ଭୁବନେଶ୍ୱର,୨୦/୧୨: ସାଙ୍ଗ ହୋଇ ବାର୍କୁ ଆସିଲେ । ବାର୍ରେ ଜମାଇଲେ ମଦର ଆସର । ନିଶା ହୋଇ ଯିବାରୁ ଯୁବତୀଙ୍କୁ ଏକା ଛାଡିଦେଇ ଚାଲିଗଲେ ପୁରୁଷ ବନ୍ଧୁ । ନିଶାରେ ଚୁର୍ ଯୁବତୀ ରାତିସାରା ରାଜରାସ୍ତାରେ କଲେ ହାଇଡ୍ରାମା । ଫୁଟପାଥ୍ରେ ପଡ଼ିଥିବା ଯୁବତୀଙ୍କୁ ଉଠାଇବା ବେଳେ ପୋଲିସକୁ ଗାଳି ଗୁଲଜ ଓ କଲେ ଦୁର୍ବ୍ୟବହାର। ଯୁବତୀଙ୍କୁ ବୁଝାସୁଝା ବେଳେ ମହିଳା ପୋଲିସ କର୍ମଚାରୀଙ୍କୁ କଲେ ଆକ୍ରମଣ । ମହିଳା ପୋଲିସ କର୍ମଚାରୀଙ୍କ ଫାଟିଲା ମୁଣ୍ଡ। ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ପିଶିଆର୍ ଟିମ୍ଙ୍କ ୨ଘଣ୍ଟାର ପରିଶ୍ରମ ପରେ ଆୟତକୁ ଆସିଥିଲେ ଯୁବତୀ। ଶେଷରେ ମୂର୍ମୁଷ ଅବସ୍ଥାରେ ପଡ଼ିଥିବା ଯୁବତୀଙ୍କୁ ମେଡିକାଲ ପଠାଇଲେ ପିସିଆର୍ ଟିମ୍ ।
ସୂଚନା ମୁତାବକ, ଦୁଇ ଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣି ଆଉ ଜଣେ ନିଶାସକ୍ତ ଯୁବତୀଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ସ୍ଥିତ ଡମଣା ଛକରେ ଥିବା ବସ୍ ଷ୍ଟପ୍ରେ ଜଣେ ଯୁବତୀ ନିଶାସକ୍ତ ଅବସ୍ଥାରେ ଶୋଇ ରହିଥିଲେ। ଯାହାର ଖବର ପାଇ ସ୍ଥାନୀୟ ଥାନା ପିସିଆର୍ ପହଞ୍ଚିଥିଲେ । ହେଲେ ପୋଲିସକୁ ଯୁବତୀ ଜଣକ ଅସଭ୍ୟ ଭାଷାରେ ଗାଳି କରିଥିଲେ । ପରେ ଥାନାକୁ ଜଣାଇବା ପରେ ଥାନାରୁ ଜଣେ ମହିଳା କନେଷ୍ଟବଳ ଆସିଥିଲେ । ଦୀର୍ଘ ଦୁଇ ଘଣ୍ଟାର କସରତ ପରେ ମଧ୍ୟ ପୋଲିସ ପରିସ୍ଥିତିକୁ ଆୟତ୍ତ କରି ପାରି ନଥିଲା । ସେପଟେ ଯୁବତୀଙ୍କ ପୁରୁଷ ବନ୍ଧୁ ଛାଡି ପଳାଇଥିବା ବେଳେ ମଉକା ଦେଖି ଯୁବତୀଙ୍କୁ ବାର୍ରୁ ଆଣିଥିବା ବନ୍ଧୁ ପୋଲିସ ଜିମା ଦେଇ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ପିଶିଆର ଏହି ବାବଦରେ ଥାନା ଅଧିକାରୀଙ୍କୁ ଜଣାଇବା ସହ ଯୁବକ ଏବଂ ତାଙ୍କ ଗାଡ଼ିକୁ ଥାନାକୁ ଆଣିଥିଲେ ଓ ଯୁବତୀଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଥିଲେ । ରାଜଧାନୀରେ ରାତିରେ ଲୁଟପାଟ ବଢ଼ୁଥିବା ବେଳେ ପୋଲିସ ଏବଂ ପିସିଆର ଚାରିଆଡ଼େ ପଇଁତରା ମାରୁଛନ୍ତି । ହେଲେ ବାରମ୍ବାର ନିଶାସକ୍ତ ଯୁବତୀ ମାନଙ୍କ ଉତ୍ପାତ ହେବାର ଦୃଶ୍ୟ ଚୋରି ଓ ଲୁଟ୍ ଅପେକ୍ଷା ପୋଲିସ ପାଇଁ ବଡ ଟେନ୍ସନ୍ ପାଲଟିଛି ।