ଭୁବନେଶ୍ୱର, ୨୯/୦୭: ରାଜଧାନୀରେ ହିଟ୍ ଆଣ୍ଡ୍ ରନ୍ ଜଣେ ଯବାନଙ୍କ ଜୀବନ ନେଇଛି । ନିଶାସକ୍ତ ଅବସ୍ଥାରେ କାର୍ ଚଳାଇ ବାଇକ୍ ପଛରେ ଧକ୍କା ଦେବାରୁ ବାଇକ୍ ଆରୋହୀ ସିଆଇଏସ୍ଏଫ୍ର ଏଏସ୍ଆଇ ନିରଞ୍ଜନ ପ୍ରଧାନ(୫୬)ଙ୍କ ମୃତ୍ୟୁ ଘଟିଛି । ଏୟାରପୋର୍ଟ ଥାନା ପୁଲିସ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରିଛି । ନିରଞ୍ଜନଙ୍କ ଶବ ବ୍ୟବଚ୍ଛେଦ କରାଇ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । କାର୍ ଓ ବାଇକ୍କୁ ପୁଲିସ ଜବତ କରିଛି । କାର୍ ଚାଳକ ତଥା ମାଲିକ ଶୋଭନ ମହାପାତ୍ର(୩୪)ଙ୍କୁ ପୁଲିସ ଗିରଫ କରିଛି ।
ପୁଲିସ ସୂଚନା ଅନୁଯାୟୀ, ଏଏସ୍ଆଇ ନିରଞ୍ଜନ ଭୁବନେଶ୍ୱର ଏୟାରପୋର୍ଟରେ ଶନିବାର ନାଇଟ୍ ସିଫ୍ଟରେ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ । ସେ ତାଙ୍କ ବାଇକ୍ରେ ପୋଖରୀପୁଟରୁ ରାତି ସାଢ଼େ ୮ଟାରେ ବାହାରି ଏୟାରପୋର୍ଟକୁ ଯାଉଥିଲେ । ସେ କାର୍ଗିଲ ବସ୍ତି ନିକଟରେ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଅତି ବେପରୁଆ ଭାବେ କାର୍ ଚଳାଇ ଆସୁଥିବା ଶୋଭନ ତାଙ୍କୁ କାର୍ଗିଲ୍ ବସ୍ତି ନିକଟରେ ଖୁବ୍ ଜୋରରେ ଧକ୍କା ଦେଇଥିଲେ । ଫଳରେ ନିରଞ୍ଜନ ବାଇକ୍ ସହ କିଛି ଦୂରକୁ ଛିଟିକି ପଡ଼ିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା । ସେଠାରେ ରାତି ୩ଟା ୧୨ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ଏୟାରପୋର୍ଟ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ନିରଞ୍ଜନଙ୍କ ମୃତଦେହ ଜବତ କରିଥିଲା । ସେପଟେ ଦୁର୍ଘଟଣା ଘଟାଇଥିବା କାର୍ ଓ ବାଇକ୍କୁ ପୁଲିସ ଜବତ କରିବା ସହ ଶୋଭନଙ୍କୁ ଗିରଫ କରିଥିଲା । ଶୋଭନ ନିଶାସକ୍ତ ଅବସ୍ଥରେ ଗାଡ଼ି ଚଳାଉଥିବା ଜଣା ପଡ଼ିଥିଲା । ଶୋଭନଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା ।
ସୂଚନାଥାଉକି, ସିଆଇଏସ୍ଏଫ୍ ଏଏସ୍ଆଇ ନିରଞ୍ଜନଙ୍କ ନିଜ ଘର ଯାଜପୁର ବିଞ୍ଝାରପୁର ଥାନା ଅନ୍ତର୍ଗତ କନ୍ତିଆ । ସେ ଭୁବନେଶ୍ୱର ଏୟାରପୋର୍ଟରେ କାର୍ଯ୍ୟରତ ଥିଲେ । ପୋଖରୀପୁଟରେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ।