ପ୍ରମୂଖ ଖବର

IPL 2025: ଆଜି ସୁପରକିଙ୍ଗ୍‌ସ-ନାଇଟ ରାଇଡର୍ସ ଲଢ଼େଇ, କ୍ୟାପ୍‌ଟେନ ଧୋନୀ ଧରିବେ CSK ମଙ୍ଗ

Published By : Prameya | April 11, 2025 8:41 AM

ଚେନ୍ନାଇ,୧୧/୦୪: ୫ଥର ଆଇପିଏଲ୍‌ ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ ଆଜି ଘରୋଇ ଗ୍ରାଉଣ୍ଡ୍‌ରେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସକୁ ଭେଟିବାକୁ ଯାଉଛି । ଏହି ମ୍ୟାଚ୍‌ ଜରିଆରେ କ୍ୟାପ୍‌ଟେନ କୁଲ୍‌ ମହେନ୍ଦ୍ର ସିଂହ ଧୋନୀ ପୁନର୍ବାର ସୁପରକିଙ୍ଗ୍‌ସ  ଦଳର ନେତୃତ୍ୱ ନେବେ । ୫ଟିରୁ ୪ଟି ମ୍ୟାଚ ହାରି ସାରିଥିବା ସୁପରକିଙ୍ଗ୍‌ସ ଚିପକ୍‌ରେ ପୂର୍ବ ଲୟ ଫେରିପାଇବାକୁ ଆଶା ବାନ୍ଧିଛି । ନାଇଟ୍‌ ରାଇଡର୍ସ ମଧ୍ୟ ପୁଣିଥରେ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳ । ଫଳରେ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହେବ । ଉଭୟ ଦଳ ଫର୍ମ ଫେରିପାଇବାକୁ ସଂଘର୍ଷ କରୁଛନ୍ତି । ମାତ୍ର ପୂର୍ବ ରେକର୍ଡକୁ ଦେଖିଲେ ସୁପରକିଙ୍ଗ୍‌ସର ପଲା ଭାରି ରହିବ ।

ଉଭୟ ଦଳ ମଧ୍ୟରେ ୩୦ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରୁ  ସୁପରକିଙ୍ଗ୍‌ସ ୧୯ଟି ଓ ନାଇଟ୍‌ ରାଇଡର୍ସ ୧୦ଟି  ମ୍ୟାଚ୍‌ ଜିତିଛନ୍ତି । ଗତ ବର୍ଷ ନାଇଟ ରାଇଡର୍ସ  ଚାମ୍ପିଅନ୍‌ ହୋଇଥିଲେ ହେଁ ସୁପରକିଙ୍ଗ୍‌ସ ଠାରୁ ପରାଜିତ ହୋଇଥିଲା । 

ଋତୁରାଜ ଗାଏକୱାଡ୍‌ ବାଦ ପଡ଼ିଥିବାରୁ ସୁପରକିଙ୍ଗ୍‌ସ ବ୍ୟାଟିଂ ବିଭାଗର ଚିନ୍ତା ବଢ଼ିବା ସ୍ୱାଭାବିକ । ସେମିତି ଦେଖିବାକୁ ଗଲେ ଦଳର କୌଣସି ବ୍ୟାଟର ଫର୍ମରେ ନାହାନ୍ତି । ଦଳରେ  ରିଜର୍ଭ ବ୍ୟାଟରଙ୍କ ସଂଖ୍ୟା ମଧ୍ୟ ନଗଣ୍ୟ । କେବଳ  ଅଭିଜ୍ଞ ବ୍ୟାଟର ଭାବେ ଦୀପକ ହୁଡ଼ା ଦଳରେ ରହିଛନ୍ତି । ସେ ଆଜି ଏକାଦଶରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । 

ନାଇଟ୍‌ ରାଇଡର୍ସର ପ୍ରଦର୍ଶନରେ ଉତ୍‌ଥାନ  ପତନ ଲାଗି ରହିଛି । ତଥାପି ଏକ ସନ୍ତୁଳିତ  ଦଳ ପ୍ରସ୍ତୁତ ହୋଇ ସାରିଛି । କେବଳ ଛୋଟ ମୋଟ ତ୍ରୁଟି ଯୋଗୁଁ ଦଳକୁ ପରାଜୟର ସାମ୍ନା  କରିବାକୁ ପଡ଼ିଛି । ମଙ୍ଗଳବାର ଅନୁଷ୍ଠିତ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ ଆନ୍ଦ୍ରେ ରସେଲ ଓ ରିଙ୍କୁ ସିଂହଙ୍କୁ ରଖି ଅଙ୍ଗକ୍ରିଶ ରଘୁବଂଶୀଙ୍କୁ  ଆଗୁଆ ବ୍ୟାଟିଂ ପଠାଯିବା ମହଙ୍ଗା ପଡ଼ିଥିଲା । ଦଳ  ମାତ୍ର ୪ ରନ୍‌ରେ ପରାଜିତ ହୋଇଥିଲା । 

ଚିପକ୍‌ର ମନ୍ଥର ପିଚ୍‌ ସ୍ପିନରଙ୍କୁ ସହାୟତା  କରୁଛି । ନାଇଟ ରାଇଡର୍ସ ନିକଟରେ ବରୁଣ  ଚକ୍ରବର୍ତ୍ତୀ ଓ ସୁନୀଲ ନାରାଏନଙ୍କ ଭଳି ଦକ୍ଷ ସ୍ପିନର ରହିଛନ୍ତି । ତେଣୁ ସୁପରକିଙ୍ଗ୍‌ସକୁ ଏଥିପ୍ରତି ସତର୍କ  ରହିବାକୁ ହେବ । ସୁପରକିଙ୍ଗ୍‌ସ ଦଳରେ ୪ଜଣ  ବାମ ହାତି ବ୍ୟାଟର ରହିଥିବାରୁ ନାରାଏନ ଓ ବରୁଣଙ୍କ  ବୋଲିଂ ନାଇଟ ରାଇଡର୍ସ ପାଇଁ ସହାୟକ ହେବ । 

ସୁପରକିଙ୍ଗ୍‌ସ ଦଳର ୩ଜଣ ପୂର୍ବତନ  ଖେଳାଳି ବର୍ତ୍ତମାନ ନାଇଟ ରାଇଡର୍ସ ଶିବିରରେ  ରହିଛନ୍ତି । ସେମାନେ ହେଲେ ଅଜିଙ୍କ୍ୟ ରାହାଣେ, ମୋଇନ ଅଲି ଓ ଡ୍ୱେନ ବ୍ରାଭୋ । ରାହାଣେ ନାଇଟ୍‌  ରାଇଡର୍ସ ଅଧିନାୟକ ଥିବାବେଳେ ବ୍ରାଭୋ ମୁଖ୍ୟ  କୋଚ ଭାବେ କାର୍ଯ୍ୟ କରୁଛନ୍ତି । ଚିପକ୍‌ ପିଚ୍‌ ଓ  ଗ୍ରାଉଣ୍ଡ ସହ ସେମାନେ ବେଶ୍‌ ପରିଚିତ । 

ଚିପକ ପିଚ୍‌କୁ ନେଇ ପୂର୍ବାନୁମାନ କରିବା  କଷ୍ଟକର । ଏଠାରେ ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରିବା  ସତ୍ତେ୍ୱ ସୁପରକିଙ୍ଗ୍‌ସ ୨ଟି ମ୍ୟାଚ୍‌ ହାରି ସାରିଲାଣି ।  ପିଚ୍‌ ସମୟ କ୍ରମେ ମନ୍ଥର ହେଉଥିବାରୁ ଟସ୍‌  ସେଭଳି ଗୁରୁତ୍ୱ ବହନ କରିବ ନାହିଁ । ତଥାପି ଟସ  ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

-: ସମ୍ଭାବ୍ୟ ଦ୍ବାଦଶ:-

ସୁପରକିଙ୍ଗ୍‌ସରଚିନ ରବିନ୍ଦ୍ର, ଡେଭନ  କନୱେ, ରାହୁଲ ତ୍ରିପାଠୀ, ଶିବମ ଦୁବେ,  ବିଜୟ ଶଙ୍କର/ଦୀପକ ହୁଡ଼ା, ରବିନ୍ଦ୍ର ଜାଡ଼େଜା,  ମହେନ୍ଦ୍ର ସିଂହ ଧୋନୀ (ଅଧିନାୟକ), ଆର  ଅଶ୍ୱିନ, ନୂର ଅହମ୍ମଦ, ମୁକେଶ ଚୌଧୁରୀ,  ଖଲିଲ ଅହମ୍ମଦ, ମଥିଶା ପତିରଣା । 

ନାଇଟ୍‌ ରାଇଡର୍ସ: କ୍ୱିଣ୍ଟନ ଡି କକ୍‌, ସୁନୀଲ  ନାରାଏନ, ଅଜିଙ୍କ୍ୟ ରାହାଣେ (ଅଧିନାୟକ),  ଭେଙ୍କଟେଶ ଆୟର, ଅଙ୍ଗକ୍ରୀଶ ରଘୁବଂଶୀ,  ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ,  ମୋଇନ ଅଲି/ସ୍ପେନସର ଜନସନ, ହର୍ଷିତ  ରାଣା, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ ।

IPL-2025: ଲଗାତାର ଚତୁର୍ଥ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ; ୬ ୱିକେଟରେ ହାରିଲା ବେଙ୍ଗାଲୁରୁ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.