣ୍ଡ ଲର୍ଣ୍ଣିଂ ଫାଉଣ୍ଡେସନକୁ ଏକ ଦଶନ୍ଧିର ଉତ୍କର୍ଷତା ପୂରଣ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ମୌଳିକ ଶିକ୍ଷଣ ଦକ୍ଷତା ଏବଂ ବହୁଭାଷାଭାଷୀ ବିକାଶ କରାଇବା ଦିଗରେ ଏହି ସଂସ୍ଥା ସମର୍ପିତ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି।