ପ୍ଲାଷ୍ଟିକ୍‌ ନିଷିଦ୍ଧାଞ୍ଚଳ ହେଲା କପିଳାସ, ନମାନିଲେ ୫୦୦ ଟଙ୍କା ଜରିମାନା

Published By : Prameya | December 28, 2024 10:05 AM

ଢେଙ୍କାନାଳ,୨୮/୧୨ : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସକୁ ପ୍ଲାଷ୍ଟିକ୍‌ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ କଟକଣା କରାଯାଇଛି । ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କପିଳାସ ଛକ ଠାରୁ କପିଳାସ ପୀଠ, ପାର୍କିଂ ସ୍ଥଳ ଓ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଅଞ୍ଚଳ କଟକଣାଭୁକ୍ତ ହୋଇଛି । ଅମାନ୍ୟକଲେ ୫୦୦ ଟଙ୍କାର ଜରିମାନା ପ୍ରାବଧାନ ରଖାଯାଇଛି। ସଂରକ୍ଷିତ ଜଙ୍ଗଲ ମଧ୍ୟରେ କପିଳାସ ପୀଠ ଥିବା ବେଳେ ପରିବେଶକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। 

ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପକ୍ଷରୁ ଗୁରୁବାର ଏ ନେଇ ନିର୍ଦ୍ଦେଶନାମା (ପତ୍ରସଂଖ୍ୟା-୭୩୫୭) ପ୍ରକାଶ ପାଇଛି । ପ୍ଲାଷ୍ଟିକ୍‌ ଆବର୍ଜନା ପରିଚାଳନା ନିୟମ ୨୦୧୬ ଅନୁଯାୟୀ ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଛି । କପିଳାସ ପୀଠର ପାଦଦେଶ ଅର୍ଥାତ କପିଳାସ ଛକଠାରୁ ବାରବାଙ୍କ ଦେଇ କପିଳାସ ପୀଠର ଶିଖର ପର୍ଯ୍ୟନ୍ତ ଓ ପାର୍କିଂ ସ୍ଥଳ, ଘରୋଇ ହୋଟେଲଠାରୁ ଦେଓଗାଁ ପିଏଚ୍‌ସି ପର୍ଯ୍ୟନ୍ତ ଅଞ୍ଚଳକୁ କଟକଣା ଅଞ୍ଚଳରେ ସାମିଲ କରାଯାଇଛି । ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଗଁଦିଆ ବିଡି଼ଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଭଳି ପ୍ଲାଷ୍ଟିକ୍‌ ବ୍ୟବହାର କରାନଯାଏ ତାହା ନିଶ୍ଚିତ କରିବାକୁ କୁହାଯାଇଛି । 

ସେହିଭଳି ଗଁଦିଆ ଥାନା ଅଧିକାରୀ ପୁଲିସ ଫୋର୍ସ୍‌ ସହ ଚଢ଼ାଉ କରିବେ । ନିୟମ ଅମାନ୍ୟ କରି ପ୍ଲାଷ୍ଟିକ ବ୍ୟବହାର କଲେ ୫୦୦ ଟଙ୍କାର ଜରିମାନା ଆଦାୟ କରାଯିବ ବୋଲି ବିଜ୍ଞପ୍ତିରେ ଚେତାଇ ଦିଆଯାଇଛି । ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ ଗତକାଲି ପୀଠରେ ପହଞ୍ଚି ସଚେତନ କରିଥିଲେ । ନିଲାମ ନେଇ ଭୋଗ, ଅନ୍ନପ୍ରସାଦ ସମେତ ବିଭିନ୍ନ ଦୋକାନ କରିଥିବା ବ୍ୟବସାୟୀଙ୍କୁ ସଚେତନ କରିଥିଲେ । ଜରି ପ୍ଲାଷ୍ଟିକରେ ଭୋଗ, ଫୁଲ ଆଦି ଦିଆଯାଉଥିବାରୁ ତାହାକୁ ବାରଣ କରିଥିଲେ । ବଦଳରେ ତାଳପତ୍ର କିମ୍ବା କାଗଜଠୁଙ୍ଗା ବ୍ୟବହାର କରିବାକୁ ତାଗିଦ୍‌ କରିଥିଲେ । ସେହିଭଳି ପୀଠରେ ଅନ୍ନପ୍ରସାଦ ଥାଳି ସୋଲ କିମ୍ବା ପ୍ଲାଷ୍ଟିକ୍‌ ବଦଳରେ ଖଲିପତ୍ର ବ୍ୟବହାର କରିବାକୁ କହିଥିଲେ । ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଗଡ଼ନାୟକ କହିଛନ୍ତି । 

କିଛି ବର୍ଷ ହେଲା ଶ୍ରାବଣ ମାସରେ କାଉଡ଼ିଯାତ୍ରା ସମୟରେ ପ୍ରଶାସନ ପ୍ଲାଷ୍ଟିକ ଉପରେ କଟକଣା ଜାରି କରିଆସୁଛି । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଅଜ୍ଞତାବଶତଃ ପ୍ଲାଷ୍ଟିକ୍‌ ଆଣୁଥିବାରୁ ନିଷିଦ୍ଧ ସତ୍ୱେ ପୀଠରେ କୁଢକୁଢ ପ୍ଲାଷ୍ଟିକ ଆବର୍ଜନା ପଡିରହିଥାଏ । ଏଥିପାଇଁ ପୀଠକୁ ସବୁଦିନ ପାଇଁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ପରିବେଶ ପ୍ରେମୀ ଦାବି କରିଆସୁଥିଲେ । ପ୍ରଶାସନର ଏ ନିଷ୍ପତ୍ତିକୁ ପରିବେଶ ପ୍ରେମୀ ସ୍ୱାଗତ କରିଥିବା ବେଳେ କଟକଣାକୁ କଡ଼ାକଡ

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.