ୱାଶିଂଟନ, ୨୧/୦୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସବୁଠୁ ଭରସାଯୋଗ୍ୟ ତଥା ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲଙ୍କୁ ଗୁରୁ ଦାୟିତ୍ବ । ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି କାଶ୍ । ଆମେରିକା ସିନେଟରେ ଏହି ଅନୁମୋଦନ ମିଳିଛି ।
କାଶଙ୍କର ଏହି ନିଯୁକ୍ତି ଆମେରିକାର ଶୀର୍ଷ ତଦନ୍ତ ଏଜେନ୍ସିଂର ନେତୃତ୍ବରେ ବଡ ପରିବର୍ତ୍ତନ ରୂପେ ଦେଖିବାକୁ ମିଳିବ । ଟ୍ରମ୍ପଙ୍କର ଜଣେ ଦୃଢ଼ ସମର୍ଥକ କାଶ୍ ପଟେଲଙ୍କ ନିଯୁକ୍ତି ପାଇଁ ଆମେରିକା ସିନେଟ୍ ୫୧-୪୯ ଭୋଟରେ ମଞ୍ଜୁରୀ ପ୍ରଦାନ କରିଛି । ଏଫବିଆଇ ନିଯୁକ୍ତି ସହ ଟ୍ରମ୍ପ ପ୍ରଶାସନର ନ୍ୟାୟ ବିଭାଗର ନବକଳେବର ହୋଇଛି । ରିପୋଟର୍ସ ଅନୁସାରେ ଟ୍ରମ୍ପ ପ୍ରାଶାସନ ପ୍ରଥମ ମାସରେ ୭୫ ସିନିୟର ଆଡଭୋକେଟ୍ ଓ ଏଫବିଆଇ ଅଧିକାରୀ ଇସ୍ତଫା ଦେଇଥିବା କୁହାଯାଉଛି ।
ଅଧିକ ପଢନ୍ତୁ...ଆମେରିକା ରାଷ୍ଟ୍ରପତି ବିଶ୍ବର ସମ୍ରାଟ ହେବାକୁ ଚାହୁଁଛନ୍ତି: ବ୍ରାଜିଲ୍ ରାଷ୍ଟ୍ରପତି
ନ୍ୟୁୟର୍କର ଗାର୍ଡେନ୍ ସିଟିରେ ୧୯୮୦ରେ ଜନ୍ମଗ୍ରହଣ କରିଥିବା ପଟେଲ୍ଙ୍କର ଉଭୟ ପ୍ରତିରକ୍ଷା ଓ ଗୁଇନ୍ଦା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଛି । ତାଙ୍କ ପିତାମାତା ଗୁଜରାଟୀ । ସେ ଟ୍ରମ୍ପ୍ଙ୍କର ଜଣେ ଦୃଢ଼ ସମର୍ଥକ ତଥା ଘନିଷ୍ଠ ସହଯୋଗୀ । ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ଏଫ୍ବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଏହି ସହ ସେ ଏଫବିଆଇର ନବମ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବେ ।
କାଶଙ୍କ ନିଯୁକ୍ତିକୁ ବିରୋଧ- ଅନ୍ୟପକ୍ଷରେ ସିନେଟର ସୁସାନ୍ କଲିନ୍ସ କାଶ୍ ପଟେଲ୍ଙ୍କ ନିଯୁକ୍ତିକୁ ବିରୋଧ କରିଛନ୍ତି । ସେ କହିଛନ୍ତି, ରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ନେତା ଏଫ୍ବିଆଇର ନିର୍ଦ୍ଦେଶକ ହେବା ଅନୁଚିତ । ସରକାରୀ ଅଧିକାରୀ ଭାବେ ଯଦିଓ ତାଙ୍କର ୧୬ ବର୍ଷର ଅଭିଜ୍ଞତା ରହିଛି, କିନ୍ତୁ ବିଗତ ୪ ବର୍ଷ ଧରି ସେ ରାଜନୀତିରେ ବେଶ୍ ସକ୍ରିୟ ରହିଥିଲେ । ସେ ରାଜନୈତିକ ଭାବେ ଅନେକ ସଂଖ୍ୟକ ବୟାନ ବି ଦେଇଛନ୍ତି । ତେଣୁ ମୁଁ ତାଙ୍କ ବିରୋଧରେ ଭୋଟ୍ ଦେବି ବୋଲି ସୁସାନ୍ କହିଛନ୍ତି ।