ତେଲ ଅଭିଭ୍, ୧୮/୬: ଇସ୍ରାଏଲ-ଇରାନ ସଂଘର୍ଷ ମଙ୍ଗଳବାର ୫ମ ଦିନରେ ପହଞ୍ଚିଥିବା ବେଳେ ଇସ୍ରାଏଲ ଆମେରିକାଠାରୁ ପ୍ରାୟ ୧୪ ହଜାର କେଜି ମାସିଭ୍ ଅର୍ଡନାନ୍ସ ପେନିଟ୍ରେଟର (ଏମ୍ଓପି), ବିଶ୍ୱର ସବୁଠୁ ଶକ୍ତିଶାଳୀ ବଙ୍କର ବଷ୍ଟର ବୋମା, ଆଣିବାକୁ ଚାହୁଁଛି । ଏହି ବୋମା ବଳରେ ଇସ୍ରାଏଲ ତେହରାନରେ ଥିବା ଗୁରୁତ୍ୱପୂର୍ଣ୍ଣ ଆଣବିକ ସାଇଟ୍କୁ ଧ୍ୱଂସ କରିବାକୁ ଚାହୁଁଛି । ମଙ୍ଗଳବାର ଇରାନ୍ ଇସ୍ରାଏଲ ଉପରକୁ ବଡ଼ ଧରଣର ଆକ୍ରମଣ କରିଛି । ଇସ୍ରାଏଲ ମଧ୍ୟ ଇରାନର ଆଣିବକ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରିଛି । କିନ୍ତୁ ଇସ୍ରାଏଲ ଇରାନର ପାହାଡ଼ ତଳେ ଅତି ସୁରକ୍ଷିତ ଭାବେ ଥିବା ‘ଫୋର୍ଦୋ ଫୁଏଲ୍ ଏନ୍ରିଚମେଣ୍ଟ ପ୍ଲାଣ୍ଟ’କୁ ଧ୍ୱଂସ କରିବାରେ ସଫଳ ହୋଇପାରିନାହିଁ । ସେଠାରେ ଇରାନର ଫୋର୍ଦୋ ଫୁଏଲ ଏନ୍ରିଚମେଣ୍ଟ ପ୍ଲାଣ୍ଟ ରହିଛି । ଏହା ପାହାଡ଼ ଭିତରେ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ସୁରକ୍ଷାରେ ରହିଛି ।
ବିଶେଷଜ୍ଞଙ୍କ ମତରେ ପ୍ରାୟ ୧୪ ଟନ୍ ଏମ୍ଓପି ଦ୍ୱାରା ୨୦୦ ଫୁଟ ପାହାଡ଼ ଭେଦ କରିହେବ । ଇସ୍ରାଏଲ ପାଖରେ ସେହି ବୋମା ନାହିଁ କିମ୍ବା ଇରାନର ସୁରକ୍ଷା ବଳୟ ଭେଦି ସେଠାରେ ଆକ୍ରମଣ କରିବାର କ୍ଷମତା ଇସ୍ରାଏଲ ପାଖରେ ନାହିଁ । ତେଣୁ ଆମେରିକାଠାରୁ ଇସ୍ରାଏଲ ଜିବିୟୁ-୫୭ଏ/ବି ଏମ୍ଓପି ହାସଲ କରିବାକୁ ଚାହୁଁଛି । ତେବେ ନିଜ ନାଗରିକଙ୍କର କ୍ଷତି ନ ହେଲେ ଆମେରିକା ଇସ୍ରାଏଲ-ଇରାନ ଯୁଦ୍ଧରେ ପଶିବନି ବୋଲି ପୂର୍ବରୁ କହିଥିଲା । ତେଣୁ ଆମେରିକା ଇସ୍ରାଏଲକୁ ଏହି ବୋମା ଦେବ କି ନା ସେ ନେଇ କୌଣସି ନିଷ୍ପତ୍ତି ନେଇନାହିଁ । ଇସ୍ରାଏଲ ହାତରେ ଏହି ବୋମା ପଡ଼ିଲେ ଇରାନରେ ଧ୍ୱଂସଲୀଳା ରଚିପାରେ । ଯଦି ଏହି ବୋମାରେ ଇସ୍ରାଏଲ ଇରାନର ଆଣବିକ ପ୍ରତିଷ୍ଠାନକୁ ଆକ୍ରମଣ କରେ ତେବେ ଇରାନରେ ଆଣବିକ ବିକିରଣ ହୋଇପାରେ, ଯାହା କି ଇରାନବାସୀଙ୍କ ପାଇଁ ଘାତକ ହୋଇପାରେ ।
ପ୍ରକାଶଥାଉ କି, ବଙ୍କର ବଷ୍ଟର ଏକ ସ୍ୱତନ୍ତ୍ର ପ୍ରକାର ବୋମା । ଏହାକୁ ଗଭୀର ବଙ୍କର, ସୁଡ଼ଙ୍ଗ କିମ୍ବା କଙ୍କ୍ରିଟରେ ବନାଯାଇଥିବା ସ୍ଥାନକୁ ନଷ୍ଟ କରିବା ଲାଗି ପ୍ରସ୍ତୁତ କରାଯାଇଛି । ଏହି ବୋମା ମାଟିତଳେ ବେଶ୍ ଭିତରକୁ ଯାଇ ବିସ୍ଫୋରଣ ହୋଇପାରିବ । ଏହାଦ୍ୱାରା ଭିତରେ କଡ଼ା ସୁରକ୍ଷା ବଳୟରେ ଥିବା ସାମରିକ ପ୍ରତିଷ୍ଠାନ ନଷ୍ଟ ହୋଇପାରିବ । ବଙ୍କରବଷ୍ଟର ୬ ମିଟର ମୋଟା କଙ୍କ୍ରିଟ ବା ୩୦ ମିଟର ଚଉଡ଼ା ମାଟିକୁ ଭେଦ କରିପାରିବ । ଏଥିରେ ଦୁଇ ପ୍ରକାରର ଚାର୍ଜ ସିଷ୍ଟମ ରହିଥାଏ । ପ୍ରଥମଟି ମାଟି ଉପର ଭାଗକୁ ନଷ୍ଟ କରିଥାଏ । ଦ୍ୱିତୀୟଟି ଭିତରେ ପଶି ବିସ୍ଫୋରଣ କରିଥାଏ । ଜିବିୟୁ-୫୭ଏ/ ବି ମାସିଭ୍ ଅର୍ଡନେନ୍ସ ପେନିଟ୍ରେଟରକୁ ବୋଇଂ ଡିଜାଇନ କରିଛି । ଏହାର ନିର୍ମାଣ ଆମେରିକା ବାୟୁସେନା କରିଛି ।
ପରମାଣୁ ବୋମା ପରେ ଆମେରିକା ବାୟୁସେନା ପାଖରେ ଥିବା ସବୁଠୁ ଶକ୍ତିଶାଳୀ ବୋମା ହେଉଛି ବଙ୍କର ବଷ୍ଟର । ୨୦୦୦ ଦଶକ ପ୍ରାରମ୍ଭରେ ଏହି ବୋମାର ଡିଜାଇନ ଉପରେ କାମ ହୋଇଥିଲା । ୨୦୦୩ରେ ଇରାକ ଉପରେ ଆମେରିକାର ଆକ୍ରମଣ ପରେ ଆମେରିକା ଏପରି ବୋମାକୁ ବହୁଳ ମାତ୍ରାରେ ଆବଶ୍ୟକ କରିଥିଲା । କାରଣ ସାଧାରଣ ବୋମାରେ ବଙ୍କର ଭଳି ସ୍ଥାନକୁ ଉଡ଼ାଇବା କଷ୍ଟକର ଥିଲା । ୨୦୦୪ରେ ଏହାର ପ୍ରାରମ୍ଭିକ ପରୀକ୍ଷଣ ଆରମ୍ଭ ହୋଇଥିଲା । ଜିବିୟୁ-୫୭ଏ/ ବି ଏମ୍ଓପିର ଓଜନ ପ୍ରାୟ ୧୪ ହଜାର କେଜି, ଲମ୍ବା ୨୦.୫ ଫୁଟ ଏବଂ ଚଉଡ଼ା ପ୍ରାୟ ୧.୧ ଇଞ୍ଚ । ଏହାର ୱାରହେଡ୍ ଏଏଫ୍ଏକ୍ସ-୭୫୭ ଏବଂ ପିବିଏକ୍ସଏନ୍-୧୧୪ ବିସ୍ଫୋରକର ମିଶ୍ରଣ, ଯାହାର ଓଜନ ପ୍ରାୟ ୨,୫୦୦ କେଜି ।