ଭୁବନେଶ୍ଵର, ୦୧/୦୫ : ତାତିକୁ ତାର ଖାତିର ନଥାଏ। ଶୀତ ହେଉ କି ବାଦଲ ଫଟା ବର୍ଷା... ସବୁକୁ ସହିଯାଏ। କାରଣ ସେ ଖଟି ଦୁଇ ପଇସା ଆଣିଲେ ତାର ଚୁଲି ଜଳିବ। ଦୁର୍ଦ୍ଦଶାର କଳା ବାଦଲରେ ମଉଳି ଯାଇଥାଏ ତାର ମୁହଁ। କୋରଡରେ ପଶି ଯାଇଥାଏ ଦୁଇ ଆଖି। ପାଦରେ ଚପଲ ଥାଉ କି ନଥାଉ କିଛି ଫରକ ପଡେନି । ଛିଣ୍ଡା ଚପଲର ସାହାରା ନେଇଥିବା ଦୁଇଟି ପାଦ, ଦୁର୍ବଳ ଶରୀର ଆଉ ଭୋକରେ ଛଟପଟ ହେଉଥିବା ମଣିଷର ନାଁ ହେଉଛି ଶ୍ରମିକ। କାନ୍ଧରେ ଝୁଲୁଥିବା ଝାଳ ଜୁଡୁବୁଡୁ ଗାମୁଛା ଆଉ ଦେହରେ ଥିବା ପୁରୁଣା ପୋଷାକରୁ ବାରି ହୋଇପଡେ ତାର ଅବସ୍ଥା। ଏମିତି ଏକ ମେହେନତି ମଣିଷକୁ ଶ୍ରମିକର ଆଖ୍ୟା ଦିଆଯାଇଛି। ଅନ୍ତର୍ଜାତୀୟ ଶ୍ରମିକ ଦିବସରେ ସେହି ଶ୍ରମିକମାନଙ୍କୁ ସଲାମ୍।
ଆଜିର ଦିନଟି ସେଇ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ନିଜର ହକ୍ ମାଗି ଶିଳ୍ପପତିଙ୍କ ଆକ୍ରୋଶର ଶିକାର ହୋଇ ଜୀବନ ହାରିଥିଲେ। ପ୍ରତିବର୍ଷ ମେ ୧ ତାରିଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବରେ ପାଳନ କରାଯାଏ । ହିନ୍ଦୁସ୍ଥାନା ଲେବର କିଷାନ ପାର୍ଟି ପ୍ରଥମ ଥର ଏହି ଦିବସ ପାଳନ କରିଥିଲା । ପରେ ଭାରତରେ ୧୯୨୩ରେ ଏହି ଦିବସ ପାଳନ ହୋଇଥିଲା। ଶ୍ରମିକ ଦିବସ ଦିନ ସରକାର ସମସ୍ତଙ୍କୁ ଜାତୀୟ ଛୁଟି ପ୍ରଦାନ ପାଇଁ ଏକ ପ୍ରସ୍ତାବ ପାରିତ ହେଲା । ତା ପରଠୁ ପ୍ରତିବର୍ଷ ଶ୍ରମିକ ଦିବସ ପାଳିତ ହେଉଛି । ୧୯୨୩ ମସିହାରେ ମାଡ୍ରାସରେ ପ୍ରଥମ ଥର ଶ୍ରମିକ ଦିବସ ପାଳନ କରାଯାଇଥିଲା। ଶ୍ରମିକ ଦିବସରେ ଛୁଟି ଘୋଷଣା ହେଲା। ହେଲେ ପ୍ରକୃତ ଶ୍ରମିକ ପାଦ କେବେ ଅଟକେ ନାହିଁ। କାହିଁକି ନା ଗୋଟିଏ ଦିନ କାମ ବନ୍ଦ ହେଲେ ତା ଘରେ ପାଞ୍ଚପ୍ରାଣୀ ଉପାସ ରହିଯିବେ। ସେ କେବେ ଅଟକେନା କି ଥକେନା।
ମଲରୁ ମଲ୍ଟିପ୍ଲେକ୍ସ, କମ୍ପାନୀରୁ କାରଖାନା, ଫ୍ଲାଏ ଓଭର ବ୍ରିଜ୍ରୁ ଜାତୀୟ ରାଜପଥ ସବୁଥିରେ ବାସ୍ତବ ଶ୍ରେୟ ଥାଏ ଶ୍ରମିକର। ହେଲେ ବାଃ ବାଃ ନିଅନ୍ତି ରାଜନେତାଙ୍କ ଠୁ ଆରମ୍ଭ କରି ଇଞ୍ଜିନିୟର, ଠିକାଦାର ଓ ଧନୀ ଶ୍ରେଣୀର ବ୍ୟକ୍ତି ବା ସମ୍ଭ୍ରାନ୍ତ ଶ୍ରେଣୀ । ଯେଉଁମାନେ ଦିନ ରାତିକୁ ଏକ କରି ରକ୍ତକୁ ପାଣି କରି ଏସବୁ ଗଢିବାରେ ନିଜ ଜୀବନକୁ ବାଜି ଲଗାଇଦିଏ, ସମସ୍ତେ ସେହି ପ୍ରକୃତ ବାହାଦୂରୀ ଶିଳ୍ପୀଙ୍କୁ ଭୁଲି ଯାଆନ୍ତି। ଶିଳ୍ପୀ ଓ ଶ୍ରମିକଙ୍କ ଜୀବନ ଆଜି ଦୁର୍ବିସହ। ସେ ସର୍ବଦା ହତାଶ, ଅବହେଳିତ। ଆଜିର ଦିନରେ ଶ୍ରମିକକୁ ତାର ହକ ମିଳିଲେ ହିଁ ତା ପାଇଁ ଏହା ପ୍ରକୃତ ସମ୍ମାନ ହେବ। ବାସ୍ତବରେ ଏ ଦିନଟିର ଯଥାର୍ଥତା ହୋଇପାରିବ।