ନୂଆଦିଲ୍ଲୀ,୨୭/୦୨: ଆଇଟିବିପିର ଜଣେ ମହିଳା ଯବାନ ଲିଙ୍ଗ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ । ବହୁ ତର୍ଜମା ପରେ ଏହାକୁ ଖାରଜ କରି ଦିଆଯାଇଛି । ଏହାଦ୍ୱାରା ଅନ୍ୟ ଯବାନଙ୍କ ଉପରେ ମାନସିକ ବ୍ୟବହାରିକ ପ୍ରଭାବ ପଡ଼ିବ ବୋଲି ଆଇଟିବିପି ପକ୍ଷରୁ କୁହାଯାଇଛି ।
ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ମହିଳା ଯବାନ ଜଣଙ୍କ ନିଜ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ମାଗିଥିଲେ । ଏହାପରେ ଇଣ୍ଡୋ-ତିବେତାନ ବର୍ଡର ପୁଲିସ (ଆଇଟିବିପି) ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମତାମତ ଲୋଡ଼ିଥିଲା । ଏଥିପାଇଁ କୌଣସି ମାର୍ଗଦର୍ଶିକା ନ ଥିବାରୁ ମନ୍ତ୍ରଣାଳୟ କାର୍ମିକ ଓ ତାଲିମ ବିଭାଗ (ଡିଓପିଟି) ସହ ମିଶି ଏ ନେଇ ବ୍ୟାପକ ବିଶ୍ଳେଷଣ କରିଥିଲା । ଏହାପରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍)ର ମେଡିକାଲ ଡାଇରେକ୍ଟୋରେଟ୍ର ମତାମତ ଲୋଡ଼ାଯାଇଥିଲା । ଶେଷରେ ନୀତିଗତ ନିଷ୍ପତ୍ତି ନିଆଯାଇ ଆବେଦନକୁ ଖାରଜ କରାଯାଇଛି । ବଳଗୁଡ଼ିକରେ ଲିଙ୍ଗ ପରିବର୍ତ୍ତନ ଲାଗି ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସାର୍ବଜନୀନ ଭାବେ ନିଷ୍ପତ୍ତି ହୋଇଥିବା ଆଇଟିବିପିକୁ ଚିଠି ଲେଖି ଜଣାଇଥିଲା ସିଏପିଏଫ୍ । ତା’ଛଡ଼ା ବାହିନୀରେ ପୁରୁଷ ଓ ମହିଳାଙ୍କ ପାଇଁ ଶାରୀରିକ ମାନଦଣ୍ଡ ଭିନ୍ନ ଭିନ୍ନ ଥିବାରୁ ଲିଙ୍ଗ ପରିବର୍ତ୍ତନ ଦ୍ୱାରା ଏହା ଉପରେ କୌଣସି ଫରକ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା ।