ଗୌହାଟୀ,୨୬/୦୩ : ଚଳିତ ଆଇପିଏଲ ସିଜନ ୧୮ରେ ଏଯାବତ୍ ୫ଟି ମ୍ୟାଚ ଖେଳାଯାଇଛି । ଦିନକୁ ଦିନ ରୋମାଞ୍ଚକର ହେଉଛି ଆଇପିଏଲ । ଆଜି ଷଷ୍ଠ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାନ୍ସ ଓ ଡିଫେଣ୍ଡି ଚାମ୍ପିଅନ କୋଲକତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଦୁଇ ଦଳ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜିତ ହୋଇଛନ୍ତି । ଆଜି ବିଜୟ ସହ ପଏଣ୍ଟ ଖାତା ଖୋଲିବାକୁ ପ୍ରୟାସ କରିବେ ଦୁଇଦଳ । ପ୍ରଥମ ମ୍ୟାଚରେ କରିଥିବା ଛୋଟ ଛୋଟ ତ୍ରୁଟି ସୁଧାରି ମୈଦାନକୁ ଓହ୍ଲାଇବେ । ବର୍ଷାପଡା ଷ୍ଟାଡିୟମରେ ପ୍ରଥମ ବିଜୟ ପାଇଁ ଜୋରଦାର ପ୍ରସ୍ତୁତ କରିଛନ୍ତି ଦୁଇ ଦଳ । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।
ପ୍ରଥମ ମ୍ୟାଚ ହାରିଛନ୍ତି ଦୁଇଦଳ- ନାଇଟ୍ ରାଇଡର୍ସ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାଜିତ ହୋଇଥିଲା । ଏହି ମ୍ୟାଚ୍ରେ ଚାମ୍ପିଅନ୍ ଦଳର ମଧ୍ୟକ୍ରମରେ ରହିଥିବା ବ୍ୟାଟର ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ ପ୍ରମୁଖ ବିଫଳ ହୋଇଥିଲେ । ସେହିପରି ଅଧିନାୟକ ଅଜିଙ୍କ୍ୟ ରାହାଣେ ଦଳର ମୁଖ୍ୟ ବୋଲର ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପେଲ୍କୁ ପ୍ରଥମ ୧୧ ଓଭର ମଧ୍ୟରେ ଶେଷ କରି ଦେଇଥିଲେ । ଯାହା ପରାଜୟର ପ୍ରମୁଖ କାରଣ ସାଜିଥିଲା । ସେହିପରି ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚ୍ରେ ଗତ ବର୍ଷର ରନର୍ସ ଅପ୍ ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାଜିତ ହୋଇଥିଲା । ସନରାଇଜର୍ସ ୨୮୬ ରନ୍ ସଂଗ୍ରହ କରିବା ଥିଲା ରୟାଲ୍ସ ଦଳର ମୁଖ୍ୟ ତ୍ରୁଟି । ବୋଲିଂ ବାହିନୀ ସନରାଇଜର୍ସ ବ୍ୟାଟରମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ ।
ବର୍ଷାପଡ଼ାରେ ପ୍ରଥମ ବିଜୟ ଲକ୍ଷ୍ୟ- ଆଜି ଉଭୟ ଦଳ ଏହି ସବୁ ତ୍ରୁଟି ସୁଧାରି ଗ୍ରାଉଣ୍ଡକୁ ଓହ୍ଲାଇବେ । ରାଜସ୍ଥାନ ରୟାଲ୍ସ ବୋଲିଂ ବିଭାଗକୁ ସୁଦୃଢ କରିବା ଜରୁରୀ । ଲେଗ ସ୍ପିନର ୱାନିଣ୍ଡୁ ହସରଙ୍ଗାଙ୍କୁ ଏକାଦଶରେ ସାମିଲ କରିବାକୁ ଯୋଜନା ରହିବ । ବାକି ବ୍ୟାଟିଂ ବିଭାଗରେ ପରିବର୍ତ୍ତନ ହେବ ନାହିଁ । ନାଇଟ୍ ରାଇଡର୍ସ ଦଳରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ । କେବଳ ପେସ୍ ବୋଲିଂ ବିଭାଗ ମନୋବଳ ଫେରି ପାଇବା ଜରୁରି । ରାଜସ୍ଥାନ ରୟାଲ୍ସର ଘରୋଇ ଗ୍ରାଉଣ୍ଡ ହୋଇଥିଲେ ହେଁ ବର୍ଷାପଡ଼ା ଷ୍ଟାଡ଼ିୟମ୍ରେ ନାଇଟ୍ ରାଇଡର୍ସର ଯଥେଷ୍ଟ ସମର୍ଥକ ଏକତ୍ରିତ ହେବେ । ପୂର୍ବ ରେକର୍ଡକୁ ଦେଖିଲେ ମଧ୍ୟ ଏହି ମ୍ୟାଚ୍ର ପୂର୍ବାନୁମାନ କରିବା କଷ୍ଟକର ।
ହେଡ଼ ଟୁ ହେଡ଼- ଉଭୟ ଦଳ ମଧ୍ୟରେ ୩୦ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ଉଭୟ ଦଳ ୧୪ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ବାକି ୨ଟି ମ୍ୟାଚ୍ ବାତିଲ ହୋଇଛି । ଗତ ସିଜନରେ ରାଜସ୍ଥାନ ରୟାଲ୍ସ ଗୋଟିଏ ମ୍ୟାଚ ଜିତିଥିଲା ଓ ଅନ୍ୟ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିଲା । ବର୍ଷାପଡ଼ା ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଏହି ଗ୍ରାଉଣ୍ଡ୍ରେ ଖେଳାଯାଇଥିବା ୩ଟି ମ୍ୟାଚ୍ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୨ଟି ମ୍ୟାଚ୍ ଜିତିଥିଲା ଓ ଗୋଟିଏ ମ୍ୟାଚ୍ରେ ପରାଜିତ ହୋଇଥିଲା । ଏହି ଗ୍ରାଉଣ୍ଡ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୩/୨୩୭ ରନ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୩ୱିକେଟ୍ ହରାଇ ୨୨୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ସମ୍ଭାବନା ଅଧିକ ଥିଲେ ହେଁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । କାରଣ ରାତ୍ରିରେ କାକର ପଡ଼ିବ । ଓଦା ବଲ୍ରେ ବ୍ୟାଟିଂ ସହଜ ହୋଇଯିବ ।
ଅଧିକ ପଢନ୍ତୁ...ହାରିବାକୁ ଥିବା ମ୍ୟାଚ୍ ଜିିତିଲା ପଞ୍ଜାବ; ଗୁଜରାଟକୁ ୧୧ ରନରେ କଲା ପରାସ୍ତ
ସମ୍ଭାବ୍ୟ ଦଳ-
ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ, ଯଶସ୍ୱୀ ଜୈସ୍ୱାଲ, ରିୟାନ ପରାଗ (ଅଧିନାୟକ), ନୀତିଶ ରାଣା, ଧ୍ରୁବ ଜୁରେଲ, ସିମରନ ହେତମାୟର, ଶୁଭମ ଦୁବେ, ଜୋଫ୍ରା ଆର୍ଚର, ମହୀଶ ତୀକ୍ଷଣା/ୱାନିଣ୍ଡୁ ହସରଙ୍ଗା, ସନ୍ଦୀପ ଶର୍ମା, ଫଜଲହକ ଫାରୁକି, ତୁଷାର ଦେଶପାଣ୍ଡେ/ଆକାଶ ମଧୱାଲ ।
କୋଲକାତା ନାଇଟ ରାଇଡର୍ସ: କ୍ୱିଣ୍ଟନ ଡି କକ୍, ସୁନୀଲ ନାରାଏନ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଭେଙ୍କଟେଶ ଆୟର, ଅଙ୍ଗକ୍ରୀଶ ରଘୁବଂଶୀ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ହର୍ଷିତ ରାଣା, ସ୍ପେନସର ଜନସନ/ଆନରିଚ ନର୍ଜ, ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା ।