କୋଲକାତା,୦୮/୦୪: ମଙ୍ଗଳବାର ଅପରାହ୍ଣରେ ଘରୋଇ କୋଲକାତା ନାଇଟ ରାଇଡର୍ସ ରିଷଭ ପନ୍ତଙ୍କ ନେତୃତ୍ୱଧୀନ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଭେଟିବ । ୫ଦିନ ତଳେ ସନରାଇଜର୍ସ ହାଇଦ୍ରାବାକୁ ହରାଇଥିବା ଘରୋଇ ଦଳ ବିଜୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି। ସୁପରଜାଏଣ୍ଟ୍ସ ମଧ୍ୟ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ପ୍ରସ୍ତୁତ ରହିଛି ।
ଉଭୟ ଦଳ ପରସ୍ପରକୁ ୫ଥର ଭେଟିଛନ୍ତି । ଏଥିରୁ ସୁପରଜାଏଣ୍ଟ୍ସ ୩ଟି ମ୍ୟାଚ୍ ଜିତିଛି । ନାଇଟ୍ ରାଇଡର୍ସ ଗତ ବର୍ଷ ସୁପରଜାଏଣ୍ଟ୍ସ ବିପକ୍ଷରେ ଉଭୟ ମ୍ୟାଚ୍ ଜିତିଥିଲା। ଉଭୟ ଦଳ ଧିରେ ଧିରେ ଲୟକୁ ଫେରୁଛନ୍ତି । ପ୍ରାରମ୍ଭରୁ ବିଫଳ ହେଉଥିବା ନାଇଟ୍ ରାଇଡର୍ସର ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଫର୍ମ ଫେରି ପାଇଛି । ପୂର୍ବ ସନରାଇଜର୍ସ ବିପକ୍ଷ ମ୍ୟାଚରେ ଭେଙ୍କଟେଶ ଆୟର ଓ ରିଙ୍କୁ ସିଂହ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିଥିଲେ । ତଥାପି ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।
ସୁପରଜାଏଣ୍ଟ୍ସର ବ୍ୟାଟିଂ ବିଭାଗ ମଧ୍ୟ ଚମକ ଦେଖାଇବା ଆରମ୍ଭ କରିଛି । କେବଳ ରିଷଭ ପନ୍ତଙ୍କ ବ୍ୟାଟ୍ରୁ ଏପର୍ଯ୍ୟନ୍ତ ରନ ବାହାରି ନାହିଁ । ସୁପରଜାଏଣ୍ଟ୍ସର ପେସ୍ ବୋଲିଂ ବିଭାଗ ଓ ନାଇଟ୍ ରାଇଡର୍ସର ସ୍ପିନ୍ ବିଭାଗ ମଧ୍ୟରେ ଏକ ଅଦୃଶ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବା ଆଶା କରାଯାଉଛି। ସର୍ଦୁଲ ଠାକୁର, ଅଭେଶ ଖାନ ଓ ଆକାଶ ଦୀପ ନାଇଟ୍ ରାଇଡର୍ସ ବ୍ୟାଟରଙ୍କୁ ବାନ୍ଧି ରଖିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଠିକ୍ ସେହିପରି ନାଇଟ୍ ରାଇଡର୍ସର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରାଏନଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ ।
ଇଡେନ ଗାର୍ଡେନ୍ସର ଆଦର୍ଶ ପିଚ୍ରୁ ସମସ୍ତେ କିଛି କିଛି ଫାଇଦା ଉଠାଇ ପାରିବେ। ସନରାଇଜର୍ସ ବିପକ୍ଷ ମ୍ୟାଚ୍ରେ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ରହିଥିଲା । ଆଜି ଦିନ ବେଳା ମ୍ୟାଚ ରହିଥିବାରୁ ଟସ୍ ପ୍ରଭାବ ପକାଇବ ନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବାକୁ ପସନ୍ଦ କରିବେ ।
-: ସମ୍ଭାବ୍ୟ ଦ୍ୱାଦଶ :-
ନାଇଟ ରାଇଡର୍ସ: କ୍ୱିଣ୍ଟନ ଡି କକ୍, ସୁନୀଲ ନାରାଏନ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରିଶ ରଘୁବଂଶୀ, ଭେଙ୍କଟେଶ ଆୟର, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ମୋଇନ ଅଲି, ହର୍ଷିତ ରାଣା, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ ।
ସୁପରଜାଏଣ୍ଟ୍ସ: ଆଡେନ ମାରକ୍ରମ, ମିଚେଲ ମାର୍ଶ, ନିକୋଲାସ ପୂରନ, ରିଷଭ ପନ୍ତ (ଅଧିନାୟକ), ଆୟୂଷ ବାଦୋନି, ଡେଭିଡ୍ ମିଲର, ଅବଦୁଲ ସମଦ, ସର୍ଦୁଲ ଠାକୁର, ଅଭେଶ ଖାନ, ଆକାଶ ଦୀପ, ଦିଗବେଶ ରାଠି, ରବି ବିଷ୍ଣୋଇ ।
IPL-2025: ୧୦ ବର୍ଷ ପରେ ୱାଙ୍ଖଡେରେ ମୁମ୍ୱାଇକୁ ହରାଇଲା ବାଙ୍ଗାଲୋର; ୧୨ ରନର ରୋମାଞ୍ଚକର ବିଜୟ