ନୂଆଦିଲ୍ଲୀ: ଭିନେଶ ଫୋଗାଟଙ୍କୁ ଆଉ କିଛି ସମୟ ଦେବାକୁ ଭାରତୀୟ କୁସ୍ତି ସଂଘ (WFI) ୟୁନାଇଟେଡ୍ ଓ୍ବାର୍ଲଡ୍ ରେସଲିଂ (UWW) ସମ୍ମୁଖରେ ଦାବି ରଖିଥିଲା । ଏହା ଉପରେ ଏବେ ୟୁନାଇଟେଡ୍ ଓ୍ବାର୍ଲଡ୍ ରେସଲିଂର ଅଧ୍ୟକ୍ଷଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି । ଭାରତୀୟ କୁସ୍ତି ସଂଘର ଅପିଲ ସତ୍ତ୍ବେ ଭିନେଶ ଫୋଗାଟଙ୍କ ଅଯୋଗ୍ୟ ଘୋଷଣା ନିଷ୍ପତ୍ତି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ କହିଛନ୍ତି ।
ଏହା ପରେ ଭିନେଶ ଫୋଗାଟ ଏବଂ ୧୪୦ କୋଟି ଭାରତୀୟଙ୍କୁ ବଡ଼ ଝଟକା ଲାଗିଛି । ଫାଇନାଲ ମୁକାବିଲା ପୂର୍ବରୁ ଭିନେଶ ଫୋଗାଟଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବା ନେଇ ଜଣାପଡ଼ିଥିଲା । ଏଥିପାଇଁ ତାଙ୍କୁ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏହା ପରେ ଭାରତୀୟ କୁସ୍ତି ସଂଘ ପକ୍ଷରୁ ଭିନେଶ ଫୋଗାଟଙ୍କୁ ଆଉ କିଛି ସମୟ ଦେବା ସହ ସାମାନ୍ୟ ଆଶ୍ବସ୍ତି ଦେବାକୁ ଅପିଲ କରାଯାଇଥିଲା ।
ସେହିଭଳି ଭାରତୀୟ ଅଲିମ୍ପିକ ସଂଗଠନ (ଆଇଓଏ) ପକ୍ଷରୁ କହୁଯାଇଛି ଯେ, ନିଜର ଓଜନ ନିୟନ୍ତ୍ରଣ କରିବା ଲାଗି ଭିନେଶ ଫୋଗାଟ ସାରା ରାତି ଯଥାସମ୍ଭବ ପ୍ରୟାସ କରିଥିଲେ, କିନ୍ତୁ ସକାଳେ ତାଙ୍କର ଓଜନ ନିର୍ଦ୍ଧାରିତ ଓଜନ ଠାରୁ ୧୦୦ ଗ୍ରାମ ଅଧିକ ଥିବା ଜଣାପଡ଼ିଥିଲା । ଏବେ UWWର ଅଧ୍ୟକ୍ଷ ନେନାଦ ଲାଲୋବିକ୍ ସ୍ପଷ୍ଟ କରିଛନ୍ତି ଯେ , ଭାରତର ଅପିଲ୍ କିଛି କାମ କରିବ ନାହିଁ ।
ସେ କହିଛନ୍ତି, ‘ମୋତେ ଭାରତର ଅପିଲ ପାଇଁ ଅସୁବିଧା ନାହିଁ । ମୁଁ ଜାଣିଛି ପରିଣାମ କଣ ହେବ । ଏହି ମାମଲାରେ ଆଉ କିଛି କରିବା ସମ୍ଭବପର ନୁହେଁ । ଏହା ପ୍ରତିଯୋଗିତାର ନିୟମ ଏବଂ ମୋତେ ଲାଗୁନାହିଁ ନିୟମ ପରିବର୍ତ୍ତନ କରାଯାଇପାରିବ ।’ ନେନାଦ ଲାଲୋବିକ୍ ଆହୁରି ମଧ୍ୟ କହିଛନ୍ତି ଯେ, ଭିନେଶ ଫୋଗାଟଙ୍କୁ ରୌପ୍ୟ ପଦକ ମିଳିବା ଅସମ୍ଭବ । କାରଣ ପ୍ରତିଯୋଗିତାର ପୁରା ପ୍ରକ୍ରିୟା ପରିବର୍ତ୍ତନ ହୋଇଛି । ଏସବୁ ନିୟମ ଅନୁସାରେ ହେଉଛି । ଯେଉଁ ଆଥଲେଟ୍ ଆଗକୁ ବଢ଼ୁଛନ୍ତି ସେମାନେ ସମସ୍ତେ ଓଜନ ପ୍ରକ୍ରିୟା ସଂପର୍କରେ ଜାଣିଛନ୍ତି । ନିୟମକୁ ସମ୍ମାନ କରିବାକୁ ପଡ଼ିବ । ମୋତେ ଭିନେଶଙ୍କ ପାଇଁ ଦୁଃଖ ଲାଗୁଛି ବୋଲି ସେ କହିଛନ୍ତି ।