ନୂଆଦିଲ୍ଲୀ,୧୮/୦୩: ଆଇପିଏଲ୍-୧୮ ପାଇଁ ଉତ୍ସାହ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । କ୍ରିକେଟ୍ ପ୍ରେମୀ ନିଜ ନିଜ ଦଳକୁ ସମର୍ଥନ କରିବାକୁ ଅପେକ୍ଷା କରିଛନ୍ତି । ଏପଟେ ଆୟୋଜକ ଉଦ୍ଘାଟନୀ ଉତ୍ସବକୁ ଧୁମ ଧାମରେ ଆୟୋଜନ କରିବାକୁ ପ୍ରସ୍ତୁତ । ଏଥର ଇଡେନ ଗାର୍ଡେନ୍ସରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଡିଫେଣ୍ଡି ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସର ଏହା ଘରୋଇ ଗ୍ରାଉଣ୍ଡ । ତେଣୁ ଉଦ୍ଘାଟନୀ ଉତ୍ସବରେ ବଲିଉଡ୍ ତାରକାଙ୍କ ଭିଡ଼ ଜମିବ ।
ସିନେ କଳାକାରଙ୍କ ଠାରୁ ଆରମ୍ଭ କରି ପ୍ରସିଦ୍ଧ କଣ୍ଠଶିଳ୍ପୀମାନେ ଦର୍ଶକଙ୍କ ମନ ମୋହିବାକୁ ତୟାର । ଅଭିନେତ୍ରୀ ଶ୍ରଦ୍ଧା କାପୁର, ଦିଶା ପଟାନିଙ୍କ ସମେତ ବରୁଣ ଧାୱନଙ୍କ ଡ୍ୟାନ୍ସ ନମ୍ବର ସମେତ ପ୍ଲେ ବ୍ୟାକ୍ ସିଙ୍ଗର ଶ୍ରେୟା ଘୋଷାଲ, ଅରିଜିତ ସିଂହ, ପପ୍ ଗାୟକ କରଣ ଆହୁଜାଙ୍କ ହୃଦୟ ସ୍ପର୍ଶୀ ସଂଗୀତରେ ଇଡେନ ଗାର୍ଡେନ୍ସ କମ୍ପି ଉଠିବ । ନାଇଟ ରାଇଡର୍ସ ଉଦ୍ଘାଟନୀ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ । ଭାରତୀୟ ସମୟ ସଂଧ୍ୟା ୬.୩୦ ମିନିଟ୍ରେ ଉଦ୍ଘାଟନୀ ଉତ୍ସବ ଆରମ୍ଭ ହେବ । ଷ୍ଟାର ସ୍ପୋର୍ଟ୍ସ ଓ ଜିଓ ହଟ୍ଷ୍ଟାର୍ ଓଟିଟି ପ୍ଲାଟଫର୍ମରେ ୨୫ମିନିଟ୍ର ଉଦ୍ଘାଟନୀ ଉତ୍ସବର ସିଧା ପ୍ରସାରଣ କରାଯିବ ।
ଗତ ବର୍ଷ ଉଦ୍ଘାଟନୀ ଉତ୍ସବରେ ଅକ୍ଷୟ କୁମାର, ଟାଇଗର ସ୍ରଫ, ସୋନୁ ନିଗମ, ଏଆର ରେହମାନ ଓ ଡିଜେ ଆକ୍ସୱେଲ ପ୍ରମୁଖ ଡ୍ୟାନ୍ସ ଓ ସଂଗୀତ ପରିବେଷଣ କରିଥିଲେ ।
ଡୁ ପ୍ଲେସି ଦିଲ୍ଲୀ କ୍ୟାପିଟାଲ୍ସ
ଉପଅଧିନାୟକ ଆଇପିଏଲ୍-୧୮ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଉପ ଅଧିନାୟକ ନିଯୁକ୍ତ କରିଛି । ଗତ ୩ ବର୍ଷ ଧରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ନେତୃତ୍ୱ ନେଇଥିବା ଫାଫ ଡୁ ପ୍ଲେସିଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତି ମିଳିଛି । ଡୁ ପ୍ଲେସି ଆଜି ଦଳ ସହ ଯୋଗ ଦେଇ ଅଭ୍ୟାସ ଆରମ୍ଭ କରିଛନ୍ତି । ଡୁ ପ୍ଲେସିଙ୍କୁ ୨କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ କେଏଲ ରାହୁଲ, ମିଚେଲ ଷ୍ଟାର୍କଙ୍କ ଭଳି ଖେଳାଳି ରହିଥିଲେ ହେଁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ସାରିଥିବା ୪୦ ବର୍ଷିୟ ଡୁ ପ୍ଲେସିଙ୍କୁ ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ଡୁ ପ୍ଲେସି ଆଇପିଏଲ୍ରେ ୧୪୫ଟି ମ୍ୟାଚ୍ ଖେଳି ୩୫.୯୯ ହାରରେ ମୋଟ୍ ୪୫୭୧ ରନ ସଂଗ୍ରହ କରିସାରିଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ଆଇପିଏଲ୍ ଜିତିପାରି ନାହିଁ । ନୂଆ ସିଜନ ପୂର୍ବରୁ ଦିଲ୍ଳୀ କ୍ୟାପିଟାଲ୍ସ ରିକି ପଣ୍ଟିଂଙ୍କ ସମେତ ଅନ୍ୟ କୋଚିଂ ସଦସ୍ୟଙ୍କୁ ବିଦା କରିଥିଲା । ଏଥର ଅକ୍ଷର ପଟେଲଙ୍କୁ ଅଧିନାୟକ ନିଯୁକ୍ତ କରିବା ସହ ହେମାଙ୍ଗ ବଦାନିଙ୍କୁ ମୁଖ୍ୟ କୋଚ, ମାଥ୍ୟୁ ମୋଟ୍ଙ୍କୁ ସହକାରୀ କୋଚ, କେଭିନ୍ ପିଟରସନ୍ଙ୍କୁ ଦଳର ମେଣ୍ଟର, ମୁନାଫ ପଟେଲ, ବେଣୁଗୋପାଳ ରାଓ ଏବଂ ବିଜୟ ଭରଦ୍ୱାଜଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି ।
ନାଇଟ୍ ରାଇଡର୍ସରେ ଉମ୍ରାନଙ୍କ ସ୍ଥାନ ନେଲେ ସକାରିୟା
ଆହତ ଥିବା କୋଲକାତା ନାଇଟ୍ ରାଇଡର୍ସର ଯୁବ ପେସ୍ ବୋଲର ଉମ୍ରାନ୍ ମଲିକ ଆହତ ହୋଇ ଆଇପିଏଲ୍-୧୮ରୁ ବାଦ୍ ପଡ଼ିଛନ୍ତି । ଫଳରେ ନାଇଟ୍ ରାଇଡର୍ସ ତାଙ୍କ ସ୍ଥାନରେ ଅନ୍ୟ ପେସ୍ ବୋଲର ଚେତ ସକାରିୟାଙ୍କୁ ଦଳରେ ସାମିଲ କରିଛି । ଉମ୍ରାନ ଗତ ସିଜନରେ ସନ୍ରାଇଜର୍ସ ହାଇଦ୍ରାବାଦ ଦଳର ସଦସ୍ୟ ରହିଥିଲେ ଏବଂ ଗୋଟିଏ ମ୍ୟାଚ୍ ଖେଳିଥିଲେ । ଦୀର୍ଘ ଦିନ ଧରି ତାଙ୍କ ପିଠିରେ ଯନ୍ତ୍ରଣା ଲାଗି ରହିଛି । ଗତ ଆଇପିଏଲ୍ ପରଠୁ ସେ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ ଖେଳିନାହାନ୍ତି । ୨୦୨୧ ସିଜନରେ ଉମ୍ରାନ ଘଣ୍ଟା ପ୍ରତି ୧୫୦କି.ମି. ବେଗରେ ବୋଲିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ ।
ଆଇପିଏଲ୍ ନିଲାମରେ ସକାରିୟାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇ ନଥିଲେ । ମାତ୍ର ଉମ୍ରାନ ବାଦ୍ ପଡ଼ିବା ଫଳରେ ତାଙ୍କ ଆଇପିଏଲ୍ ଖେଳିବା ଆଶା ପୂରଣ ହୋଇଛି । ସେ ଗତ ବର୍ଷ ଫେବ୍ରୁଆରୀ ମାସରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବା ପରଠୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ ଖେଳିନାହାନ୍ତି । ପିଠିରେ ଯନ୍ତ୍ରଣା ପାଇଁ ସେ କ୍ରିକେଟରୁ ଦୂରେଇ ରହିଥିଲେ । ଇତିମଧ୍ୟରେ ସେ ଫିଟ୍ ହୋଇସାରିଛନ୍ତି । ଗତ ସିଜନରେ ସକାରିୟା ନାଇଟ୍ ରାଇଡର୍ସ ଦଳରେ ରିଜର୍ଭ ଖେଳାଳି ଭାବେ ସାମିଲ ରହିଥିଲେ । ଚଳିତ ବର୍ଷ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ଆଶାବାଦୀ ରହିଛନ୍ତି । ନାଇଟ୍ ରାଇଡର୍ସ ଡିଫେଣ୍ଡିଂ ଚାମ୍ପିଅନ୍ ରହିଛି । ଆସନ୍ତା ୨୨ ତାରିଖରୁ ଆଇପିଏଲ୍ ଆରମ୍ଭ ହେବ । ଇଡେନ୍ ଗାର୍ଡେନ୍ସରେ ଉଦ୍ଘାଟନୀ ମ୍ୟାଚ୍ରେ ନାଇଟ୍ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ସାମ୍ନାସାମ୍ନି ହେବେ ।
ସନ୍ରାଇଜର୍ସ ଦଳରେ ଯୋଗଦେଲେ କମିନ୍ସ, ହେଡ୍
ଅଷ୍ଟ୍ରେଲିଆର ଦୁଇ ଷ୍ଟାର୍ ଖେଳାଳି ପ୍ୟାଟ୍ କମିନ୍ସ ଓ ଟ୍ରେଭିସ୍ ହେଡ୍ ସୋମବାର ସନ୍ରାଇଜର୍ସ ହାଇଦ୍ରାବାଦ ଦଳ ସହ ଯୋଗ ଦେଇଛନ୍ତି । ମଙ୍ଗଳବାରଠୁ ଉଭୟ ଆଇପିଏଲ୍-୧୮ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ଉଭୟଙ୍କ ଉପସ୍ଥିତି ସନ୍ରାଇଜର୍ସ ଶିବିରର ଉତ୍ସାହକୁ ଦ୍ୱିଗୁଣିତ କରି ଦେଇଛି । କମିନ୍ସ ଦଳର ନେତୃତ୍ୱ ନେବେ ।
ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ରାଇଜର୍ସ ଦଳର ପ୍ରସ୍ତୁତି ଜାରି ରହିଛି । ଗତ କାଲି ଯୁବ ଅଲରାଉଣ୍ଡର ନୀତିଶା ରାଣା ଦଳ ସହ ଯୋଗ ଦେଇଥିଲେ । ଆଜି କମିନ୍ସ, ହେଡ୍ଙ୍କ ବ୍ୟତୀତ କୋଚ୍ ଡାନିଏଲ୍ ଭେଟୋରୀ ମଧ୍ୟ ଯୋଗ ଦେଇଛନ୍ତି । କମିନ୍ସ ଆହତ ହେବା ଯୋଗୁ ଗତ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ିଥିଲେ । ଇତିମଧ୍ୟରେ ସେ ଫିଟ୍ ହୋଇସାରିଛନ୍ତି । ଗତ ସିଜନରେ କମିନ୍ସଙ୍କ ନେତୃତ୍ୱରେ ଦଳ ଅଳ୍ପକେ ଟାଇଟଲ୍ ହାତଛଡ଼ା କରିଥିଲା । ଫାଇନାଲ୍ରେ ନାଇଟ୍ ରାଇଡର୍ସଠୁ ହାରି ରନର୍ସ ଅପ୍ ହୋଇଥିଲା । ଏଥର କମିନ୍ସ ଦଳକୁ ଚାମ୍ପିଅନ୍ କରାଇବାକୁ ଲକ୍ଷ୍ୟ ରଖିଛନ୍ତି । ସନ୍ରାଇଜର୍ସ ଆସନ୍ତା ୨୩ ତାରିଖରେ ରାଜସ୍ଥାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଦଳ ଘରୋଇ ଭେନ୍ୟୁରେ ଏହି ମ୍ୟାଚ୍ ଖେଳିବ ।