ଭୁବନେଶ୍ୱର,୦୬/୦୨: ନାଟ୍ୟପ୍ରେମୀ ହେବେ ଖଣ୍ଡଗିରିମୁହାଁ । ବର୍ଷ ତମାମ୍ ଚାହିଁରହିବାର ଘଟିବ ଅନ୍ତ । ଗୁରୁବାରଠୁ ଆରମ୍ଭ ହେଉଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ନାମୀଦାମୀ ଅପେରା ପାର୍ଟି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖାଇବେ ଜଲ୍ୱା । ଖାଲି ନାଟକପ୍ରେମୀ ନୁହନ୍ତି ସେମାନଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇବାକୁ ଅପେକ୍ଷାରତ କଳାକାରଙ୍କର ବି ଆଜି ହେଉଛି ବିଶେଷ ମୁହୂର୍ତ୍ତର ଦିନ । ଏଇଠୁ ସେମାନଙ୍କ କଳାନୈପୁଣ୍ୟର ପରାକାଷ୍ଠା ସମଗ୍ର ଓଡ଼ିଶା ଦେଖିବ । ସନ୍ଧ୍ୟାରୁ ଗହଳଚହଳ ଜମି ଆସିବା ପରେ ମେଳା ବୁଲା ସାଙ୍ଗକୁ ମଞ୍ଚମନସ୍କ ହେବେ ଦର୍ଶକ । ୭ଟି ପେଣ୍ଡାଲ୍ରେ ଦୁଇଟି ପର୍ଯ୍ୟାୟରେ ୧୩ଟି ନାମୀ ଅପେରା ପାର୍ଟି ନାଟକ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ ।
ଗୁରୁବାର ମହତାବ ପେଣ୍ଡାଲ୍ରେ ଯାତ୍ରା ମଇଦାନକୁ ଓହ୍ଲାଇବ ‘ନାଟ୍ୟ ସମ୍ରାଟ ପୃଥ୍ୱୀରାଜ’ । ପ୍ରଥମ ରାତିରେ ପାର୍ଟି ସାରା ଓଡ଼ିଶାରେ ଚହଳ ସୃ୍ଷ୍ଟି କରିଥିବା ଯାତ୍ରା ୟୁନିକ୍ ପ୍ରଦୀପ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ‘ରାଜଧାନୀର ରାଜନୀଗନ୍ଧା’ ମଞ୍ଚସ୍ଥ କରିବ । ଚର୍ଚ୍ଚିତ ନାୟିକା ରାଣୀ ପଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ସାଇ ପାୟଲ, ସପନି, ଟିକିଲି, ଜୁନିଅର କୈଳାଶ ବେହେରା ପ୍ରମୁଖଙ୍କ ଭଳି କଳାକାରଙ୍କୁ ନେଇ ପାର୍ଟି ପୂରା ଦମ୍ରେ ଲଢ଼ିବ । ସନାତନ ସେବା ସମିତି ଘାଟିକିଆ ପେଣ୍ଡାଲ୍ରେ ପ୍ରଥମେ ‘ସୂର୍ଯ୍ୟମନ୍ଦିର’ ନାଟକ ମଞ୍ଚସ୍ଥ କରିବ ଦୀପକ ଜେନାଙ୍କ ରଚିତ ଓ ଗୁରୁ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ‘ହାଇଦର’ । ବିଭିନ୍ନ ଭୂମିକାରେ ପିୟୁଷ, ହୃଷି, କ୍ଷୀତିଶ, ମାମା, ବବୁଲ, ପିଙ୍କି, ଭିକାରୀ, ଝରଣା, ନିଲୁଆ, ରବି ବ୍ରହ୍ମା ଏବଂ ରଜତ ପ୍ରମୁଖଙ୍କ ଦମ୍ଦାର ଅଭିନୟ ଦର୍ଶକଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିବ ।
ଇନ୍ଦିରା ସାଂସ୍କୃତିକ ପରିଷଦ ଜାଗମରାରେ ନାଚିବ ‘ଶିବାନୀ ଗଣନାଟ୍ୟ’ । ପାର୍ଟି ନିହାର ରଞ୍ଜନ ମହାନ୍ତିଙ୍କ ରଚିତ ଓ ପ୍ରଶାନ୍ତ ନାୟକ ଓରଫ ବଳିଆ ସାର୍ଙ୍କ ନିର୍ଦ୍ଦେଶିତ ସୁପରହିଟ୍ ନାଟକ ‘ହା କୃଷ୍ଣ ବୋଲି ଯାଉ ଜୀବ’ମଞ୍ଚସ୍ଥ କରିବ । ନାଟକରେ ଗୌର ଦାସ, କାବେରୀ, ଗୌରାଙ୍ଗ ସେନାପତି, ଟାହିଆ, ବ୍ରଜ ପାଣି ପ୍ରମୁଖ ଭେଟେରାନ୍ କଳାକାରଙ୍କୁ ନେଇ ମଇଦାନକୁ ଓହ୍ଲାଉଛି । କେସିଏ ପଡ଼ିଆ ଜୟଦୁର୍ଗା ମଣ୍ଡପରେ ‘ବିଶ୍ୱ ଦରବାର’ ହଇଚଇ କରିବ । ଅଜୟ ସ’ଙ୍କ ରଚିତ ଓ ତାପସ ସ୍ୱାଇଁଙ୍କ ନିର୍ଦ୍ଦେଶିତ ନାଟକ ‘କହିବାକୁ ଲାଜ ଶୁଣିଲେ ପାପ’କୁ ନେଇ ଯାତ୍ରା ମଇଦାନକୁ ଓହ୍ଲାଇବ । ମୁଖ୍ୟ ଭୂମିକାରେ ଲରେନ୍ସ, ମୁନୁ ପଣ୍ଡା, ଦୁର୍ଦ୍ଦାନ୍ତ ଖଳନାୟକ ସଞ୍ଜୟ ଭୋଳ, ଗୌର ପାଢ଼ୀ, ସରୋଜ ମହାପାତ୍ର, ମାମା, ତୁଳସୀ, ସୁକାନ୍ତୀ ପାଢ଼ୀ, ଭାରତୀ, ମାତନ ଓ ଲିଙ୍କା ପ୍ରମୁଖଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳିବ ।
ସେହିପରି ୭ ତାରିଖରୁ କେସିଏ ପଡ଼ିଆରେ ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ମଞ୍ଚରେ ଖେଳିବ ‘ଦୁର୍ଗା ମନ୍ଦିର’ । ପାର୍ଟି ସୁକାନ୍ତ ମଲ୍ଲିକଙ୍କ ରଚିତ ଓ ଲାଲା ବୀରେନ୍ ରାୟଙ୍କ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ନାଟକ ‘ଡିଏସ୍ପି ଦୁର୍ଗା’କୁ ନେଇ ମଇଦାନକୁ ଓହ୍ଲାଇବ । ନାଟକର ମୁଖ୍ୟ ଭୂମିକାରେ ଚର୍ଚ୍ଚିତ ନାୟିକା ଡଲି ଭୂୟାଁ, ଆକାଶ, ଜୀବନକବି, ଭିଲେନ୍ ରଣଜିତ, ବିରଞ୍ଚି, ଜିନା ଏବଂ ପଦ ପ୍ରମୁଖ କଳାକାରଙ୍କୁ ନେଇ ଦମ୍ ଦେଖାଇବ ।
ସେହିପରି ଜାଗମରା ବିଦ୍ୟୁତ୍ ସବ୍ଷ୍ଟେସନ ନିକଟ ପଡ଼ିଆରେ ବରମୁଣ୍ଡା ବାବା ନୀଳକଣ୍ଠେଶ୍ୱର ଯାତ୍ରା କମିଟି ପକ୍ଷରୁ ୭ରୁ ନାଚିବ ‘ଅପେରା ଯାଜ୍ଞସେନୀ’ । ପାର୍ଟି ଜୀବନ ଜେନାଙ୍କ ରଚିତ ଓ ତାପସ ସ୍ୱାଇଁଙ୍କ ନିର୍ଦ୍ଦେଶିତ ନାଟକ ‘ପାଞ୍ଚ ପତିରେ ମୁଁ ସତୀ’କୁ ନେଇ ମଇଦାନକୁ ଓହ୍ଲାଇବ। ବିଭିନ୍ନ ଭୂମିକାରେ ଶଙ୍ଖାଳି, ମିନୁ ମହାପାତ୍ର, ଉତ୍ତମ, ନୀଲ, ବର୍ଷା ଆଦିକନ୍ଦ, କେଞ୍ଚୁଆ, ବିରଞ୍ଚି ପ୍ରମୁଖ କଳାକାରଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳିବ ।